୬ ସଂକଳ୍ପ ଗୃହୀତ
ଶିବସେନା କାର୍ଯ୍ୟକାରିଣୀ ବୈଠକ
ମୁମ୍ବାଇ (ଏଜେନ୍ସି): ଦଳୀୟ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଥିବା ଏକନାଥ ସିନେ୍ଦଙ୍କ ବିଦ୍ରୋହ ମହାରାଷ୍ଟ୍ରରେ ରାଜନୈତିକ ଭୂକମ୍ପନ ସୃଷ୍ଟି କରିଦେଇଛି । ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେଙ୍କ ହାତରୁ ମୁଖ୍ୟମନ୍ତ୍ରୀ ପଦ ସହ ଦଳ ଉପରେ କର୍ତ୍ତୃତ୍ୱ ମଧ୍ୟ ଯିବା ଭଳି ପରିସ୍ଥିତି ଉତ୍ପନ୍ନ ହୋଇଛି । ଗୋଟିଏ ପଟେ ଏକନାଥଙ୍କ ନେତୃତ୍ୱରେ ଦଳର ଅଧିକାଂଶ ବିଧାୟକ ଆସାମର ଏକ ୫ଷ୍ଟାର ହୋଟେଲରେ ଡେରା ପକାଇଥିବା ବେଳେ ଏବେ ଏମାନେ ‘ଶିବସେନା ବାଲାସାହେବ ଠାକ୍ରେ’ ନାମରେ ଏକ ରାଜନୈତିକ ଦଳ ଗଠନ କରିବାକୁ ମଧ୍ୟ ଧମକ ଦେବା ଆରମ୍ଭ କରିଦେଇଛନ୍ତି । ଏପ୍ରକାର ସ୍ଥିତିରୁ ବାହାରିବା ପାଇଁ ଉଦ୍ଧବ ଏବେ ଘନଘନ ବୈଠକ କରିବା ଦେଖିବାକୁ ମିଳୁଛି । ଉଦ୍ଧବଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ଦଳର ଏହି କାର୍ଯ୍ୟକାରିଣୀ ବୈଠକରେ ଉଦ୍ଧବଙ୍କ ସପକ୍ଷରେ ଥିବା ବିଧାୟକମାନେ, ବିଦ୍ରୋହୀ ନେତାମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିବା ସୂଚନା ମିଳିଛି । ଦଳର ଜାତୀୟ କାର୍ଯ୍ୟକାରିଣୀ କର୍ମକର୍ତ୍ତାମାନେ ଉଦ୍ଧବଙ୍କ ପ୍ରତି ସେମାନଙ୍କ ଦୃଢ଼ ସମର୍ଥନ ବ୍ୟକ୍ତ କରିଥିବା ବେଳେ ବିଦ୍ରୋହୀ ନେତାଙ୍କ ବିରୋଧରେ କାର୍ଯ୍ୟକାରିଣୀ ୬ ସଂକଳ୍ପ ପାରିତ କରିଥିବା ମଧ୍ୟ ଜାଣିବାକୁ ମିଳିଛି ।
ଏହି ୬ ସଂକଳ୍ପ ମଧ୍ୟରେ ବିରୋଧୀ କ୍ୟାମ୍ପ୍ଙ୍କୁ ବାଲାସାହେବ କିମ୍ବା ଶିବସେନା ନାମ ବ୍ୟବହାର କରିବାକୁ କଦାପି ଦିଆଯିବ ନାହିଁ ଭଳି ନିଷ୍ପତ୍ତି ନିଆଯାଇଛି । ଶିବସେନାର ନିର୍ବାଚନ ଚିହ୍ନ ଉପରେ ମଧ୍ୟ ଅନ୍ୟ କୌଣସି ଦଳ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ । ବାଲାସାହେବ ଏବଂ ଶିବସେନା ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ । ଏହାକୁ କଦାପି ପୃଥକ୍ କରାଯାଇପାରିବନି । ଏସମ୍ପର୍କରେ ଶିବସେନା ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେବ ଏବଂ ଏନେଇ ନିୟମ ମୁତାବକ ପଦକ୍ଷେପ ଗ୍ରହଣ କରିବ । କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିବା ସହ ବିଦ୍ରୋଧୀଙ୍କ (ଦଳରେ ଯେତେ ବରିଷ୍ଠ ନେତା ହୋଇଥାନ୍ତ୍ୁ ନା କାହିଁକି) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଉଦ୍ଧବଙ୍କୁ ସମସ୍ତ ଅଧିକାର କାର୍ଯ୍ୟକାରିଣୀ ପ୍ରଦାନ କରିଛି । ଏତଦ୍ବ୍ୟତୀତ କାର୍ଯ୍ୟକାରିଣୀ ଉଦ୍ଧବଙ୍କୁ ହିଁ ଦଳର ସର୍ବେସର୍ବା ବିବେଚିତ କରିବା ସହ ମହାରାଷ୍ଟ୍ର ତଥା ମରାଠାଙ୍କ ହିତ ଉଦେ୍ଦଶ୍ୟରେ ଯେକୌଣସି ନିଷ୍ପତ୍ତି ଗ୍ରହଣ କରିବାକୁ ମଧ୍ୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ରତା ପ୍ରଦାନ କରିଛି । ଶିବସେନା କଦାପି ହିନ୍ଦୁତ୍ୱ ପଥକୁ ପରିହାର କରିନାହିଁ । କିନ୍ତୁ କେତେକ ନ୍ୟସ୍ତ ସ୍ୱାର୍ଥ ତଥା ମତଲବୀ ନେତା ଏବେ ବାଲାସାହେବଙ୍କ ହିନ୍ଦୁତ୍ୱ ନୀତିର ଦ୍ୱାହି ଦେଇ ଶିବସେନା ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ବାଲାସାହେବଙ୍କ ଶିବସେନା ଅଖଣ୍ଡ ଥିଲା, ଚିରକାଳ ଅଖଣ୍ଡ ହିଁ ରହିବ । ଏଥିରେ କୌଣସି ପ୍ରକାର ହସ୍ତକ୍ଷେପକୁ କଦାପି ଗ୍ରହଣ କରାଯିବ ନାହିଁ ବୋଲି କାର୍ଯ୍ୟକାରିଣୀ ନିଷ୍ପତ୍ତି ନେଇଛି ।