ରୋମ୍ ଛାଡ଼ିଲେ ମୁଖ୍ୟମନ୍ତ୍ରୀ

ଦୁବାଇରେ ୨୯ରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍
ପୁଞ୍ଜିପତିଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଟାଲୀ ଗସ୍ତ କାର୍ଯ୍ୟକ୍ରମ ଶେଷ ହୋଇଛି । ଇଟାଲୀର ରୋମ୍ରେ ୬ ଦିନ ଅବସ୍ଥାନ କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅନେକ କାର୍ଯ୍ୟକ୍ରମ ରହିଥିଲା । ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ୨୨ ତାରିଖରେ ସେ ଖ୍ରୀଷ୍ଟିୟାନ୍ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କୁ ଭାଟିକାନ ସିଟିରେ ଭେଟିଥିଲେ । ସେହିପରି ପ୍ରବାସୀ ଓଡ଼ିଆଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ । ଓଡ଼ିଶାର ବିକାଶରେ ସହଭାଗୀ ହେବାକୁ ୟୁରୋପର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀଙ୍କୁ ଆହ୍ୱାନ କରିଥିଲେ । ଏଥିସହ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁ୍ୟଏଫ୍ପି) ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାର ସଫଳତା ବଖାଣିଥିଲେ । ତେବେ ରୋମ୍ରେ ଥାଇ ବି ମୁଖ୍ୟମନ୍ତ୍ରୀ ଲାପ୍ଟପ୍ରେ ସରକାରୀ କାମ କରୁଥିବା ଫଟୋ ଆସିଥିଲା । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ରୋମ୍ କାର୍ଯ୍ୟକ୍ରମ ସାରି ଏବେ ଦୁବାଇ ଗସ୍ତରେ ଅଛନ୍ତି । ରୋମ୍ ଛାଡ଼ିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡ. ନୀନା ମଲ୍ହୋତ୍ରା ସାକ୍ଷାତ୍ କରିଥିଲେ ।
ଦୁବାଇରେ ମୁଖ୍ୟମନ୍ତ୍ରୀ ୩ଠ ତାରିଖ ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୯ ତାରିଖରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେଇ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି । ୨୯ ତାରିଖ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁବାଇର ବିଜିନେସ୍ ବେ ସ୍ଥିତ ‘ଦି ଓବରୋଇ’ ହୋଟେଲ୍ରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫିକି ସହଯୋଗରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ । ଓଡ଼ିଶାରେ ଖଣି, ପେଟ୍ରୋକେମିକାଲ୍ସ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ଼୍ ପ୍ରୋସେସିଂ, ଟେକ୍ସଟାଇଲ, ପୋର୍ଟ, ବିମାନ ବନ୍ଦର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ବ୍ୟବସାୟିକ ସମ୍ଭାବନାକୁ ନେଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ୍ ଓ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗଦେଇ ୩ଠ ତାରିଖରେ ଦୁବାଇରୁ ଦିଲ୍ଲୀ ଓ ସେହିଦିନ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *