ରଥ ଯାତ୍ରା ପାଇଁ ୨ଠ୫ ସ୍ୱତନ୍ତ୍ର ଟ୍ରେନ୍
ଭୁବନେଶ୍ୱର (ବୁ୍ୟରୋ): ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା ଅବଧି ସମୟରେ ପୁରୀକୁ ଏବଂ ପୁରୀଠାରୁ ୨୦୫ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । କୋଭିଡ-୧୯ ପ୍ରୋଟୋକଲ ଯୋଗୁଁ ଦୁଇ ବର୍ଷ ହେଲା ତୀର୍ଥଯାତ୍ରୀଙ୍କ ବିନା ରଥ ଯାତ୍ରା ଆୟୋଜିତ ହୋଇଥଲା । ଏଥର କଟକଣା ହଟିଥିବାରୁ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ବୋଲି ରେଳବାଇ ଆକଳନ କରିଛି ।
ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀରୁ ଛାଡୁଥିବା ଅନେକ ସ୍ୱତନ୍ତ୍ର ଟ୍ରେନ୍ରେ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା ରହିବ ।
ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ, ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ସ୍ପେଶାଲ୍, ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର , ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ, ଜଗଦଳପୁର-ପୁରୀ-ଜଗଦଳପୁର, ଭୁବନେଶ୍ୱର-ପୁରୀ- ଭୁବନେଶ୍ୱର ସ୍ପେଶାଲ, ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ଷଟ୍ରାନ ଚଳାଚଳ କରିବ । ଏହା ବ୍ୟତୀତ ଗୁଣ୍ଡି· ଯାତ୍ରା ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନରୁ ୧୦ ଯୋଡି ଟ୍ରେନ୍ (୨୦ ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ । ସାନ୍ଧ୍ୟା ଦର୍ଶନ ପାଇଁ ୭ ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ ୩ ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ ୪ ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ । ସୁନାବେଶ ଦିବସରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ ୧୧ ଯୋଡ଼ା ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ । ସୁନାବେଶ ପରଦିନ ୬ ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ । ଜୁଲାଇ ୨ ରୁ ୭ ଜୁଲାଇ ପର୍ଯ୍ୟନ୍ତ ତିନି ଯୋଡା ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ, ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ ।