ଟିମ୍ ଇଣ୍ଡିଆର କ୍ଲିନ୍ସ୍ୱିପ୍ ଲକ୍ଷ୍ୟ
ଦ୍ୱିତୀୟ ଟି-୨ଠ
ନୂଆଦିଲ୍ଲୀ,୨୭ା୬ (ଏଜେନ୍ସି): ଟିମ୍ ଇଣ୍ଡିଆ ଆୟରଲାଣ୍ଡ୍ ବିପକ୍ଷ ସିରିଜ୍ର ପ୍ରଥମ ଟି-୨୦ ମ୍ୟାଚ୍ରେ ଆୟୋଜକକୁ ପରାସ୍ତ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଅଗ୍ରଣୀ ରହିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଆନ୍ତର୍ଜାତିକ ଟି-୨୦ ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍ ମଙ୍ଗଳବାର ମାଲାହାଇଡ୍ କି୍ରକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯିବ । ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବା ବେଳେ ଆୟୋଜକ ଦଳକୁ କ୍ଲିନ୍ସ୍ୱିପ୍ କରି ସିରିଜ୍ ହାତେଇବାକୁ ଚେଷ୍ଟା କରିବ । ସେହିଭଳି ବିପକ୍ଷ ଦଳ ଏହି ମ୍ୟାଚ୍ରେ ବିଜୟ ହାସଲ କରି ସିରିଜ୍ ଡ୍ର’ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।
ଭାରତ ପାଇଁ ପ୍ରଥମ ଟି-୨୦ ମ୍ୟାଚ୍ରେ ହାତ ଗଣତି ଖେଳାଳିଙ୍କୁ ବାଦ୍ ଦେଇ ପ୍ରାୟ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ନଥିଲା । ସେହିଭଳି ଆୟରଲାଣ୍ଡ୍ ଦଳର ହ୍ୟାରୀ ଟେକ୍ଟର ଏବଂ କ୍ରେଗ୍ ୟଙ୍ଗ୍ଙ୍କ ବ୍ୟତୀତ ଅନ୍ୟ ଖେଳାଳି ଫର୍ମ ସନ୍ଧାନ କରୁଥିବା ଭଳି ମନେ ହୋଇଥିଲା । ତେବେ ଭାରତୀୟ ଦଳ ପାଇଁ ଦ୍ୱିତୀୟ ଟି-୨୦ରେ ଯଦି ଋତୁରାଜ ଗାୟକୱାଡ଼ ଫିଟ୍ ରୁହନ୍ତି ତାହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଶ୍ଚୟ ସ୍ଥାନ ଦିଆଯାଇପାରେ । ସେ ଇଶାନ୍ କିଶାନ୍ଙ୍କ ସହ ଇନିଂସ୍ ଆରମ୍ଭ କରିବାର ଦେଖିବାକୁ ମିଳିପାରନ୍ତି । ପ୍ରଥମ ଟି-୨୦ ମ୍ୟାଚ୍ରେ ଗାୟକୱାଡ଼ ଫିଟ୍ ନଥିବାରୁ ଦୀପକ ହୁଡ୍ଡା କିଶନ୍ଙ୍କ ସହ ଓପନିଂ କରିଥିଲେ ।
ଏହା ବ୍ୟତୀତ ତୃତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, ଚତୁର୍ଥରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ପଞ୍ଚମରେ ଦୀପକ ହୁଡ୍ଡା, ଷଷ୍ଠରେ ଦିନେଶ୍ କାର୍ତ୍ତିକ ଖେଳିବା ଏକପ୍ରକାର ଧାର୍ଯ୍ୟ ଭଳି ମନେହେଉଛି । କାର୍ତ୍ତିକ ଦଳରେ ୱିକେଟ୍କିପର୍ଙ୍କ ଭୂମିକା ନିର୍ବାହ କରିବା ସହ ସ୍ପିନ୍ ଅଲ୍ରାଉଣ୍ଡର୍ ଭାବେ ଅକ୍ଷର ପଟେଲ୍ଙ୍କୁ ଦଳରେ ସ୍ଥାନ ଦିଆଯାଇପାରେ । ସେହିଭଳି ବୋଲର୍ଙ୍କ କଥା ଆଲୋଚନା କରାଗଲେ, ଗତ ମ୍ୟାଚ୍ରେ ଭୁବନେଶ୍ୱର କୁମାର ଭଲ ଫର୍ମରେ ରହିଥିଲେ । ଆବେଶ ଖାନ୍ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ।
ଗତ ମ୍ୟାଚ୍ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଯୁବ ବୋଲର୍ ଉମରାନ୍ ମଲିକ ନିଜ ଲକ୍ଷ୍ୟଚୁ୍ୟତ ହୋଇଥିବାର ଦେଖିବାକୁ ମିଳିଥିଲା ସତ, ହେଲେ ଦଳର କର୍ତ୍ତୃପକ୍ଷ ତାଙ୍କୁ ଆଉ ଏକ ସୁଯୋଗ ଦେଇପାରନ୍ତି । ସେହିଭଳି ୩୧ ବର୍ଷୀୟ ଅନୁଭବୀ ସ୍ପିନର୍ ଯୁଜବେନ୍ଦ୍ର ଚହଲ୍ ଅନ୍ତିମ ମ୍ୟାଚ୍ରେ ଖେଳିବା ପକ୍କା ବୋଲି ଧରି ନିଆଯାଇପାରେ । ଅନ୍ୟପକ୍ଷେ ବିପକ୍ଷ ଦଳ ଆୟରଲାଣ୍ଡ୍ରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।