ଦ୍ରୌପଦୀଙ୍କୁ ସମର୍ଥନ ଦେବୁ

ରାଷ୍ଟ୍ରପତି ନିର୍ବାଚନ: ମାୟାବତୀଙ୍କ ଘୋଷଣା
ଲକ୍ଷ୍ନୌ (ଏଜେନ୍ସି): ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକଜୁଟ୍ ହୋଇଥିବା ବିରୋଧୀ ମଞ୍ଚକୁ ମିଳିଛି ଶକ୍ତ ଧକ୍କା । ମଞ୍ଚରୁ ଆଶ୍ଚର୍ଯ୍ୟଜନକ ଭାବେ ବାହାରି ଆସିଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍ପି) ମୁଖ୍ୟ ମାୟାବତୀ । ଶୁକ୍ରବାର ପର୍ଯ୍ୟନ୍ତ ବିରୋଧୀଙ୍କ ପକ୍ଷରୁ ଯେଉଁ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି (ଯଶବନ୍ତ ସିହ୍ନା) ପ୍ରାର୍ଥୀ କରାଯିବ, ସେ ଏବଂ ତାଙ୍କ ଦଳ ସେହି ବ୍ୟକ୍ତିଙ୍କୁ ସମର୍ଥନ ଦେବେ ବୋଲି କହୁଥିବା ମାୟାବତୀ ଶନିବାର ଦିନ ହଠାତ୍ ନିଜ ଆଭିମୂଖ୍ୟ ହିଁ ପରିବର୍ତ୍ତନ କରିଦେଇଛନ୍ତି । ବିଏସ୍ପି ସୁପ୍ରିମୋ ମାୟାବତୀ, ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି ।
ଲକ୍ଷ୍ନୌ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏହି ଆନେ୍ଦାଳନର ଏକ ବିଶେଷ ଅଂଶ ଭାବରେ ବିଚାର କରି ରାଷ୍ଟ୍ରପତି ପଦ ପାଇଁ ସେ ଏବଂ ତାଙ୍କ ଦଳ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଏସ୍ପିର ଏହି ନିଷ୍ପତ୍ତି ବିଜେପି ଏବଂ ଏନ୍ଡିଏ ସପକ୍ଷରେ କିମ୍ବା ବିରୋଧୀ ଦଳ ବିପକ୍ଷରେ ବୋଲି ବିବେଚନା କରାଯିବା ଉଚିତ୍ ନୁହେଁ । ଏହା କେବଳ ଏକ ବିଚାରଧାରାର ତାରତମ୍ୟ ହୋଇପାରେ । ବିଏସ୍ପି ସଦାସର୍ବଦା ଦଳିତ, ନିଷ୍ପେସିତ, ଅବହେଳିତ, ଆଦିବାସୀଙ୍କ ଅଧିକାର ପାଇଁ ଲଢ଼େଇ କରିଆସିଛି । ତେବେ ଯଦି କୌଣସି ଦଳ ଏପରି ଜାତି କିମ୍ବା ଶ୍ରେଣୀର ଲୋକଙ୍କ ସପକ୍ଷରେ ନିଷ୍ପତ୍ତି ନିଅନ୍ତି, ତେବେ ଫଳାଫଳକୁ ଖାତିର ନକରି ବିଏସ୍ପି ନିଶ୍ଚିତ ସମର୍ଥନ ଦେବ ବୋଲି ମାୟାବତୀ କହିଛନ୍ତି । ସୁତରାଂ ଏବେ ଯେତେବେଳେ ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ଦୌଡ଼ରେ ଅଛନ୍ତି ସେତେବେଳେ ବିଏସ୍ପି ତାଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ଉଚିତ୍ ମଣୁଛି । ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ସମସ୍ତେ ସ୍ୱାଗତ କରିବା ଉଚିତ୍ । ଏହି ଅବସରରେ ସେ ବିରୋଧୀ ଦଳକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି । ରାଷ୍ଟ୍ରପତି ପ୍ରାର୍ଥୀ ସମ୍ପର୍କରେ ବିରୋଧୀ ବିଏସ୍ପି ସହ କେହି ପରାମର୍ଶ କରିନଥିବା ବିଏସ୍ପି ସୁପ୍ରିମୋ ଅଭିଯୋଗ କରିଛନ୍ତି ।
ପ୍ରକାଶ, ଅଣବିଜେପି ସମର୍ଥôତ ଦଳ ଭାବେ ଓଡ଼ିଶାର ବିଜେଡ଼ି, ଆନ୍ଧ୍ରପ୍ରଦେଶର ୱାଇଏସ୍ଆର୍ କଂଗ୍ରେସ ଏବଂ ଏବେ ବିଏସ୍ପି, ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିସାରିଛନ୍ତି । ତଥାପି ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, କଂଗ୍ରେସ, ଆରଜେଡି ସମେତ ଅନେକ ଦଳ ବିରୋଧୀ ମଞ୍ଚ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି । ସୂଚନାଯୋଗ୍ୟ, ବିଏସ୍ପିର ଲୋକସଭା ଓ ରାଜ୍ୟସଭାରେ ମୋଟ୍ ୧୩ ଜଣ ସାଂସଦ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଜୁଲାଇ ୪ରେ ଶେଷ ହୋଇଯିବ । ଅର୍ଥାତ୍ ରାଷ୍ଟ୍ରପତି ନିର୍ବାଚନର ୧୪ ଦିନ ପୂର୍ବରୁ ହିଁ ବିଏସ୍ପିର ଏହି ଦୁଇ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ । ଏତଦ୍ବ୍ୟତୀତ ଉତ୍ତରପ୍ରଦେଶ ବିଧାନସଭାରେ ଦଳର ମାତ୍ର ଜଣେ ବିଧାୟକ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *