ଜିଏସ୍ଟିରେ ପେଟ୍ରୋଲ-ଡିଜେଲ-ମଦ!
ଜିଏସ୍ଟି ବ୍ୟବସ୍ଥାର ୫ ବର୍ଷ ପୂର୍ତ୍ତି, ଚଣ୍ଡୀଗଡ଼ରେ ବସୁଛି ପରିଷଦ ବୈଠକ
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ୧ ଜୁଲାଇ, ୨ଠ୧୭ରେ ସର୍ବପ୍ରଥମେ ଜିଏସ୍ଟି ବ୍ୟବସ୍ଥା ଲାଗୁକରାଯାଇଥିଲା । ଏହି ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ସମୟାନୁସାରେ ତଥା ଦାବି ପରିପ୍ରେକ୍ଷୀରେ ଜିଏସ୍ଟି ପ୍ର୍ରକିୟାରେ ଅନେକ ପରିବର୍ତ୍ତନ ମଧ୍ୟ କରିସାରିଛନ୍ତି । ତେବେ ଆସନ୍ତା ୨୮ ଏବଂ ୨୯ତାରିଖରେ ଚଣ୍ଡୀଗଡ଼ରେ ଜିଏସ୍ଟି କାଉନ୍ସିଲ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଟ୍ୟାକ୍ସ ସ୍ଲାବ୍ ଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଏହି ବୈଠକରେ ଜିଏସ୍ଟି ପରିଷଦ ପେଟ୍ରୋଲ-ଡିଜେଲ୍କୁ ଜିଏସ୍ଟି ପରିସରଭୁକ୍ତ କରାଯିବା ଉପରେ ବିଚାରବିମର୍ଶ କରାଯାଇପାରେ ବୋଲି ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଭାପତି ବିବେକ ଦେବରାୟ ପେଟ୍ରୋଲ-ଡିଜେଲ୍କୁ ଜିଏସଟି ପରିସରଭୁକ୍ତ କରାଯିବା ଉପରେ ସମ୍ଭାବନା ବ୍ୟକ୍ତ କରିଛନ୍ତି । ପ୍ରକାଶ, ଦେଶରେ ଜିଏସ୍ଟି ପ୍ରକ୍ରିୟା ଆରମ୍ଭ ହେବା ପର ଠାରୁ ଆଜି ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଏବଂ ମଦକୁ ଜିଏସ୍ଟି ପରିସରଭୁକ୍ତ କରାଯାଇନାହିଁ । ଏହାର କାରଣ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ନିଜ ରାଜସ୍ୱକୁ ଆସୁଥିବା ଅର୍ଥରେ କୌଣସି ପ୍ରକାର ହ୍ରାସକୁ ଗ୍ରହଣ କରିପାରୁନାହାନ୍ତି । କେବଳ ୨ଠ୨ଠ-୨୧ ଅର୍ଥବର୍ଷରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ପେଟ୍ରୋଲ-ଡିଜେଲରୁ ଟିକସ ଭାବେ ୬ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ପେଟ୍ରୋଲ-ଡିଜେଲ ଜିଏସ୍ଟି ପ୍ରକ୍ରିୟା ପରିସରଭୁକ୍ତ ହେବା ଦ୍ୱାରା ସାମୂହିକ ଭାବେ ବାର୍ଷିକ ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ପ୍ରାୟ ୨ଲକ୍ଷ କୋଟିର କ୍ଷତି ହେବ ବୋଲି ଦର୍ଶାଯାଇଆସୁଛି ।