ମଧ୍ୟାହ୍ନ ଭୋଜନ ଅର୍ଥ ହରିଲୁଟ୍

ଢେଙ୍କାନାଳ (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଭାପୁରର କଳାଙ୍ଗ ପଞ୍ଚାୟତରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ମଧ୍ୟାହ୍ନ ଭୋଜନ ଅର୍ଥକୁ ହରିଲୁଟ୍ କରିଥିବା ଯୋଗୁଁ ସ୍କୁଲର ଚେୟାରମ୍ୟାନ, କମିଟିର ଚେୟାର ମ୍ୟାନ ଏବଂ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଅଭିଭାବକମାନେ ଅଭିଯୋଗ ଉଠାଇଛନ୍ତି । ଯାହାକୁ ନେଇ ଅଭିଭାବକମାନେ ସୋମବାର ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ପିଲା ପ୍ରତି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଦେୟ ୫ଟଙ୍କା ୪୨ ପଇସା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ୮ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି ।
ଉକ୍ତ ବିଦ୍ୟାଳୟରେ ସମୁଦାୟ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ମଧ୍ୟାହ୍ନ ଭୋଜନ ନିମୟ ଅନୁସାରେ ବର୍ଷକୁ ୨୦୦ଦିନର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ସରକାର ଗାଇଡ୍ ଲାଇନ୍ ତିଆରି କରିଛନ୍ତି । କରୋନା ସମୟରେ ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିବାରୁ ପରମୁହୂର୍ତ୍ତରେ ସରକାର ମଧ୍ୟାହ୍ନ ଭୋଜନ ନିମନ୍ତେ ଥିବା ଅର୍ଥକୁ ପିଲାଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ଏହା ସମ୍ଭବନ ନହେଲେ ଅଭିଭାବକଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ନିୟମ କରାଯାଇଥିଲା । ଏଥିନିମନ୍ତେ ପ୍ରାଥମିକ ଶ୍ରେଣୀର ପିଲାଙ୍କୁ ୨୦୦ ଦିନର ଖାଦ୍ୟ ନିମନ୍ତେ ୧୦୮୪ ଟଙ୍କା ଏବଂ ଉଚ୍ଚ ପ୍ରାଥମିକ ପିଲାଙ୍କୁ ୧୬୨୦ଟଙ୍କା ଦେବାପାଇଁ ନିର୍ଦ୍ଧାରିତ ହୋଇଥିବା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତ ଟଙ୍କା ଉଠାଇ ପ୍ରାଥମିକ ପିଲାଙ୍କୁ ୧୦୦୦ଟଙ୍କା ଏବଂ ଅନ୍ୟ ପିଲାଙ୍କୁ ୧୫୦୦ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ଆତ୍ମସାତ କରିଥିବାର ଅଭିଯୋଗ ଉଠିଛି । ଏହାକୁ ନେଇ ଅଭିଭାବକମାନେ ଭାପୁର ଫାଣ୍ଡିରେ ପ୍ରଧାନ ଶିକ୍ଷକ ଶଙ୍କର୍ଷଣ ପଧାନ, ପରିଚାଳନା କମିଟିର ଚେୟାରମ୍ୟାନ ଅଶୋକ ସାମଲଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏଥିନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *