ଡ୍ରାଗନ୍ ଫାର୍ମା କମ୍ପାନୀଙ୍କ ଟାର୍ଗେଟ୍ରେ ଭାରତ
ଚୀନ୍ କେମିକାଲ୍ ନିଶା ସାମଗ୍ରୀର ଫ୍ୟାକ୍ଟି୍ର, ମେକ୍ସିକୋ ସେଲ୍ସମ୍ୟାନ୍
ନୂଆଦିଲ୍ଲୀ (ଏଜେନ୍ସି): ନିଶା ଅପବ୍ୟବହାର ଏବଂ ବେଆଇନ୍ କାରବାର ବିରୋଧରେ ପ୍ରତ୍ୟେକ ବର୍ଷ ଜୁନ୍ ୨୬, ଅନ୍ତର୍ଜାତୀୟ ଦିବସ ରୂପେ ପାଳିତ ହୋଇଆସୁଛି । ଚଳିତ ବର୍ଷ ମଧ୍ୟ ଏହି ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇଛି । ତେବେ ଏହି ପରିପ୍ରେକ୍ଷୀରେ ଭାରତ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ।
ମେଡିସିନ୍ ନିର୍ମାଣ କ୍ଷେତ୍ରରେ ଚୀନ୍ ସମଗ୍ର ବିଶ୍ୱରେ ୨ୟ ସ୍ଥାନରେ ରହିଛି । ଏଠାରେ ୫ଠଠଠ ବଡ଼ ମେଡିସିନ୍ କମ୍ପାନୀ ରହିଥିବା ବେଳେ ୪ ଲକ୍ଷରୁ ଅଧିକ ମଧ୍ୟମ ତଥା କ୍ଷୁଦ୍ର ମେଡିସିନ୍ ଫାର୍ମା କମ୍ପାନୀ ରହିଛନ୍ତି । କରୋନା ପୂର୍ବରୁ ଚୀନ୍ରୁ ଫାଣ୍ଟାନିଲ୍ ଭଳି ଏକ ନିଶା ଔଷଧକୁ ସିଧାସଳଖ ଆମେରିକା ବଜାରରେ ବିକ୍ରି ପାଇଁ ପଠାଯାଉଥିଲା । ଏସମ୍ପର୍କରେ ଆମେରିକା ଜାଣିବା ପରେ ଚୀନ୍ର ଏହି ଔଷଧ ଉପରେ ବାରଣ ଲଗାଇଥିଲା । ସେତେବେଳେ ଚୀନ୍ର ଏହି କମ୍ପାନୀଗୁଡ଼ିକ ଆମେରିକା ବଦଳରେ ମେକ୍ସିକୋ ପଠାଇବା ଆରମ୍ଭ କରିଦେଇଛନ୍ତି । ମେକ୍ସିକୋରେ ଚୀନ୍ ପାଇଁ ସିନାଓଲା ସବୁଠୁ ବଡ଼ କାର୍ଟେଲ ସାଜିଥିବା ଜାଣିବାକୁ ମିଳିଛି । ସିନାଓଲା, ଲାଟିନ୍ ଆମେରିକାରୁ ଜଙ୍ଗଲ ଏବଂ ସମୁଦ୍ର ପଥରେ ଯା’ଆସ କରୁୂଥିବା ସାମଗ୍ରୀଗୁଡ଼ିକୁ ଲୁଟ୍ କରିବା ସହ ଚୀନ୍କୁ ପଠାଇଥାଏ ଏବଂ ବଦଳରେ ଚୀନ୍ ଠାରୁ ସିନ୍ଥେଟିକ୍ ଡ୍ରଗ୍ସର ରସାୟନ ସାମଗ୍ରୀ ଆମଦାନୀ କରିଥାଏ । ତେବେ ଚୀନ୍ର ଏହି ମେଡିସିନ୍ କମ୍ପାନୀଙ୍କ ନଜର ଏବେ ଭାରତ ଉପରେ ପଡ଼ିଛି । ତେବେ ଭାରତ ଉପରେ ଏମାନେ ନଜର ପକାଇବାର କେତେକ କାରଣ ମଧ୍ୟ ରହିଛି ।
ଭାରତରେ ଫାର୍ମା ଇଣ୍ଡଷ୍ଟ୍ରୀ ବେଶ୍ ବୃହତ୍ ରହିଥିବା ବେଳେ ସିନ୍ଥେଟିକ୍ ଡ୍ରଗ୍ସ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ହେଉଥିବା ରସାୟନ ସାମଗ୍ରୀ ଭାରତରେ ସହଜରେ ଉପଲବ୍ଧ ହୋଇପାରୁଛି । ଏହାକୁ ଦୃଷ୍ଟିରେ ରଖି ଚୀନ୍ର ଏହି ମେଡିସିନ୍ କମ୍ପାନୀଗୁଡ଼ିକ ଭାରତରେ ନିଜ ନିଶା ସାମ୍ରାଜ୍ୟକୁ ବିସ୍ତାର କରିବା ପାଇଁ ଲାଳାୟିତ ହୋଇଉଠିଛନ୍ତି । ଏତଦ୍ବ୍ୟତୀତ ଭାରତରେ ନିଶାଖୋର ବ୍ୟକ୍ତିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଯୁବଗୋଷ୍ଠୀ ଏବେ ଖୁବ୍ ସହଜରେ ନିଶାଦ୍ରବ୍ୟ ସଂସ୍ପର୍ଶରେ ଆସିଯାଉଥିବାରୁ ଚୀନ୍ ଏବଂ ମେକ୍ସିକାନ୍ କାର୍ଟେଲଙ୍କ ପାଇଁ ଏହି ନିଶା ଔଷଧ ବ୍ୟବସାୟ କରିବାକୁ ଭାରତ ଏବେ ଏକ ଭଲ ମାର୍କେଟ୍ ଭାବେ ଉଭା ହୋଇଛି । ଏସବୁ ପରେ ଟାବ୍ଲେଟ୍ ଏବଂ କ୍ୟାପ୍ସୁଲ ପ୍ରସ୍ତୁତ କରୁଥିବା ମେସିନ୍ଗୁଡ଼ିକୁ ଭାରତରେ ଆଇନଗତ ଭାବେ ପଞ୍ଜିକୃତ କରିବାର କୌଣସି ଆବଶ୍ୟକତା ନଥିବା ବେଳେ ଏହା ମଧ୍ୟ ସେମାନଙ୍କୁ (ଚୀନ୍ ମେଡିସିନ୍ କମ୍ପାନୀ) ଏକ ପରିବେଶ ଅନୁକୂଳ ସୁଯୋଗ ଦେଇଛି । ଅନ୍ୟପକ୍ଷେ ରୁଷ-ୟୁକ୍ରେନ୍ ଯୁଦ୍ଧ କାରଣରୁ ଭାରତର ମେଡିସିନ୍ ରପ୍ତାନୀ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ଏହାର ସୁଯୋଗ ଉଠାଇବାରେ ଲାଗିଛନ୍ତି ଡ୍ରଗ୍ କାର୍ଟେଲଗୁଡ଼ିକ ।
ପ୍ରକାଶ, ସମଗ୍ର ବିଶ୍ୱରେ ନିଶା ସାମଗ୍ରୀର ଅବାଧ କାରବାର ୫ଠ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଏ । ଥଣ୍ଡା, ଜ୍ୱର ପାଇଁ ବ୍ୟବହାର ହେଉଥିବା ସାମାନ୍ୟ ମେଡିସିନ୍ରୁ ରାସାୟନିକ ସାମଗ୍ରୀରୁ କୋକିନ୍ ତଥା ହେରୋଇନ୍ ଠାରୁ ମଧ୍ୟ ଅଧିକ କ୍ଷତିକାରକ କିନ୍ତୁ ଶସ୍ତା ନିଶା ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଏସବୁକୁ ସିନ୍ଥେଟିକ୍ ଡ୍ରଗ୍ସ ବୋଲି କୁହାଯାଏ । ଏସବୁକୁ ପ୍ରସ୍ତୁତ କରିବା ପାଇଁ ବଡ ବଡ଼ ଜମିରେ ଚାଷ କରିବାର ଝିଞ୍ଜଟ ମଧ୍ୟ ନାହିଁ, ଛୋଟ ଛୋଟ ଲ୍ୟାବ୍ରେ ହିଁ ଏସବୁକୁ ପ୍ରସ୍ତୁତ କରିନିଆଯାଇଥାଏ । ଅପରପକ୍ଷେ ସିନ୍ଥେଟିକ୍ ଡ୍ରଗ୍ସର ବହୁଳ ବ୍ୟବହାର କୋଭିଡ୍ ସଂକ୍ରମଣ ପୂର୍ବରୁ (ଦଶନ୍ଧି ଦଶନ୍ଧି ପୂର୍ବରୁ) ମଧ୍ୟ ଭାରତରେ ରହିଥିଲା । ପଞ୍ଜାବ, ହିମାଚଳ ପର୍ଯ୍ୟନ୍ତ ଏସବୁ ସିନ୍ଥେଟିକ୍ ଡ୍ରଗ୍ସ (ନିଶା ସାମଗ୍ରୀ) ଅତି ସହଜରେ ପହଞ୍ଚôପାରୁଛି । କରୋନା ସଂକ୍ରମଣଜନିତ ଲକ୍ଡାଉନ୍ ସମୟରେ ମଧ୍ୟ ଏହାର କଳାବଜାରୀ ଅବାଧରେ ଜାରି ରହିଥିଲା । ତେବେ ଲକ୍ଡାଉନ୍ ପରେ ଏହି ନିଶା ସାମଗ୍ରୀଗୁଡ଼ିକୁ ବଜାର ପର୍ଯ୍ୟନ୍ତ ଉପଲବ୍ଧ କରାଇବା ପାଇଁ ନିଶା ମାଫିଆଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିଥିଲା । ଅର୍ଥାତ୍ କରୋନା କାଳରେ କିଛି ମାତ୍ରାରେ ନିଶା କାରବାର ପ୍ରଭାବିତ ହୋଇଥିଲା । ସୂଚନାଯୋଗ୍ୟ, ପାରମ୍ପରିକ ଡ୍ରଗ୍ସ ଯେପରି କୋକିନ୍, ହେରୋଇନ୍, ଚରସ୍ ଆଦି କୋକୋ, ଅଫିମ, ଗଞ୍ଜେଇର ଚାଷ ଉପରେ ନିର୍ଭର କରିଥାଏ । ଏସବୁକୁ ଲୁଚାଛପାରେ ଚାଷ କରାଯାଇପାରିବ ନାହିଁ । ସିନ୍ଥେଟିକ୍ ଡ୍ରଗ୍ସ ସେହିସବୁ ରସାୟନ ସାମଗ୍ରୀରୁ ପ୍ରସ୍ତୁତ ହୋଇଥାଏ ଯାହାକୁ ମେଡିସିନ୍ କମ୍ପାନୀଗୁଡ଼ିକ ନିର୍ଦ୍ଧାରିତ ମେଡିସିନ୍ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରିଥାନ୍ତି । ଅର୍ଥାତ୍ ସିନ୍ଥେଟିକ୍ ଡ୍ରଗ୍ସ ଉପରେ ଲଗାମ ଲଗାଇବାକୁ ଚେଷ୍ଟା କରାଗଲେ ଫାର୍ମା କମ୍ପାନୀଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।