ସୁସ୍ଥ ହେଲେ ମହାପ୍ରଭୁ

ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ
ଗଜପତିଙ୍କୁ ଜଣାଇଲେ ଦଇତାପତି
ପୁରୀ (ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳ ସ୍ନାନ ପରେ ଜ୍ୱରରେ ପଡ଼ିଥିଲେ ମହାପ୍ରଭୁ । ଅଣସର ଘରେ ଠାକୁରଙ୍କ ଗୁପ୍ତସେବା ଚାଲିଥିଲା । ଫୁଲୁରୀ ତେଲ ଓ ଓଷୁଅ ଲାଗି ପରେ ଏକାଦଶୀରେ ଦଶମୂଳ ମୋଦକ ଖାଇ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଦାରୁବିଗ୍ରହଙ୍କ ସୁସ୍ଥ ଖବର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଜଣାଇଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ପ୍ରଦାନ କରିଛନ୍ତି । ଏହାକୁ ରାଜପ୍ରାସାଦ ବିଜେ ନୀତି କୁହାଯାଏ । ଆଷାଢ଼ କୃଷ୍ଣ ଦ୍ୱାଦଶୀ ତିଥିରେ ଅଣସରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପ୍ରସାଦ ରାଜପ୍ରାସାଦକୁ ବିଜେ ହେବାର ପରମ୍ପରା ରହିଛି ।
ଶନିବାର ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ଦଇତାପତି ଅଣସର ଘର ଖୋଲି ଭିତରକୁ ଯାଇଥିଲେ । ଭଣ୍ଡାର ମେକାପ ଦେଇଥିବା ପାଟବସ୍ତ୍ର ପଡ଼ିଥିବା ରୁପା ଥାଳି ଅଣସର ଘରକୁ ନେଇ ଠାକୁରଙ୍କ ଶ୍ରୀଅଙ୍ଗରୁ ବାହାରିଥିବା ଚନ୍ଦନ, କରାଳ, ପାଟଡୋରି ସଜେଇ କରି ରଖିଥିଲେ । ବେହେରଣ ଦ୍ୱାରରେ ଆସ୍ଥାନ ପଢ଼ିଆରୀ ପକାଇଥିବା ପାହାଡ଼ା (କପଡ଼ା) ଉପରେ ଏହି ଥାଳିକୁ ସଜାଇ ରଖିଥିଲେ । ଘଣ୍ଟ, ଛତା, କାହାଳୀ ସହ ଥାଳିଗୁଡ଼ିକୁ ଦଇତାପତିମାନେ ଗଜପତି ମହାରାଜାଙ୍କ ଉଦେ୍ଦଶ୍ୟରେ ଶ୍ରୀନଅରକୁ ନେଇଥିଲେ । ରାଜବାଟୀରେ ପଡ଼ିଥିବା ଚାରିବାଡ଼ର ପାହାଡ଼ା ଉପରେ ଥାଳିମାନ ରଖିଥିଲେ । ରାଜଗୁରୁଙ୍କ ସହିତ ଗଜପତି ମହାରାଜା ଆସିଥିଲେ । ପରେ ଥାଳିଗୁଡ଼ିକୁ ସଂସ୍କାର ରାଜଗୁରୁ ଗଜପତି ମହାରାଜାଙ୍କ ମୁଣ୍ଡରେ ଛୁଆଁଇଥିଲେ । ଗଜପତି ମହାରାଜା ଦଇତାପତିଙ୍କୁ ଶାଢ଼ି ବନ୍ଧାଇବା ଲାଗି ରାଜଗୁରୁଙ୍କୁ ଆଜ୍ଞା ପ୍ରଦାନ କରିଥିଲେ । ଦଇତାପତିମାନେ ଶାଢ଼ି ବନ୍ଧାଇବା ପରେ ଗଜପତିଙ୍କ ସହ ଠାକୁରଙ୍କ ଅଣସର କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିସହ ଠାକୁରଙ୍କ ସୁସ୍ଥ ହେବା ଖବର ମଧ୍ୟ ଦେଇଥିଲେ ।

ଆଜି ଘଣା ଲାଗି
ଅଣସର ଘରେ ଏବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସପ୍ତାବରଣ କାର୍ଯ୍ୟ ଚାଲିଛି । ସେଥିମଧ୍ୟରୁ ଶନିବାର ଘଣା କଟା ହୋଇଛି । ରବିବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ଘଣା ଲାଗି କରାଯିବ । ଘଣା ଲାଗି କାର୍ଯ୍ୟ ସରିବା ପରେ ଜୟ ବିଜୟ ଦ୍ୱାର ଫିଟି ପଟିଦିଅଁଙ୍କ ମଙ୍ଗଳ ଆଳତି ହେବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଘଣା ଲାଗି ନୀତି ସମ୍ପନ୍ନ କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *