୧୮ ସୁଦ୍ଧା ଦୃଶ୍ୟପଟ ବଦଳିଯିବ: ସିହ୍ନା
ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କଲି, କଥା ହୋଇପାରିଲିନି
ଆଉ କେବେ ବି ନିର୍ବାଚନ ଲଢିÿବିନି
ନୂଆଦିଲ୍ଲୀ,୨୫ ।୬: ରାଷ୍ଟ୍ରପତି ନିର୍ବାଚନର ମାହୋଲ ଜମିବାରେ ଲାଗିଛି । ଶାସକ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସମେତ ଆଉ କେତେକ ବିରୋଧୀ ଦଳ ସମର୍ଥନ ଜ୍ଞାପନ କରିଥିବା ବେଳେ ବିରୋଧୀ ପକ୍ଷର ପ୍ରାର୍ଥୀ ୮୪ ବର୍ଷୀୟ ଯଶୱନ୍ତ ସିହ୍ନା ବିଭିନ୍ନ ଦଳର ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଅଛନ୍ତି । ଶ୍ରୀ ସିହ୍ନା ଦୈନିକ ଭାସ୍କରକୁ ସାକ୍ଷାତକାର ଦେଇ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପରେ ଆଉ କେବେ ବି କୌଣସି ଭୋଟ୍ ସେ ଲଢ଼ିବେ ନାହିଁ । ଦ୍ରୌପଦୀଙ୍କ ତୁଳନାରେ ତାଙ୍କୁ କମ୍ ଭୋଟ୍ ମିଳିବ କି ବୋଲି ପ୍ରଶ୍ନର ଜବାବରେ ସେ କହିଛନ୍ତି, ଭୋଟ୍ ଗ୍ରହଣ (ଜୁଲାଇ ୧୮) ସୁଦ୍ଧା ବହୁ କିଛି ବଦଳି ଯିବ । ଏବେ କିଏ କ’ଣ କହୁଛନ୍ତି ସେଥିରେ ଯାଏ ଆସେ ନାହିଁ । ସାଂସଦ ଓ ବିଧାୟକମାନେ ନିଜ ବିବେକ ଅନୁସାରେ ଭୋଟ୍ ଦେବେ ବୋଲି ମୋର ବିଶ୍ୱାସ । ଏହି ନିର୍ବାଚନରେ ହୁଇପ୍ ନାହିଁ, ମତଦାନ ଗୁପ୍ତ ରହିବ ।
ଆପଣ ଝାରଖଣ୍ଡ ପୃଷ୍ଠଭୂମିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେହେଁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ସମର୍ଥନ କାହିଁକି ମିଳିଲା ନାହିଁ? ଏହି ପ୍ରଶ୍ନର ଉତ୍ତରରେ ଶ୍ରୀ ସିହ୍ନା କହିଛନ୍ତି, ତାଙ୍କୁ ବିରୋଧୀ ପକ୍ଷର ପ୍ରାର୍ଥୀ ଚୟନ କରାଯିବ ବେଳେ ବୈଠକରେ ଜେଏମ୍ଏମ୍ ନେତା ଉପସ୍ଥିତ ଥିଲେ । ଏନ୍ଡିଏ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଭ୍ରମ ସ୍ଥିତି ଉପୁଜିଲା । ତେବେ ମୋର ବିଶ୍ୱାସ ଜେଏମ୍ଏମ୍ ଆମ ସହ ରହିବ । ସମୟକ୍ରମେ ବହୁ କଥା ବଦଳି ଥାଏ । ମୁଁ ବିହାର ବାସିନ୍ଦା । ସମର୍ଥନ ମାଗିବା ପାଇଁ ପାଟନା ଯିବି ।
ଆଦିବାସୀ ମହିଳା ପ୍ରାର୍ଥୀଙ୍କ ପାଇଁ ଆପଣ ନିର୍ବାଚନ ମୈଦାନରୁ ହଟିଯିବା ଉଚିତ୍ କି ବୋଲି ପ୍ରଶ୍ନର ଜବାବ୍ରେ ଶ୍ରୀ ସିହ୍ନା କହିଛନ୍ତି, ପକ୍ଷ-ବିପକ୍ଷ ମିଶି ସର୍ବସମ୍ମତ ପ୍ରାର୍ଥୀ ଦିଆଯାଇ ପାରିଥାନ୍ତା, କିନ୍ତୁ ସରକାର ପ୍ରୟାସ କଲେ ନାହିଁ । ମୁଁ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲି, କିନ୍ତୁ କଥା ହୋଇପାରିଲି ନାହିଁ । ବିରୋଧୀ ଦଳମାନଙ୍କୁ ଅପମାନିତ କରିବା ଥିଲା ସରକାରଙ୍କ ମତଲବ । ଗତ ୮ ବର୍ଷ ଭିତରେ ଏହା ଦେଖାଯାଇଛି । ତେଣୁ ଏବେ ପଛକୁ ହଟିବା ପ୍ରଶ୍ନ ଉଠୁନାହିଁ । ପୂର୍ବରୁ ଏନ୍ଡିଏ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲେ ବିରୋଧୀ ପକ୍ଷ ବିଚାର କରିଥାନ୍ତେ ।
