ପ୍ରତୁ୍ୟଷରୁ ବଡ଼ଦାଣ୍ଡରେ କୌଣସି ଗାଡ଼ି ରହିବନି
ପୁଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକ
ପୁରୀ (ବୁ୍ୟରୋ): ଆସନ୍ତା ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ରଥଯାତ୍ରା । ସେଥିଲାଗି ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରଥଯାତ୍ରା ଦିନ ସକାଳ ୬ଟା ପରେ ବଡ଼ଦାଣ୍ଡକୁ ବାଇକ୍ ବାରଣ କରାଯାଇଛି । ଏପରିକି ଖୋଦ୍ ଏସ୍ପିଙ୍କ ଗାଡ଼ି ମଧ୍ୟ ବଡ଼ଦାଣ୍ଡରେ ଗଡ଼ିବ ନାହିଁ ।
ଶନିବାର ସଦ୍ଭାବନା ସଭାଗୃହଠାରେ ଅନୁଷ୍ଠିତ ପୁଲିସ-ମାଜିଷ୍ଟ୍ରେଟ୍ ସମନ୍ୱୟ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଚଳିତ ରଥଯାତ୍ରାରେ ପୂର୍ବାପେକ୍ଷା ଅଧିକ ଶ୍ରଦ୍ଧାଳୁଙ୍କ ଆକଳନ କରାଯାଉଥିବାରୁ ଏହାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ପରିଚାଳନା କରିବା ଉଭୟ ପୁଲିସ ଓ ପ୍ରଶାସନ ପାଇଁ ଗୁରୁଦାୟିତ୍ୱ ବୋଲି କହିଥିଲେ । ଏହାକୁ ପରସ୍ପର ମଧ୍ୟରେ ସୁସମନ୍ୱୟ ରଖି କାର୍ଯ୍ୟ କରିବା ସହ ଲୋକମାନଙ୍କୁ ସୁବିଧା ଓ ଭଲ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଏସ୍ପି ଡ. କନୱାର ବିଶାଲ ସିଂହ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାର ସହ ନିର୍ଦ୍ଧାରିତ ସ୍ଥାନ ମାନଙ୍କରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।
ଅତିଥିମାନଙ୍କ ସୁରକ୍ଷା ଓ ଯାତ୍ରୀମାନଙ୍କ ସୁରକ୍ଷା ସହ ଶୃଙ୍ଖଳିତ ଯାତ୍ରୀମାନଙ୍କ ଦର୍ଶନ ଓ ଯାତାୟାତ ପାଇଁ ରଥଯାତ୍ରା ଦିନ ପ୍ରତୁ୍ୟଷରୁ ବଡ଼ଦାଣ୍ଡରେ କୌଣସି ଗାଡ଼ି ନ ରଖାଇଦେବା, ସେବାରେ ନିୟୋଜିତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କୁ ନିର୍ଦ୍ଧାରିତ ସ୍ଥାନରେ ସେବା ଯୋଗାଇବାରେ ସହଯୋଗ କରିବା, ଅଯଥା ଗହଳି କରାଇ ନ ଦେବା, ଟ୍ରାଫିକ୍ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଆଶୁ ଚିକିତ୍ସା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା ଇତ୍ୟାଦିର ସୁପରିଚାଳନା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, କମାଣ୍ଡାଣ୍ଟ ଲିଙ୍ଗରାଜ ମିଶ୍ର, ପ୍ରକଳ୍ପ ନିଦେ୍ର୍ଦଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି (ଗୁଇନ୍ଦା) ଜ୍ଞାନ ମହାପାତ୍ର, ଆସିଷ୍ଟାଣ୍ଟ କମାଣ୍ଡର ଜିତେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ମାଜିଷ୍ଟ୍ରେଟ୍ ଓ ପୁଲିସ ଅଧିକାରୀ ଯୋଗ ଦେଇଥିଲେ । ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା, ରଞ୍ଜନ କୁମାର ବେହେରା, ସହକାରୀ ଜିଲ୍ଲାପାଳ ପର୍ଶୁରାମ ମଲ୍ଲିକ ବୈଠକ ପରିଚାଳନାରେ ସହଯୋଗ କରିଥିଲେ ।
ଆଗାମୀ ରଥଯାତ୍ରା ଉପଲକ୍ଷେ ଏସ୍ପିଙ୍କ ଅଧ୍ୟକ୍ଷତାରେ ସିନିଅର ଅଧିକାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଏସ୍ପି ଶ୍ରୀ ସିଂହ ସମସ୍ତ ଅଧିକାରୀଙ୍କୁ ଆଗାମୀ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେବ ଓ ଅଗଣିତ ଭକ୍ତ କିପରି କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ ତାହା ଅବଗତ କରାଇଥିଲେ । ସମସ୍ତେ ଜଗନ୍ନାଥଙ୍କ ସେବକ ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ।