କରୋନା କାଳରେ ବି ଭ୍ରଷ୍ଟାଚାର ଖେଳ
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ କରୋନା ସଂକ୍ରମଣର ୨ୟ ଲହର ସମୟରେ ହୋଇଥିବା ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି । କରୋନାର ୨ୟ ଲହର କାଳରେ ଯେତେବେଳେ ଦେଶବାସୀ ମୃତୁ୍ୟମୁଖରେ ପଡୁଥିଲେ ସେତେବେଳେ ରେମ୍ଡେସିଭିର ଇଞ୍ଜେକ୍ସନ୍ ସଞ୍ଜିବନୀ ଭାବେ ସାମ୍ନାକୁ ଆସିଥିଲା । ରେମ୍ଡେସିଭିର୍ ଇଞ୍ଜେକ୍ସନ୍ କରୋନା ସଂକ୍ରମିତଙ୍କୁ ଆରୋଗ୍ୟ ଲାଭ କରିବା କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଥିଲା । ତେବେ ଦେଶର କିଛି ଭ୍ରଷ୍ଟ ତଥା ଦୁର୍ନୀତି ଖୋର୍ ଅଧିକାରୀ ଏବଂ ଖାମଖିଆଲି ନୀତି ଯୋଗୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ (୨ଠ୨୧ ଜୁନ୍ ୨୧ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ) କରୋନା ସଂକ୍ରମିତଙ୍କୁ ନକଲି ରେମ୍ଡେସିଭିର ଇଞ୍ଜେକ୍ସନ୍ ଦିଆଯାଇଥିବାର ପ୍ରମାଣ ମିଳିଛି । ଭ୍ରଷ୍ଟାଚାର ଏହି ନଗ୍ନ ଖେଳ ସମ୍ପର୍କରେ ସେତେବେଳେ ଜଣାପଡିଲା ଯେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିବେକ ଗୱାରେ ନାମକ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ଏସବୁ ସମ୍ପର୍କରେ ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲା । ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଥିବା କୁହାଯାଉଛି ।
ତଦନ୍ତ ସମୟରେ ୨ଠ୨୧ ଜୁନ୍ରେ ପଞ୍ଜାବ ପୁଲିସ୍ ରୋପଡ ଅଞ୍ଚଳରୁ ବ୍ୟାପକ ପରିମାଣରୁ ନକଲି ରେମ୍ଡେସିଭିର ଇଞ୍ଜେକ୍ସନ୍ ପ୍ୟାକେଟ୍ ଜବତ କରିଥିଲା । ପରେ ଏସବୁ ପ୍ୟାକେଟ୍କୁ କୋଲକତା ସ୍ଥିତ ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ୍)କୁ ଯାଞ୍ଚ୍ ପାଇଁ ପଠାଯାଇଥିଲା । ଏସବୁକୁ ଯାଞ୍ଚ୍ କରାଯିବା ପରେ ଏହା ରେମ୍ଡେସିଭିର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା । ତେବେ ସେତେବେଳେ ଏସମ୍ପର୍କରେ ସିଡିଏଲ କାହାକୁ ସୂଚୀତ କରିନଥିଲା କିମ୍ବା ଯାଞ୍ଚ ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଇନଥିଲା । ବରଂ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏହି ଯାଞ୍ଚ ରିପୋର୍ଟକୁ ସିଡିଏଲ୍ ନିଜ ପାଖରେ ଦବାଇ ରଖିଥିଲା । ଅନ୍ୟପକ୍ଷେ ନଭେମ୍ବର ୨୧ରେ ଏସବୁ ଇଞ୍ଜେକ୍ସନ୍ଗୁଡ଼ିକ ଏକ୍ସପାୟାର ହୋଇଯାଇଥିଲା । ତେବେ ଏକ୍ସପାୟାର ହେବା ପରେ ହିଁ ଏହି ଯାଞ୍ଚ୍ ରିପୋର୍ଟ ଜାରି କରାଯାଇଥିଲା ।
ବାୟୋକେମିଷ୍ଟ୍ରି ବିଭାଗ ପ୍ରମୁଖ, ୨ଠ୨୧, ୭ ସେପ୍ଟେମ୍ବରରୁ ୧୨ ସେପ୍ଟେମ୍ବର ମଧ୍ୟରେ ଏସବୁ ରେମ୍ଡେସିଭିର ସାମ୍ପଲ୍କୁ ପୁନଃ ପରୀକ୍ଷଣ କରାଇଥିଲେ । ଶେଷରେ ୧ଠ ଡିସେମ୍ବରରେ ବାୟୋକେମିଷ୍ଟ୍ରି ମୁଖ୍ୟ ଫାଇନାଲ ରିପୋର୍ଟ ଉପରେ ହସ୍ତାକ୍ଷର କରିଥିଲେ । ପରେ ସାମ୍ପଲ୍ ବିଭାଗ, ୧ଠ ଡ଼ିସେମ୍ବରକୁ ଯାଞ୍ଚ୍ ରିପୋଟ୍ର ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ପଠାଇଥିଲେ । ତେବେ ଏହି ସମୟ ସୁଦ୍ଧା ଏହି ନକଲି ରେମଡେସିଭିର ଇଞ୍ଜେକ୍ସନ୍ର ଏକ୍ସପାୟାରୀ ତାରିଖ (ନଭେମ୍ବର ୨ଠ୨୧) ଶେଷ ହୋଇଯାଇଥିଲା ।
ଏସମ୍ପର୍କରେ ସେଣ୍ଟ୍ରାଲ ଲ୍ୟାବ୍ (ସିଡିଏଲ୍) ନିଦେ୍ର୍ଦଶକ ନିଜ ସମ୍ପର୍କରେ ସଫେଇ ଦେବାକୁ ଯାଇ କହିଛନ୍ତି, ସେମାନେ ଏସବୁ ରେମ୍ଡେସିଭିର ଇଞ୍ଜେକ୍ସନ୍ର ଯାଞ୍ଚ୍ କରିବା ପାଇଁ ସିଡିଏସ୍ସିଓ ସେଣ୍ଟ୍ରାଲ ଡ୍ରଗ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ୍ (ସିଡିଏସ୍ସିଓ)କୁ କହିଥିଲେ କିନ୍ତୁ ସିଡିଏସ୍ସିଓ ଯାଞ୍ଚ୍ କରିନଥିଲା ଏବଂ ମାମଲାକୁ ବନ୍ଦ କରିଦେଇଥିଲା । ତେବେ କେବଳ ସିଡିଏଲ କିମ୍ବା ସିଡିଏସ୍ସିଓ ନୁହଁନ୍ତି ବରଂ ଅନ୍ୟ ଯାଞ୍ଚ ଏଜେନ୍ସିଗୁଡ଼ିକ ମଧ୍ୟ ନିଜ କାମରେ ଖିଲାପୀ କରିଥିବା ତଦନ୍ତ ସମୟରେ ଜାଣିବାକୁ ମିଳିଛି । ଫାର୍ମାସୁ୍ୟଟିକାଲ୍ସ କେମିଷ୍ଟି୍ର ଡିପାର୍ଟମେଣ୍ଟ (ପିସିଡ଼ି), ସେଣ୍ଟ୍ରାଲ ଇନ୍ଷ୍ଟି୍ରମେଣ୍ଟେସନ୍ ରୁମ୍ ଡିପାର୍ଟମେଣ୍ଟ (ସିଆଇଆର୍ଡି), ଅଲ୍ଟ୍ରା ପରଫରମାନ୍ସ ଲିକ୍ୱିଡ୍ କ୍ରୋମେଟୋଗ୍ରାଫି (ୟୁପିଏଲ୍ସି) ଆଦି ଯାଞ୍ଚ୍ ଏଜେନ୍ସି ନିଜ କାମ ଠିକ୍ ଭାବେ କରିନଥିବା ଏବଂ ଜାଣିଶୁଣି ମାସ ମାସ ଧରି ନିଜ ପାଖରେ ସାମ୍ପଲ ଟେଷ୍ଟ ରିପୋର୍ଟକୁ ଦବାଇ ରଖି ସେସବୁ ଏକ୍ସପାୟାରୀ ହେବା ପରେ ହିଁ ନିଜ ନିଜ ରିପୋର୍ଟ ଜାରି କରିଥିବା ଜାଣିବାକୁ ମିଳିଛି ।