ତିସ୍ତା ସୀତଲୱାଡ଼ ମୁମ୍ବାଇରୁ ଗିରଫ
ମୁମ୍ବାଇ,୨୫ ।୬: ୨୦୦୨ ଦଙ୍ଗା ମାମଲାରେ ଗୁଜରାଟ ଏଟିଏସ୍ ବହୁ ଚର୍ଚ୍ଚିତ ଆକ୍ଟିଭିଷ୍ଟ୍ ତୀସ୍ତା ସିତଲୱାଡ ଓ ଗୁଜରାଟର ପୂର୍ବତନ ଡିଜିପି ଆରବୀ ଶ୍ରୀକୁମାରଙ୍କୁ ଶନିବାର ମୁମ୍ବାଇରୁ ଗିଫର କରି ଅହମଦାବାଦ ନେଇଯାଇଛି । ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ତୀସ୍ତା, ପୂର୍ବତନ ଆଇପିଏସ୍ ଅଫିସର ସଞ୍ଜୀବ ଭଟ୍ଟ ଓ ଶ୍ରୀକୁମାରଙ୍କ ବିରୋଧରେ ନକଲି ଦସ୍ତାବିଜ୍ ମାଧ୍ୟମରେ ଷଡ୍ୟନ୍ତ୍ର ରଚିବା ମାମଲା ରୁଜୁ କରିଛି । ଭଟ୍ଟ ପୂର୍ବରୁ ଜେଲ୍ରେ ଅଛନ୍ତି, ଏବେ ତୀସ୍ତା ଓ ଶ୍ରୀକୁମାରଙ୍କୁ ଗିରଫ କରାଗଲା । ତୀସ୍ତାଙ୍କ ନାମରେ ଶନିବାରହିଁ ଏତଲା ରୁଜୁ ହୋଇଛି ।
୨୦୦୨ ଦଙ୍ଗା ମାମଲାରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିବା ଏସ୍ଆଇଟି ରିପୋର୍ଟ ବିରୋଧରେ ସୁପ୍ରିମ୍ କୋର୍ଟରେ ଯେଉଁ ପିଟିସନ୍ ଦାଖଲ ହୋଇଥିଲା, ତାହା ଶୁକ୍ରବାର ଖାରଜ ହୋଇଥିଲା । ଦଙ୍ଗାରେ ନିହତ ଏହସାନ୍ ଜାଫରୀଙ୍କ ପତ୍ନୀ ଜକିୟା ଜାଫରୀଙ୍କ ପକ୍ଷରୁ ତୀସ୍ତା ସିତଲୱାଡ ପିଟିସନ୍ ଦେଇଥିଲେ । ପିଟିସନ୍ରେ ମେରିଟ୍ ନାହିଁ ବୋଲି କହିବା ସହ ସୁପ୍ରିମ୍ କୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ, ତୀସ୍ତାଙ୍କ ଭୂମିକାର ତଦନ୍ତ ହେବା ଉଚିତ । ଶୁକ୍ରବାର ସର୍ବୋଚ୍ଚ ଅଦାଲତ ଏହି ରାୟ ଦେବା ଏବଂ ତୀସ୍ତାଙ୍କ ଏନ୍ଜିଓ ସିଟିଜନ୍ ଫର୍ ଜଷ୍ଟିସ୍ ଆଣ୍ଡ ପିସ୍ (ସିଜେପି) ଦଙ୍ଗା ସମ୍ପର୍କରେ ଭିତ୍ତିହୀନ ବିବରଣୀ ଦେଇଥିଲେ ବୋଲି ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଗୁଜରାଟ ପୁଲିସ ତୀସ୍ତାଙ୍କୁ ଗିରଫ କରିଛି ।
ଗୁଜରାଟ ଦଙ୍ଗାରେ ମୋଦିଙ୍କୁ ବଦନାମ କରିବା ପାଇଁ ତୀସ୍ତାଙ୍କୁ ଦେଶ-ବିଦେଶରୁ କୋଟି କୋଟି ଟଙ୍କା ମିଳିଥିଲା । ଏକଥା କୋର୍ଟରେ ସତ୍ୟପାଠ ପୂର୍ବକ କହିଥିଲେ ତୀସ୍ତାଙ୍କ ପୂର୍ବତନ ସହଯୋଗୀ ରଈସ ଖାନ୍ । ଗୁଜରାଟ ଦଙ୍ଗା ପୂର୍ବରୁ ତୀସ୍ତା ଓ ତାଙ୍କ ସ୍ୱାମୀ ଜାଭେଦ ଆନନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ନ ଥିଲା । ଦଙ୍ଗା ପରେ ୨୦୦୨ରୁ ୨୦୧୩ ମେ’ ଭିତରେ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ଜମା ହୋଇଥିଲା । କୋଏତ୍, ଆମେରିକା ଓ ନିଦରଲାଣ୍ଡରୁ ଆସିଥିଲା ଏହି ଅର୍ଥ । ଅଭିଯୋଗ ହୋଇଛି ଯେ, ଦଙ୍ଗା ପୀଡ଼ିତଙ୍କ ପାଇଁ ଅଦାଲତରେ ଲଢ଼ିବା ଲାଗି ତୀସ୍ତା ପାଣ୍ଠି ସଂଗ୍ରହ ଅଭିଯାନ ଚଳାଇଥିଲେ । ଦାନ ମାଧ୍ୟମରେ ଆସିଥିବା ଅର୍ଥରୁ ପ୍ରାୟ ୭ କୋଟି ଟଙ୍କା ସେ ଓ ତାଙ୍କ ସ୍ୱାମୀ ଆତ୍ମସାତ୍ କରିଛନ୍ତି ।