ତିନି ରଥର ଶୋଭା ବଢ଼ାଇଥାଏ ମଗରମୁଣ୍ଡ, ଯୋଡ଼ିହଂସ

ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କ ରଥଯାତ୍ରା ଆସିଲେ ବିଭିନ୍ନ ବର୍ଗର ସେବାୟତଙ୍କୁ ଖୋଜା ପଡ଼ିଥାଏ । ଯେଭଳି ରଥନିର୍ମାଣ ନିମନ୍ତେ ବିଶ୍ୱକର୍ମାଙ୍କ ଠାରୁ ଆରମ୍ଭ କରି ଭୋଇ ସେବକ, ଦରଜି ସେବକ, ଓଝା ସେବକ, ରୂପକାର, ଚିତ୍ରକର ଏବଂ ସେବାୟତମାନେ । ଏମାନଙ୍କ କାର୍ଯ୍ୟ ପରେ ତିନି ରଥର ଶୋଭାବର୍ଦ୍ଧନ କରିଥାଏ ପିତ୍ତଳ ସାମଗ୍ରୀ । ଏହି କାର୍ଯ୍ୟ କରିବା ପାଇଁ ଖୋଜା ପଡ଼ିଥାନ୍ତି ବାଲିଘାଟର ଜାଗୁଳେଇ ମନ୍ଦିର ନିକଟ ଜାଗେଶ୍ୱରୀଲେନ୍ର ସାଗର ସାହୁଙ୍କୁ । ସାଗର ବର୍ଷକରେ ଥରେ ଅର୍ଥାତ୍ ୧୫ଦିନ ପାଇଁ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଥାନ୍ତି । ତିନି ରଥ ନିର୍ମାଣ ପରେ କପଡ଼ାରେ ରଥ ଆବଦ୍ଧ ହେବ । ପରେ ରଥର ଶୋଭାକୁ ବର୍ଦ୍ଧନ କରିଥାଏ ପିତ୍ତଳ ସାମଗ୍ରୀ । ଏହି ପିତ୍ତଳ ସାମଗ୍ରୀ ମାଜି ଚକ୍ଚକ୍ କରିଥାନ୍ତି ସାଗର ।
ବଡ଼ଦାଣ୍ଡରେ ରଥ ଗଡୁଥିବା ବେଳେ ଅଗଣିତ ଭକ୍ତଙ୍କ ନଜର ପଡ଼ିଥାଏ ରଥ କନା ଉପରେ ଲାଗିଥିବା ଯୋଡ଼ିହଂସ, ମାଛ, ମଗର ମୁଣ୍ଡ, ସଖୀ, କଦଳୀଗଛ ଓ ରାହୁମୁଣ୍ଡ ଉପରେ । ଦୀର୍ଘ ୩୦ବର୍ଷରୁ ଊଦ୍ଧ୍ୱର୍ ହେବ ଏହି ସେବା କରିଆସୁଛନ୍ତି ସାଗର ଓ ତାଙ୍କ ପରିବାର ସଦସ୍ୟ । ପୂର୍ବରୁ ତାଙ୍କ ବାପା ଏହି କାର୍ଯ୍ୟ କରୁଥିବା ବେଳେ ଏବେ ସାଗର ଏହି କାର୍ଯ୍ୟକୁ ନିଜେ କରୁଛନ୍ତି ।
ଏ ସମ୍ପର୍କରେ ସାଗର କୁହନ୍ତି, ସେ ବୃତ୍ତିରେ ଜଣେ କଂସାରୀ । ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ରଥରେ ଲାଗୁଥିବା ପିତ୍ତଳ ସାମଗ୍ରୀକୁ ସଫା କରିବା ଓ ଭାଙ୍ଗି ଯାଇଥିବା ଅଂଶକୁ ମଧ୍ୟ ମରାମତି କରିଥାନ୍ତି । ତାଙ୍କୁ ମହାପ୍ରଭୁଙ୍କ କାର୍ଯ୍ୟ କରିବାର ସୁଯୋଗ ମିଳୁଥିବାରୁ ସେ ଓ ତାଙ୍କ ପରିବାର ସଦସ୍ୟମାନେ ନିଜକୁ ଭାଗ୍ୟବାନ ମଣିଥାନ୍ତି । କାରଣ ଯେଉଁ ବିଶ୍ୱନିୟନ୍ତାଙ୍କୁ କୋଟି କୋଟି ଲୋକ ଦେଖିବାକୁ ଚାହିଁ ରହିଥାନ୍ତି ତାଙ୍କ କାର୍ଯ୍ୟ କରିବାକୁ ସୁଯୋଗ ପାଇଛନ୍ତି । ତେଣୁ ସେ ଏହି କାର୍ଯ୍ୟକୁ ଅତ୍ୟନ୍ତ ଯତ୍ନର ସହ କରିଥାନ୍ତି । ରଥକନା ଉପରେ ପିତ୍ତଳର ମାଛ, ମଗରମୁଣ୍ଡ, ସଖୀ, ଯୋଡ଼ିହଂସ, ରାହୁମୁଣ୍ଡ ଓ କଦଳୀଗଛ ଲାଗିଥାଏ । ତିନି ରଥରେ ମାଛ ଓ କଦଳୀଗଛ ୨୪ଟି ଲେଖାଏଁ ଲାଗୁଥିବା ବେଳେ ଅନ୍ୟସବୁ ୧୨ଟି ଲେଖାଏଁ ଲାଗିଥାଏ । ଏହିପରି ମୋଟ ୯୬ଟି ଲାଗିଥାଏ ବୋଲି ସାଗର ପ୍ରକାଶ କରିଛନ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପରଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସମସ୍ତ ସମାଗ୍ରୀ ଦେଇଥାନ୍ତି । ପରେ ନିଜ ଘରେ ନିଷ୍ଠାର ସହିତ ହାତରେ ଓ ମେସିନ୍ ସହାୟତାରେ କାର୍ଯ୍ୟ କରିଥାନ୍ତି । କାର୍ଯ୍ୟ ଶେଷହେବା ପରେ ସାଗର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏସବୁ ସମସ୍ତ ସାମଗ୍ରୀ ଜିମା ଦେଇଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *