ଘୋଷଯାତ୍ରା ପାଇଁ ୧୮ଠ ପ୍ଲାଟୁନ୍ ଫୋର୍ସ
ପୁରୀ (ବୁ୍ୟରୋ): ୨ବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଘୋଷଯାତ୍ରା । ସେଥିଲାଗି ଚଳଚଞ୍ଚଳ ହୋଇପଡ଼ିଛି ପୁଲିସ ପ୍ରଶାସନ । ଚଳିତଥର ରଥଯାତ୍ରାରେ ୧୫ରୁ ୨୦ଲକ୍ଷ ଭକ୍ତଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଭିତର ସୁରକ୍ଷା, ପହଣ୍ଡି, କର୍ଡନ, ରଥଟଣା ସମୟରେ ସୁରକ୍ଷାକୁ ନେଇ ବିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ରଥଯାତ୍ରା ସମୟରେ ଟ୍ରାଫିକ୍ ସୁପରିଚାଳନା ଗୁରୁଦାୟିତ୍ୱ । ତାହାକୁ କିଭଳି ସଠିକ୍ ଭାବେ କରାଯିବ ସେ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି କନୱାର ବିଶାଲ ସିଂହ ।
ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ପୁଲିସର ପ୍ରଥମ କାର୍ଯ୍ୟ ପୁରୀକୁ ଆସୁଥିବା ଭକ୍ତଙ୍କୁ ସୁରକ୍ଷା ଦେବା ସହ ସେମାନେ କିଭଳି ଠାକୁରଙ୍କୁ ଦର୍ଶନ କରି ଫେରିବେ ତାହା ଉପରେ ଗୁରୁତ୍ୱ । ସେଥିଲାଗି ଟ୍ରାଫିକ୍ କଟକଣା ମାନିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଏପରିକି ରଥଯାତ୍ରା ଦିନ ଭୋର ୬ଟା ପରେ ବଡ଼ଦାଣ୍ଡକୁ ଦୁଇ ଓ ଚାରି ଚକିଆ ଯାନ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତତ୍ସହିତ ବରିଷ୍ଠ ନାଗରିକ, ଗର୍ଭବତୀ ଓ ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା କରାଯିବ । ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ୧୮ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ୧ ହଜାର ଅଧିକାରୀ ଓ ୧୮୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ।