ବିସ୍କୁଟ ଖାଇ ଘରକୁ ଫେରିଲେ ପିଲା
ମଧ୍ୟାହ୍ନ ଭୋଜନକୁ ନେଇ ଗଣ୍ଡଗୋଳ, ୨ ଦିନ ରୋଷେଇ ବନ୍ଦ
ଧାମନଗର (ଆପ୍ର): ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ସରକାର ସେମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରୁଛନ୍ତି । କିନ୍ତୁ ବିବାଦ ଯୋଗୁ ମଧ୍ୟାନ ଭୋଜନରେ ବିଭ୍ରାଟ ସୃଷ୍ଟି ହେଉଛି । ଏପରି ଏକ ଅଭାବନୀୟ ଘଟଣା ମଙ୍ଗଳବାର ଧାମନଗର ନିକଟସ୍ଥ ତାଳପଦା ନୋଡାଲ୍ ସ୍କୁଲ୍ରେ ଦେଖିବାକୁ ମିଳିଛି । ବ୍ଲକ୍ କାର୍ଯ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ସ୍କୁଲ ଥିବାବେଳେ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ଦୁଇଦିନ ହେଲା ରୋଷେଇ ବନ୍ଦ ରହିଛି । ଶିକ୍ଷକମାନେ ଚାନ୍ଦାକରି ୧୯୮ଜଣ ଛାତ୍ରଛାତ୍ରୀଙ୍କୁ ବିସ୍କୁଟ୍ ଦେଇ ଘରକୁ ବିଦା କରୁଛନ୍ତି ।
ଉକ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ରୋଷେଇ ଦାୟିତ୍ୱ ନେଇଛନ୍ତି ଜୟ ମାଧବ ସ୍ୱୟଂ ସହାୟିକା ଗୋଷ୍ଠୀ । ଏହାର ସଭାପତି ରଞ୍ଜିତା ଦାସ ଓ ସମ୍ପାଦିକା ଜୟଶ୍ରୀ ଦାସ ଅଛନ୍ତି । ସଭାପତି ରୋଷେଇ ଦାୟିତ୍ୱ ନ ନେବାରୁ ସମ୍ପାଦିକା ଏହାର ଦାୟିତ୍ୱ ନେଇଥିଲେ । ଗୋଷ୍ଠୀର ସଦସ୍ୟାମାନେ ସିକୁ୍ୟରିଟି ଟଙ୍କା ୮୦ହଜାର ମିଳିତ ଭାବେ ଡିପୋଜିଟ୍ କରିଛନ୍ତି । କିନ୍ତୁ ୩ ମାସ ରୋଷେଇର ହିସାବ ସମ୍ପାଦିକା ସଦସ୍ୟାଙ୍କୁ ଦେଇ ନ ଥିଲେ । ଗୋଷ୍ଠୀର ଅନୁମତି ନ ନେଇ ସମ୍ପାଦିକା ତାଙ୍କ ଘରେ ମଧ୍ୟାହ୍ନ ଭୋଜନ ଚାଉଳ ରଖିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ବାରମ୍ବାର ସଦସ୍ୟାମାନେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା ।
ଗୁରୁବାର ଦିନ ପିଲାଙ୍କୁ ଠିକ୍ ଭାବରେ ଖାଦ୍ୟପେୟ ଦିଆଯାଇ ନ ଥିବାବେଳେ ପ୍ରାୟ ୬୦ଜଣ ପିଲା ଭୋକରେ ଘରକୁ ଫେରିଥିଲେ । ଶୁକ୍ରବାର ମଧ୍ୟ ଗ୍ରୁପ ରୋଷେଇ ଦାୟିତ୍ୱ ନେଇ ନ ଥିବାରୁ ସିଆର୍ସିସି ପିଲାଙ୍କୁ ଖାଇବାକୁ ଦେଇଥିଲେ । ଗ୍ରୁପ୍ ସଦସ୍ୟାମାନେ ତାଙ୍କର ପ୍ରାପ୍ୟ ସମ୍ପାଦିକା ପାଖରୁ ପାଇ ନ ଥିବାରୁ ରୋଷେଇ ଘରେ ତାଲା ପକାଇଥିଲେ । ସମ୍ପାଦିକା ଶ୍ରୀମତୀ ଦାସ ଓ ତାଙ୍କ ଶାଶୂ ସଦସ୍ୟାଙ୍କୁ ତାଲା କାହିଁକି ପକାଇଛ ବୋଲି ପଚାରିବାରୁ ମାର୍ପିଟ ହୋଇଥିଲା । ଉଭୟ ପକ୍ଷର କେତେକ ମହିଳା ଲହୁଲୁହାଣ ହୋଇଥିଲେ । ଧାମନଗର ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲେ । ଏ ସମ୍ପର୍କରେ ମଧ୍ୟ ଗୋଷ୍ଠୀ ପକ୍ଷରୁ ପୃଥକ ଭାବରେ ୨ଟି ଅଭିଯୋଗ ଥାନାରେ ଦିଆଯାଇଛି । ବ୍ଲକ୍ ଶିକ୍ଷାଧିକାର ଏବଂ ଶିକ୍ଷା କମିଟି ମଧ୍ୟରେ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଶିକ୍ଷାଧିକାରୀ ଭୀମସେନ ହୋ କହିଛନ୍ତି । ଉକ୍ତ ବିଦ୍ୟାଳୟରେ ନୂତନ ଗୋଷ୍ଠୀକୁ ଖାଦ୍ୟ ଦାୟିତ୍ୱ ଦେବାକୁ ଅଭିଭାବକମାନେ ଦାବି କରିଥିଲେ ।