ସୌନ୍ଦର୍ଯ୍ୟକରଣକୁ ଆସିକା ଏନ୍ଏସିର ଗୁରୁତ୍ୱ
ଆସିକା (ଆପ୍ର): ଆସିକା ଏନ୍ଏସି ପରିସରଭୁକ୍ତ ଅଞ୍ଚଳକୁ ସରସ ସୁନ୍ଦର କରିବା ସହ ବାହାରୁ ଆସିଥିବା ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏନ୍ଏସି ପକ୍ଷରୁ ହାତକୁ ନିଆଯାଉଛି ଅନେକ ନୂତନ ଯୋଜନା । ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ ପ୍ରାୟ ୧କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ଅଟକଳରେ ଆସିକା ଏନ୍ଏସି ପରିସରଭୁକ୍ତ ୧୫ନମ୍ବର ୱାର୍ଡର ଯୋକବନ୍ଧ ସାହିରେ ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ି ରହିଥିବା ଯୋକବନ୍ଧ ପୋଖରୀର ପୁନରୁଦ୍ଧାର ପାଇଁ ଏନ୍ଏସି ପକ୍ଷରୁ ନକ୍ସା ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି । ବହୁ ବିଳମ୍ବରେ ହେଲେ ମଧ୍ୟ ଆସିକା ଏନ୍ଏସି ପକ୍ଷରୁ ସହରର ସର୍ବପୁରାତନ ଯୋକବନ୍ଧ ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହୋଇଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ପୋଖରୀର ଚର୍ତୁଃପାଶ୍ୱର୍କୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରି ପୋଖରୀ ମଧ୍ୟ ସ୍ଥଳରେ ୱାଟର୍ ଫାଉଣ୍ଟେନ୍, ବୋଟିଂ, ଶିଶୁ ପାର୍କ, ସାଇକେଲ ଚାଳନା, ମାର୍କେଟ କମ୍ପ୍ଲେକ୍ସ, ରଙ୍ଗୀନ୍ ଆଲୋକ ସଜ୍ଜା, ପାଦଚଲା ରାସ୍ତା ସମେତ ଅନ୍ୟାନ୍ୟ ମନୋରଞ୍ଜନ ବ୍ୟବସ୍ଥା କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।
ପ୍ରଶାସନିକ ସ୍ତରରେ ଅନୁମୋଦନ ମିଳିବା କ୍ଷଣି ଯଥାଶୀଘ୍ର ପୋଖରୀର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେଇଛନ୍ତି । ପୋଖରୀରେ ପ୍ରବେଶ କରୁଥିବା ସମସ୍ତ ଆବର୍ଜନା ଯେପରି ଉକ୍ତ ପୋଖରୀରେ ନ ମିଶିବ ସେନେଇ ପଦକ୍ଷେପ ନିଆଯିବା ସହ ପୋଖରୀ ପାଣି କିପରି ପରିଷ୍କାର ପରିଚ୍ଛନ୍ନ ରହିବ ତାହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । ଏହି ପୋଖରୀର ପୁନରୁଦ୍ଧାର ଦିଗରେ ପଦକ୍ଷେପ ନେବାକୁ ଉକ୍ତ ୱାର୍ଡ କାଉନସିଲର ତଥା ବିଜେଡି ନେତା ଭାସ୍କର ବେହେରା ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।