ଉନ୍ନୟନ ସମନ୍ୱୟ ଓ ଦିଶା ବୈଠକ

ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ପର୍ଯ୍ୟାଲୋଚନା କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ସାଂସଦ ମହେଶ ସାହୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନାର ସଫଳ ରୂପାୟନ ଓ ସୁଫଳ ପ୍ରାପ୍ତି ନିମନ୍ତେ ଯୋଜନା ସଂପର୍କରେ ସମସ୍ତ ଜନପ୍ରତିନିଧି ଓ ଜନସାଧାରଣଙ୍କୁ ନିଶ୍ଚିତ ଭାବେ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି । ଢେଙ୍କାନାଳ ସହରରେ ସରକାରୀ ଜମିର ଅବୈଧ ଜବରଦଖଲ ଓ ନିର୍ମାଣକୁ ହଟାଇବା ସହ ଢେଙ୍କାନାଳ କଲେଜ ରୋର, ଦକ୍ଷିଣକାଳୀ ରୋଡ଼, ଜଗନ୍ନାଥ ରୋଡ଼, ବାଜିଚୋ÷କ ଛକ ଆଦି ଗହଳିପୂର୍ଣ୍ଣ ଅଞ୍ଚଳରେ ଅବୈଧ ଜବରଦଖଲ ଉଚ୍ଛେଦ ପାଇଁ ବୈଠକରେ ଆଲୋଚନା ହୋଇଥିଲା । କୃଷିକାର୍ଯ୍ୟ ନିମନ୍ତେ ଅଧିକରୁ ଅଧିକ ଋଣ ପ୍ରଦାନ ନିମନ୍ତେ ସାଂସଦ ଲିଡ୍ ବ୍ୟାଙ୍କ ମ୍ୟାନେଜରଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ବିଜୁ ସ୍ୱାସ୍ୱ୍ୟବୀମା ଯୋଜନାର ସଠିକ୍ କାର୍ଯ୍ୟକାରିତା ଓ ସେବା ଯୋଗାଇଦେବା ନିମନ୍ତେ ଯତ୍ନବାନ ହେବାକୁ ସିଡିଏମ୍ଓଙ୍କୁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଚିକିତ୍ସାଳୟରେ ନିଶ୍ଚିତ ଭାବରେ ଜଣେ ଡାକ୍ତରଙ୍କୁ ଏବଂ ସହାୟକ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ କହିଛନ୍ତି । ବିଧାୟକ ସୁଧୀର କୁମାର ସାମଲ ଏହି ବୈଠକରେ ଯୋଗଦେଇ ସରକାରଙ୍କ ସମସ୍ତ ଜନହିତକର ଯୋଜନାର ସୁଫଳ ଯେପରି ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ସେସମ୍ପର୍କରେ ସମସ୍ତ ଜନପ୍ରତିନିଧି ନିଷ୍ଠାର ସହିତ କାର୍ଯ୍ୟ କରିବାକୁ କହିଥିଲେ । ବିଭାଗୀୟ ଅଧିକାରୀମାନେ ଜନପ୍ରତିନିଧିମାନଙ୍କ ସହିତ ଯୋଗାଯୋଗ ରକ୍ଷାକରି ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ କହିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର କାର୍ଯ୍ୟ ଶେଷ କରିବା, ସାମାଜିକ ସୁରକ୍ଷା ସହାୟତା ଯୋଜନା ଏବଂ ଜାତୀୟ ପରିବାର କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ବିଭିନ୍ନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଭତ୍ତା ପ୍ରଦାନ କରିବା, ସମନ୍ୱିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକାରିତା, ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ସମ୍ପର୍କରେ ବିଷଦ୍ ଭାବରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଡିଏଫ୍ଓ ପ୍ରକାଶ ଚାନ୍ଦ ଗୋଗିନେନୀ, ଡିଆର୍ଡିଏ ପ୍ରକଳ୍ପ ନିଦେ୍ର୍ଦଶକ ସାଫଲ୍ୟ ମଣ୍ଡିତ ପ୍ରଧାନ, ସମସ୍ତ ବ୍ଲକ ଓ ଏନ୍ଏସି ଅଧ୍ୟକ୍ଷ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *