ଚୀନ୍ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କଲା ଜି-୭
ଜର୍ମାନ୍ (ଏଜେନ୍ସି): ଜି-୭ ଶିଖର ସମ୍ମିଳନୀରେ ଜଳବାୟୁ, ଶକ୍ତି, ସ୍ୱସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ଅସମାନତା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଯାଇଛି । ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଛନ୍ତି । ଏତଦ୍ବ୍ୟତୀତ ଆଇଏମ୍ଏଫ୍, ବିଶ୍ୱବ୍ୟାଙ୍କ୍, ଜାତିସଂଘର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବା ପୂର୍ବକ ନିଜ ମତ ବିନିମୟ କରିଥିଲେ ।
ମୋଦି ନିଜ ସମ୍ବୋଧନରେ ଭାରତ ପକ୍ଷରୁ ବିଶ୍ୱ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବ୍ୟାପକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ବିଶ୍ୱ ଶାନ୍ତି ପରିପ୍ରେକ୍ଷୀରେ ଭାରତର ଆଭିମୁଖ୍ୟକୁ ମୋଦି ବିସ୍ତୃତ ଭାବେ ବିଶ୍ୱ ନେତାମାନଙ୍କ ସମ୍ମୁଖରେ ରଖିଥିଲେ । ମୋଦି ଜି-୭ ସଦସ୍ୟ ରାଷ୍ଟ୍ର ମୁଖ୍ୟଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି । ପ୍ରକାଶ, ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକା ଆଦି ଦେଶ ସଦସ୍ୟ ରାଷ୍ଟ୍ର ଭାବେ ସାମିଲ ରହିଛନ୍ତି । ସମ୍ପ୍ରତି ଜର୍ମାନ ଏବେ ଜି-୭ ଗ୍ରୁପ୍ର ଅଧ୍ୟକ୍ଷ ରାଷ୍ଟ୍ର ରହିଛି । ଏହି ସମ୍ମିଳନୀ ପରିପ୍ରେକ୍ଷୀରେ ଜି-୭ ସଦସ୍ୟ ରାଷ୍ଟ୍ର ସମୁହ ଚୀନ୍ ବିରୋଧୀ ବିଆର୍ଆଇ ପ୍ରକଳ୍ପ ଭଳି କେତେକ ଆଭିମୁଖ୍ୟ ଉପରେ ଆଲୋଚନା କରିଛନ୍ତି । ଚୀନ୍କୁ କଡ଼ା ଟକ୍କର ଦେବାପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସଦସ୍ୟ ରାଷ୍ଟ୍ରମାନେ ସହମତି ପ୍ରକାଶ କରିଛନ୍ତି ।