ଚାଷୀଙ୍କ ଦୁଃଖ ବୈତରଣୀ-ଗେଙ୍ଗୁଟି ନଦୀର ଏସ୍କେପ

ଧାମନଗର (ଆପ୍ର): ଧାମନଗର ବ୍ଲକ୍ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଭାବେ ପରିଚିତ । ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ହେଲେ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ପ୍ରତିବର୍ଷ ବୈତରଣୀ ସମେତ କୋଚିଳା ଓ ଗେଙ୍ଗୁଟୀ ନଦୀରେ ବନ୍ୟା ଆସି ଧାମନଗର ଅଞ୍ଚଳରେ ବ୍ୟାପକ କ୍ଷୟ କରିଥାଏ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଶେଷକରି ଧାମନଗର ଅଂଞ୍ଚଳରେ ବନ୍ୟା ନିୟନ୍ତ୍ରଣରେ ମୁଖ୍ୟ ବାଧକ ସାଜିଛି ବୈତରଣୀ ନଦୀର ୨ଟି ଓ ଗେଙ୍ଗୁଟି ନଦୀର ୩ଟି ଏସ୍କେପ । ଏହି ୫ ଏସ୍କେପରୁ ବନ୍ୟାଜଳ ବାହାରି ଧାମନଗର ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରେ । ଏହିସବୁ ଏସ୍କେପରୁ ବନ୍ୟାଜଳ ବାହାରି ୨୫ ପଞ୍ଚାୟତର ପ୍ରାୟ ୨୦ହଜାର ହେକ୍ଟର ଚାଷଜମି ନଷ୍ଟ ହେବା ସହିତ ଘରଦ୍ୱାର ଓ ଧନ ଜୀବନ କ୍ଷତି ହୋଇଥାଏ ।
ଧାମନଗର ଉପଜଳସେଚନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଯାଜପୁରରେ ରହିଥିବା ବେଳେ ଲୋକଦେଖାଣିଆ ଆଖୁଆପଦାରେ ଏହି କାର୍ଯ୍ୟାଳୟ କରାଯାଇଥିଲେ ମଧ୍ୟ ଅଫିସର୍ମାନେ ଯାଜପୁରରେ ଅଫିସ୍ କରୁଛନ୍ତି । ତେଣୁ ଭଦ୍ରକ ଜିଲ୍ଲାକୁ ଯାଜପୁର ଜଳସେଚନ ବିଭାଗ ବାରମ୍ବାର ଅଣଦେଖା କରି ଚାଲିଛି । ବହୁ ବର୍ଷ ହେବ ଯାଜପୁର ପଟର ବୈତରଣୀ ନଦୀରେ କୌଣସି ଏସ୍କେପ ନ ଥିବା ବେଳେ ଧାମନଗର ବ୍ଲକ୍ ବୈତରଣୀ ନଦୀର ଗୌରାଙ୍ଗପୁର ଓ ମଲ୍ଲୀମାହାରାରେ ଦୁଇଟି ଏସ୍କେପ ରହିଛି । ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ଏହି ଦୁଇ ଏସ୍କେପ ଦେଇ ଧାମନଗର ବ୍ଲକ୍ରେ ବନ୍ୟାଜଳ ପ୍ରବାଭିତ ହୋଇଥାଏ । ବୈତରଣୀ ନଦୀର ଭଣ୍ଡାରିପୋଖରୀ ବ୍ଲକ୍ କଣ୍ଟିଘାଇ ଏସ୍କେପରୁ ବନ୍ୟାଜଳ ବାହାରି ଗେଙ୍ଗୁଟି ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥାଏ । ଗେଙ୍ଗୁଟି ନଦୀର କନକେଇ, ଗାଈଛନ୍ଧା ଓ ମଠମାହାରା ଏସ୍କେପରୁ ବନ୍ୟାଜଳ ବାହାରି ଧାମନଗରରେ ବନ୍ୟା ହୋଇଥାଏ । ନଦୀବନ୍ଧ ସୁଦଢ଼ୀକରଣ କରାଗଲେ ଯେ ଧାମନଗରରେ ବନ୍ୟା ନିୟନ୍ତ୍ରଣ ହୋଇପାରିବ ତାହା ଅସମ୍ଭବ ।
ଧାମନଗରକୁ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରଥମେ ଏହି ୫ଟି ଏସ୍କେପକୁ ବନ୍ଦ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ଗୌରାଙ୍ଗପୁର ଓ ମଲ୍ଲୀମାହାରା ଏସ୍କେପକୁ କଂକ୍ରିଟ କରାଯିବା ସହିତ ତା’ ଉପରେ ଫୁଟବ୍ରିଜ ନିର୍ମାଣ କରାଯିବ ବୋଲି ପ୍ରସ୍ଥାବ ରହିଥିବା ବେଳେ ଏଯାଏ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । କେବଳ ଏସ୍କେପ୍ର ଠିକାଦାରୀ ତ୍ରୁଟି ପାଇଁ ମରାମତି କରାଯାଇ କାମ ଶେଷ କରି ଦିଆଯାଇଛି । ସମସ୍ତ ଏସ୍କେପକୁ ବନ୍ଦ କରିବା ଦରକାର । ନଚେତ ଏସ୍କେପ ଉପରେ ସୁଇଜ ଗେଟ ନିର୍ମାଣ କରାଯାଇ ଆବଶ୍ୟକ ଅନୁଯାୟୀ ଚାଷୀଙ୍କୁ ଜଳ ଯୋଗାଣ କରାଗଲେ କିଛି ମାତ୍ରାରେ ଧାମନଗରକୁ ବନ୍ୟା ନିୟନ୍ତ୍ରଣ କରାଯାଇ ପାରିବବୋଲି ଅନେକ ·ଷୀ ମତବ୍ୟକ୍ତ କରିଛନ୍ତି । ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଦ୍ୱାରା ସରକାର ଏହାର ଅନୁଧ୍ୟାନ କରି ଧାମନଗରକୁ ବନ୍ୟା ଦାଉରୁ କିପରି ନିୟନ୍ତ୍ରଣ କରାଯାଇ ପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ହେବା ଆବଶ୍ୟକ ବୋଲି ଧାମନଗର ଅଂଚଳବାସୀ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *