ଏମ୍ପିକୁ ପ୍ରଥମ ରଣଜୀ ମୁକୁଟ
ଫାଇନାଲ୍ରେ ୬ ୱିକେଟ୍ରେ ହାରିଲା ମୁମ୍ବାଇ
ବେଙ୍ଗାଲୁରୁ, ୨୬ା୬ (ଏଜେନ୍ସି): ଭାରତର ସବୁଠାରୁ ବଡ଼ ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ରବିବାର ମିଳିଛି ନୂଆ ଚାମ୍ପିଅନ୍ । ଫାଇନାଲ୍ ମୁକାବିଲାରେ ମଧ୍ୟ ପ୍ରଦେଶ ୪୧ ଥର ଚାମ୍ପିଅନ୍ ମୁମ୍ବାଇକୁ ୬ ୱିକେଟ୍ରେ ହରାଇ ପ୍ରଥମ ଥର ମୁକୁଟ ହାସଲ କରିଛି ।
ଗତ କିଛି ବର୍ଷ ହେଲା ଦେଶରେ ଗୋଟିଏ ପରେ ଗୋଟିଏ ନୂଆ ଶକ୍ତିଶାଳୀ ଟିମ୍ର ଅଭୁ୍ୟଦୟ ହୋଇଛି । ୨୦୧୪-୧୫ ଠାରୁ ଏ ଯାବତ୍ ଆଠ ସିଜନ୍ରେ ଛଅ ଭିନ୍ନ ଭିନ୍ନ ଟିମ୍ ମୁକୁଟ ଜିତିଛନ୍ତି । ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଏହି ବିଜୟ ପାଇଁ ଟିମ୍କୁ ଦୁଇ କୋଟି ଟଙ୍କା ପୁରସ୍କାର ଦେଇଛି ।
ମ୍ୟାଚ୍ର ଶେଷ ଦିନ ମୁମ୍ବାଇ ଦ୍ୱିତୀୟ ଇନିଂସ୍ରେ ୨୬୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହା ଫଳରେ ମଧ୍ୟପ୍ରଦେଶକୁ ୧୦୮ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା, ଯାହାକୁ ଟିମ୍ ୪ ୱିକେଟ୍ ହରାଇ ହାସଲ କରିଥିଲା । ପ୍ରଥମ ଇନିଂସ୍ରେ ମୁମ୍ବାଇ ୩୭୪ ରନ୍ କରିଥିବା ବେଳେ ଜବାବରେ ମଧ୍ୟପ୍ରଦେଶ ୫୩୬ ରନ୍ କରି ୧୬୨ ରନ୍ରେ ଅଗ୍ରଣୀ ହାସଲ କରିଥିଲା । ମଧ୍ୟପ୍ରଦେଶର ଶୁଭମ ଶର୍ମା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିଜନ୍ରେ ସର୍ବାଧିକ ୯୮୨ ରନ୍ କରିଥିବା ମୁମ୍ବାଇର ସରଫରାଜ ଖାଁ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଥିଲେ ।
ମୁମ୍ବାଇ ଟିମ୍ ରବିବାର ୧୧୩/୨ ସ୍କୋର୍ରୁ ଅସମାପ୍ତ ଦ୍ୱିତୀୟ ଇନିଂସ୍ ବ୍ୟାଟିଂ ଆରମ୍ଭ କରିଥିଲା । ପୂର୍ବଦିନ କ୍ରିଜ୍ରେ ଥିବା ଅରମାନ ଜାଫର ୩୭ ଓ ସୁଭେଦ ପାଟକର ୫୧ ରନ୍ର ଇନିଂସ୍ ଖେଳିଥିଲେ । ପୂର୍ବ ଇନିଂସ୍ରେ ଶତକ ଲଗାଇଥିବା ସରଫରାଜ ଖାଁ ୪୫ ରନ୍ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶାମ୍ସ ମୁଲାନୀ ୧୭, ମୋହିତ ଅବସ୍ତି ୧୫, ତନୁଶ କୋଟିଆନ୍ ୧୧, ତୁଷାର ଦେଶପାଣ୍ଡେ ୭, ଯଶସ୍ୱୀ ଜୟସ୍ୱାଲ ୧ ରନ୍ କରିଥିଲେ । ବିପକ୍ଷ ବୋଲର୍ କୁମାର କାର୍ତ୍ତିକେୟ ସର୍ବାଧିକ ୪ଟି ଏବଂ ଗୌରବ ଯାଦବ ଓ ପାର୍ଥ ସାହାଣୀ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଜବାବରେ ମଧ୍ୟପ୍ରଦେଶ ୪ ୱିକେଟ୍ ହରାଇ ଆବଶ୍ୟକ ୧୦୮ ରନ୍ କରିଥିଲା । ହିମାଂଶୁ ମନ୍ତ୍ରୀ ୩୭, ଶୁଭମ୍ ଶର୍ମା ୩୦, ପାର୍ଥ ସାହାଣୀ ୫ ଓ ଯଶ ଦୁବେ ୧ ରନ୍ କରି ଆଉଟ୍ ହୋଇଥିଲେ । ରଜତ ପଟିଦାର ୩୦ ଓ ଅଧିନାୟକ ଆଦିତ୍ୟ ଶ୍ରୀବାସ୍ତବ ୧ ରନ୍ କରି ଅପରାଜିତ ଥିଲେ । ବିପକ୍ଷ ବୋଲର୍ ଶାମ୍ସ ୩ଟି ଓ ଧବଲ କୁଲକର୍ଣ୍ଣି ଗୋଟିଏ ୱିକେଟ୍ ନେଇଥିଲେ ।