ଦର୍ଜିଙ୍କ ବେକ କାଟିଲେ ଦୁର୍ବୃତ୍ତ

ନୂପୁରଙ୍କ ସମର୍ଥନରେ ପୋଷ୍ଟ ମହଙ୍ଗା ପଡ଼ିଲା
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଏକ ଟିଭି ଡିବେଟ୍ରେ ବିଜେପିର ନିଲମ୍ବିତ ପ୍ରବକ୍ତା ନୂପୁର ଶର୍ମା କିଛି ବିବାଦୀୟ ଟିପ୍ପଣୀ କରିଥିଲେ । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ତୁରନ୍ତ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ତାଙ୍କୁ ନିଲମ୍ବିତ ମଧ୍ୟ କରିଥିଲା । ତେବେ ଏସବୁ ସତ୍ତ୍ୱେ ନୂପୁରଙ୍କ ମନ୍ତବ୍ୟକୁ ନେଇ ଇସଲାମ୍ ଧର୍ମାବଲମ୍ବୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଆଜି ବି ଶାନ୍ତ ହୋଇନାହିଁ । ଏବେ ବି ଦେଶର କେତେକ ପ୍ରାନ୍ତରେ ନୂପୁରଙ୍କ ବିରୋଧରେ ନାରାବାଜି, ବିକ୍ଷୋଭ, ହିଂସାତ୍ମକ ଆଚରଣ ପ୍ରଦର୍ଶନ କରାଯାଉଛି । ଏହିକ୍ରମେ ମଙ୍ଗଳବାର ରାଜସ୍ଥାନର ଉଦୟପୁର ଠାରେ ଏକ ବଡ଼ ନାରକୀୟ କାଣ୍ଡ ଘଟିଯାଇଥିବା ସମ୍ପର୍କରେ ସୂଚନା ମିଳିଛି ।
ରାଜସ୍ଥାନର ଉଦୟପୁରରୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଏବେ ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ୧ଠ ଦିନ ପୂର୍ବେ ନୂପୁର ଶର୍ମାଙ୍କ ସମର୍ଥନରେ ବୋବଲର୍ଦ୍ଧନ ବିଳାସ ଅଞ୍ଚଳର ସ୍ଥାୟୀ ବାସିନ୍ଦା କହ୍ନେୟାଲାଲ ତେଲି (୪ଠ) ନାମକ ଜଣେ ବ୍ୟକ୍ତି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏହି ବ୍ୟକ୍ତିଜଣକ ପେଶାରେ ଜଣେ ଦର୍ଜୀ ହୋଇଥିବା ବେଳେ ଧାନମଣ୍ଡି ସ୍ଥିତ ଭୂତମହଲ ପାଖରେ ତାଙ୍କର ଏକ ଟେଲର ଦୋକାନ ରହିଥିଲା । ତେବେ ସେ ଏହି ପୋଷ୍ଟ କରିବା ପରେ ତାଙ୍କୁ ହତ୍ୟା କରାଯିବା ନେଇ ଚାରିଆଡୁ ଧମକ ମିଳିବା ଆରମ୍ଭ ହୋଇଥିଲା । ଫଳରେ ସେ ଭୟଭୀତ ହୋଇ ୬ଦିନ ପର୍ଯ୍ୟନ୍ତ ନିଜ କପଡା ସିଲାଇ ଦୋକାନକୁ ବନ୍ଦ ରଖିଥିଲେ । ମାତ୍ର ଏହି ୨/୩ ଦିନ ହେବ ସେ ଦୋକାନ ଖୋଲିଥିଲେ ଏବଂ ନିଜ କାମ ଆରମ୍ଭ କରିଥିଲେ । ତେବେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ୨ ବ୍ୟକ୍ତି ତାଙ୍କ ଦୋକାନକୁ କପଡ଼ା ସିଲାଇ କରିବା ବାହାନାରେ ପ୍ରଥମେ ପ୍ରବେଶ କରିଥିଲେ ଏବଂ ସୁଯୋଗ ଦେଖି ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକ କାଟିଦେଇଥିଲେ । ଘଟଣାସ୍ଥଳରେ ହିଁ କହ୍ନେୟାଲାଲ ପ୍ରାଣ ହରାଇଦେଇଥିଲେ । ଅନ୍ୟପକ୍ଷେ ଏହି ନାରକୀୟ କାଣ୍ଡର ସେମାନେ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ଏବଂ ଖୁଲମ୍ଖୁଲ୍ଲା ସେମାନେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ହତ୍ୟାକାଣ୍ଡ ପାଇଁ ଅଭିଯୁକ୍ତମାନେ ନିଜକୁ ଦାୟୀ ମଧ୍ୟ କରିଛନ୍ତି । ଭିଡିଓଟିରେ ଦୁଇ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ନିଜ ନାମ ମହମ୍ମଦ ରିୟାଜ୍ ଭାବେ ଦର୍ଶାଇଥିବା ବେଳେ ଅନ୍ୟଜଣେ ତା’ର ସାଙ୍ଗ ଅହମ୍ମଦ ଅନ୍ସାରୀ ଭାବେ ଦର୍ଶାଇଛି । କେବଳ ସେତିକି ନୁହେଁ ଉଭୟ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦେ୍ଦଶ୍ୟରେ ମଧ୍ୟ ଚେତାବନୀ ଦେଉଥିବା ଦେଖିବାକୁ ମିଳୁଛି । ତେବେ ରିପୋର୍ଟ ଲେଖା ହେବା ବେଳକୁ ଉଭୟଙ୍କୁ ରାଜସମନ୍ଦ ଭୀମ୍ ଅଞ୍ଚଳରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷେ ଏହି ଘଟଣା ପରେ ଉଦୟପୁରରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ପ୍ରତିବାଦରେ ଲୋକେ ରାସ୍ତା ଉପରକୁ ଚାଲିଆସିଛନ୍ତି ଏବଂ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ତଥା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିରେ ନାରାବାଜି କରିବା ଆରମ୍ଭ କରିଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଉତ୍ତ୍ୟକ୍ତ ଜନତାଙ୍କୁ ଅପିଲ୍ କରିଛନ୍ତି । ଏଥିସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଗେହଲଟ୍ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଦେଶବ୍ୟାପୀ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି (ପ୍ରଫେଟ୍ ମହମ୍ମଦଙ୍କ ପ୍ରସଙ୍ଗରେ) ସମ୍ପର୍କରେ ଦେଶବାସୀଙ୍କ ନିକଟରେ ଉତ୍ତରଦାୟୀ ହେବା ଉଚିତ୍ । ଅନ୍ୟପକ୍ଷେ ରାଜ୍ୟ ପୁଲିସ୍ ପ୍ରଶାସନ ପକ୍ଷରୁ ଉଦୟପୁର ସମେତ ଆଖପାଖ ୫ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ଏଥିସହ ଉଦୟପୁରରେ ଧାରା ୧୪୪ ଲାଗୁ ପୂର୍ବକ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଉଦୟପୁରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି ।
ପ୍ରକାଶ, ହତ୍ୟାକାଣ୍ଡ ବିରୋଧରେ ହାଥୀପୋଲ୍, ଘଣ୍ଟାଘର, ଅଶ୍ୱିନୀ ବଜାର, ଦେହଲି ଗେଟ୍ ଏବଂ ମାଲଦାସ୍ ଷ୍ଟି୍ରଟ୍ ବଜାର ଆଦି ଅଞ୍ଚଳ ବନ୍ଦ ରହିଛି । ଏହି ହତ୍ୟାକାଣ୍ଡକୁ ନେଇ ଏବେ ସମଗ୍ର ରାଜସ୍ଥାନରେ ହାଇ ଆଲର୍ଟ ଜାରି କରିଦିଆଯାଇଛି । ରିପୋର୍ଟ ଲେଖାହେବା ବେଳକୁ ମୃତ ଦର୍ଜୀଙ୍କ ଶବ ତାଙ୍କରି ଦୋକାନ ବାହାରେ ପଡ଼ି ରହିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିବାର ଲୋକେ ରାଜ୍ୟ ସରକାରଙ୍କ ଠାରୁ ୫ଠ ଲକ୍ଷ ଟଙ୍କା ଏବଂ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ପାଇଁ ଦାବିରେ ଅଡି ବସିଛନ୍ତି ଏବଂ ପୁଲିସକୁ ଶବ ଉଠାଇବାକୁ ମଧ୍ୟ ଦେଉନାହାନ୍ତି । ସୂଚନାଯୋଗ୍ୟ ମୃତ କହ୍ନେୟାଲାଲଙ୍କର ଦୁଇ ପୁଅ ୟଶ୍ (୧୯) ଏବଂ ତରୁଣ (୧୭) ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *