ଲକ୍ଷ୍ମଣ-ପାଣ୍ଡ୍ୟାଙ୍କ ପ୍ରଥମ ଟେଷ୍ଟ
ଆଜିଠୁ ଆୟରଲାଣ୍ଡ ଟି-୨୦
ଡବଲିନ୍, ୨୫ା୬ (ଏଜେନ୍ସି): ଭାରତ ଓ ଆୟରଲାଣ୍ଡ ମଧ୍ୟରେ ରବିବାର ଠାରୁ ଆରମ୍ଭ ହେବ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଅଧିନାୟକ ଥିବା ବେଳେ ଭିଭିଏସ୍ ଲକ୍ଷ୍ମଣ କୋଚ୍ ରହିଛନ୍ତି । ଉଭୟଙ୍କ ପାଇଁ ନୂଆ ଭୂମିକାରେ ଏହା ପ୍ରଥମ ପରୀକ୍ଷା ହେବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାକୁ ୨-୨ରେ ବରାବର ରଖିଥିବା ଭ୍ରମଣକାରୀ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ।
ଉଭୟ ମ୍ୟାଚ୍ ଡବଲିନ୍ର କାସଲ ଆଭେନୁ୍ୟରେ ଖେଳାଯିବ । ଏହି ଶୃଙ୍ଖଳା ପାଇଁ ଟିମ୍ ଇଣ୍ଡିଆ ଶନିବାର ଅଭ୍ୟାସ କରିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟ୍ୱିଟରରେ ଫଟୋ ସେୟାର୍ କରିଛି । ଏହି ଫଟୋଗୁଡ଼ିକରେ ଭାରତୀୟ ଟିମ୍ର ଅସ୍ଥାୟୀ କୋଚ୍ ଭିଭିଏସ୍ ଲକ୍ଷ୍ମଣ ଟିମ୍କୁ ଟିପ୍ସ ଦେଉଥିବାର ଦେଖିବାକୁ ମିଳିଛି । ନିୟମିତ କୋଚ୍ ରାହୁଲ ଦ୍ରାବିଡ଼ ଭାରତୀୟ ଟେଷ୍ଟ ଟିମ୍ ସହିତ ଲିସେଷ୍ଟରରେ ଅଛନ୍ତି । ବ୍ରିସ୍ବେନ୍ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏବେ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଶ୍ରେୟାସ ଆୟର ଓ ଯଶପ୍ରୀତ ବୁମ୍ରାଙ୍କ ସମେତ ବରିଷ୍ଠ ଖେଳାଳିମାନେ ଲିସେଷ୍ଟରସାୟାର ବିପକ୍ଷରେ ୱାର୍ମଅପ୍ ମ୍ୟାଚ୍ ଖେଳୁଛନ୍ତି ।
ଦ୍ରାବିଡ଼ଙ୍କ ଅନୁପସ୍ଥିତି ଯୋଗୁଁ ଆୟରଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀର ଅଧ୍ୟକ୍ଷ ଲକ୍ଷ୍ମଣଙ୍କୁ ଟିମ୍ର କୋଚ୍ ଦାୟିତ୍ୱ ଦିଆଯାଇଛି ଯେତେବେଳେକି ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ପାଇଛନ୍ତି । ପେସର୍ ଭୁବନେଶ୍ୱର କୁମାର ଉପ-ଅଧିନାୟକ ଅଛନ୍ତି । ଏହି ଟିମ୍ରେ ଈଶାନ କିଶନ, ଋତୁରାଜ ଗାଏକୱାଡ଼, ସଞ୍ଜୁ ସାମ୍ସନ୍, ଦୀପକ ହୁଡ଼ା ଓ ଯୁଜବେନ୍ଦ୍ର ଚହଲଙ୍କ ସମେତ ତମାମ୍ ଯୁବ ଖେଳାଳି ରହିଛନ୍ତି । ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ବରିଷ୍ଠ ଟିମ୍ରେ ସାମିଲ୍ କରାଯାଇଛି ।
ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ଖେଳିଥିବା ଭାରତୀୟ ଟିମ୍ରୁ ପନ୍ତ ଓ ଆୟରଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଖେଳାଳି ଆୟରଲାଣ୍ଡ ବିପକ୍ଷରେ ଟି-୨୦ ଶୃଙ୍ଖଳା ଖେଳିବା ପାଇଁ ଉପଲବ୍ଧ ଅଛନ୍ତି । ଏପରିସ୍ଥଳେ କୋଚ୍ ଲକ୍ଷ୍ମଣଙ୍କ ଉପରେ ଯୁବ ଟିମ୍କୁ ଜିତାଇବାର ଦାୟିତ୍ୱ ରହିବ । ଲକ୍ଷ୍ମଣ ଏଥି ପୂର୍ବରୁ ଆଇପିଏଲ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟିମ୍କୁ କୋଚିଂ ଦେଇଥିଲେ । ଚଳିତ ବର୍ଷ ୧୯ ବର୍ଷରୁ କମ୍ ବିଶ୍ୱକପ୍ ସମୟରେ ସେ ଟିମ୍ ଇଣ୍ଡିଆ ସହିତ ୱେଷ୍ଟଇଣ୍ଡିଜ୍ରେ ଉପସ୍ଥିତ ଥିଲେ । ଟିମ୍ ଇଣ୍ଡିଆ ସେହି ବିଶ୍ୱକପ୍ ଜିତିଥିଲା ।
ଆୟରଲାଣ୍ଡ ବିପକ୍ଷରେ ଟି-୨୦ ଶୃଙ୍ଖଳା ପରେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ଟିମ୍ ଇଣ୍ଡିଆ ତିନିଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ର ଶୃଙ୍ଖଳା ଖେଳିବ । ଏପରିସ୍ଥଳେ ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଲାଗି ଭାରତୀୟ ଟିମ୍ରେ ନିଜ ସ୍ଥାନ ପାଇବା ପାଇଁ ପ୍ରୟାସ କରିବେ । ଏହାଛଡ଼ା ଚଳିତ ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ମଧ୍ୟ ସେମାନେ ନିଜ ଦାବିଦାରୀ ପେସ୍ କରିବେ ।