ଫୋକସ୍ରେ ପୁଞ୍ଜିନିବେଶ
୨୯ରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍
ମଧ୍ୟପ୍ରାଚ୍ୟ ପୁଞ୍ଜିପତିଙ୍କୁ ଓଡ଼ିଶା ଆମନ୍ତ୍ରଣ କରାଯିବ
ଭୁବନେଶ୍ୱର,୨୫ା୬ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଅଛନ୍ତି । ରୋମ୍ରେ ତାଙ୍କର କାର୍ଯ୍ୟକ୍ରମ ଆପାତତଃ ଶେଷ ହୋଇଛି । ରବିବାର ସେ ଦୁବାଇ ଅଭିମୁଖେ ଯାତ୍ରା କରିବେ । ସେଠାରେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେଇ ମଧ୍ୟପ୍ରାଚ୍ୟର ପୁଞ୍ଜିପତିଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଦୁବାଇରେ କାର୍ଯ୍ୟକ୍ରମ ନେଇ ଓଡ଼ିଶାର ବଡ଼ ବଡ଼ ହୋର୍ଡିଂ ଲାଗିଥିବା ଭିଡ଼ିଓ ଭାଇରାଲ ହୋଇଛି ।
ମିଳିଥିବା ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରୋମ୍ରୁ ରବିବାର ରାତି ୮ଟା ୨ଠରେ ଦୁବାଇରେ ପହଞ୍ଚିବେ । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ କିଛି ବିଧାୟକ ମଧ୍ୟ ଦୁବାଇରେ ଉପସ୍ଥିତ ରହିବେ । ୨୯ ତାରିଖ ସକାଳ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁବାଇର ବିଜିନେସ୍ ବେ ସ୍ଥିତ ‘ଦି ଓବରୋଇ’ ହୋଟେଲ୍ରେ ଓଡ଼ିଶା ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫିକି ସହଯୋଗରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗଦେବେ । ଓଡ଼ିଶାରେ ଖଣି, ପେଟ୍ରୋକେମିକାଲ୍ସ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସି ଫୁଡ଼୍ ପ୍ରୋସେସିଂ, ଟେକ୍ସଟାଇଲ, ପୋର୍ଟ, ବିମାନ ବନ୍ଦର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ୟାପକ ବ୍ୟବସାୟିକ ସମ୍ଭାବନାକୁ ନେଇ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଆଉ କିଏ କିଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଏପର୍ଯ୍ୟନ୍ତ ସେ ବିଷୟରେ ସବିଶେଷ ସୂଚନା ମିଳିପାରିନି । ଇନ୍ଭେଷ୍ଟର୍ସ ମିଟ୍ ପୂର୍ବର ଏକ ଘଣ୍ଟିଆ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବାକୁ ୧୫ଠରୁ ଊଦ୍ଧ୍ୱର୍ ପଞ୍ଜିକରଣ ଏବେ ସୁଦ୍ଧା ସରିଲାଣି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଇଚ୍ଛୁକ ସଂସ୍ଥା ଓ ପ୍ରତିନିଧିଙ୍କ ସହ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ୨୭ ତାରିଖରେ ବୈଠକ କରିବେ । ଏହାପରେ ୨୯ରେ ଇନ୍ଭେଷ୍ଟର୍ସ ମିଟ୍ ହେବ ।
୨୯ରେ ଆୟୋଜିତ ହେବାକୁ ଥିବା ବୈଠକରେ ମଧ୍ୟପ୍ରାଚ୍ୟର ପୁଞ୍ଜିପତିମାନଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଦୁବାଇ ରାଜରାସ୍ତାରେ ମେକ୍-ଇନ୍-ଓଡ଼ିଶାର ହୋର୍ଡିଂ ବି ଲାଗିଲାଣି । ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ପୁଞ୍ଜିନିବେଶ କରିଥିବା ଶିଳ୍ପପତିଙ୍କ ଏକ ଟିମ୍ ମଧ୍ୟ ବୈଠକରେ ଯୋଗ ଦେବେ ।
ଅନ୍ୟପଟେ ବିଦେଶ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ସରକାରୀ କାମ କରୁଛନ୍ତି । ଲାପ୍ଟପ୍ରେ ଓସୱାସ ପୋର୍ଟାଲରେ ଚାଲିଛି ସରକାରୀ କାମ । ରୋମ୍ରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲାର ମନ୍ତ୍ର ମୁଖ୍ୟମନ୍ତ୍ରୀ ଦେଇଥିଲେ ।
ଏବେ ଦୁବାଇ ଗସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରୋମ୍ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କର ଏକ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ମୁଖ୍ୟମନ୍ତ୍ରୀ ଲାପଟପ୍ ଧରି ଅଫିସ୍ କାମ କରୁଛନ୍ତି । ସେଥିରେ ଲେଖିଛନ୍ତି, ଏଠି ରୋମ୍ରେ ଅନେକ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବା ପୂର୍ବରୁ କିଛି କାମ ଶେଷ କରିଦେଉଛି । ସେଥିପାଇଁ ଆମ ଡିଜିଟାଲ୍ ୱାର୍କ ପ୍ଲାଟଫର୍ମ ଓସ୍ୱାସ୍କୁ ଧନ୍ୟବାଦ । ବାସ୍ତବରେ ଆମର ଭବିଷ୍ୟତ ଏହି ଟେକ୍ନୋଲୋଜି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଦେଶ ଗସ୍ତର ବ୍ୟସ୍ତତା ଭିତରେ ବି ସେ ଓସ୍ୱାସ୍ ଯୋଗେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ କାର୍ଯ୍ୟ କରୁଥିବା ଏହି ଟ୍ୱିଟ୍୍ ଜରିଆରେ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ଏହି ଛଳରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମର ଉପଯୋଗିତା ସମ୍ପର୍କରେ ସମସ୍ତଙ୍କୁ ଜଣାଇଛନ୍ତି ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀଙ୍କର ରୋମ୍ ଗସ୍ତ କାଳରେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ରୋମ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜର୍ମାନୀର ପ୍ରସିଦ୍ଧ ଗୋଟିଙ୍ଗିନ୍ ୟୁନଭର୍ସିଟିର ଓଡ଼ିଆ ଯୁବ ବୈଜ୍ଞାନିକ ଶେଷଦେବ କିସାନଙ୍କ ମୁହଁରୁ ତାଙ୍କ ସଂଘର୍ଷ କାହାଣୀ ଶୁଣିଲା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ତାଙ୍କ ଆଖିରୁ ଲୁହ ଗଡ଼ି ଆସିଥିଲା । ମୁଖ୍ୟମନ୍ତ୍ରୀଙ୍କର ଏହି ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ଗତ ୨ଠ ତାରିଖରୁ ୧ଠ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ରୋମ୍ରେ କାର୍ଯ୍ୟକ୍ରମ ଶେଷ ହେବା ପରେ ରବିବାର ରାତିରେ ସେ ଦୁବାଇରେ ପହଞ୍ଚିବେ । ସେଠାରେ ପ୍ରବାସୀ ଓଡ଼ିଆଙ୍କୁ ସାକ୍ଷାତ୍ ଓ ଇନ୍ଭେଷ୍ଟର୍ସ ମିଟ୍ରେ ଯୋଗଦେଇ ୩ଠ ତାରିଖରେ ଦୁବାଇରୁ ଦିଲ୍ଲୀ ଓ ସେହିଦିନ ରାତିରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି ।