୨ଠ୨୫ ସୁଦ୍ଧା ରାଜ୍ୟକୁ ଶିଶୁଶ୍ରମିକ ମୁକ୍ତ କରାଯିବ
ପୁରୀ (ବୁ୍ୟରୋ): ୨ଠ୨୫ ସୁଦ୍ଧା ରାଜ୍ୟକୁ ଶିଶୁଶ୍ରମିକ ମୁକ୍ତ କରାଯିବାକୁ ଆୟୋଗ ପଦକ୍ଷେପ ନେଇଛନ୍ତି । ତେଣୁ ପ୍ରତିଟି ପିଲାଙ୍କ ସୁରକ୍ଷା ପାଇଁ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଅନୁରୋଧ କରିଛନ୍ତି । ରବିବାର ଅପରାହ୍ଣରେ ସର୍କିଟ୍ ହାଉସ୍ ଠାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶିଶୁ ବନ୍ଧୁ ରଥଯାତ୍ରା ଭାବେ କାର୍ଯ୍ୟ କରିବା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ସୁଶ୍ରୀ ପ୍ରଧାନ ଶିଶୁମାନଙ୍କ ସୁରକ୍ଷିତ ଭବିଷ୍ୟତ, ଶିକ୍ଷା ଅଧିକାର, ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ ଗଠନ ପାଇଁ ଆୟୋଗ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ।
ବର୍ତ୍ତମାନ ଗଞ୍ଜାମ, ସୋନପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି । ଜିଲ୍ଲାସ୍ତରରେ ଗଠିତ ଶିଶୁ ସୁରକ୍ଷା କମିଟି ନିୟମିତ ବସିବା, ଟାସ୍କଫୋର୍ସ ଗୁଡ଼ିକ ସଶକ୍ତ ଓ ନିରନ୍ତର ଅନୁଧ୍ୟାନ କରିବା, ବିଦ୍ୟାଳୟରେ ଡ୍ରପ୍ ଆଉଟ୍ ସଂଖ୍ୟାକୁ ଶୂନ୍ୟ କରିବା, ଶିଶୁକୁ ହିଂସା ଓ ଶୋଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ । ରଥଯାତ୍ରା ସମୟରେ ଯେପରି ପିଲାମାନେ ସୁରକ୍ଷିତ ଓ ସୁବିଧାରେ ଦର୍ଶନ ଓ ଯାତ୍ରାକୁ ଉପଭୋଗ କରିପାରିବେ, ଶିଶୁ ଚାଲାଣକୁ ପ୍ରତିହତ କରିବା, ଯଦି କେହି ପିଲା ପରିବାର ଠାରୁ ଅଲଗା ହୁଅନ୍ତି ତେବେ ତାହାର ଉଦ୍ଧାର ପାଇଁ ପଦକ୍ଷେପ ନେବାକୁ ୨୫ ଜଣ ସ୍ୱେଚ୍ଛାସେବୀ ନିୟୋଜନ ବ୍ୟବସ୍ଥା ହୋଇଛି ବୋଲି ସେ କହିବା ସହ ଶିଶୁମାନଙ୍କର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏଥିରେ ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀ, ଶିଶୁ କଲ୍ୟାଣ କମିଟିର ସଦସ୍ୟ ରମା ଶଙ୍କର ପାତ୍ର, ଶକ୍ତିପାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପୂର୍ବରୁ ଅଧ୍ୟକ୍ଷା ସୁଶ୍ରୀ ପ୍ରଧାନ ଉକ୍ରଳ ବାଳାଶ୍ରମ ପରିଦର୍ଶନ ସହ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ । ଭୋଳାନାଥ ସ୍କୁଲ୍ରେ ସଚେତନତା ଷ୍ଟଲ୍ ଖୋଲାଯିବ । ସେଥିରେ ଶିଶୁ ସୁରକ୍ଷା ଉପରେ ଆଲୋଚନା ଏବଂ ସଚେତନତା କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଥିଲା ।