ମାହାଙ୍ଗାରେ ୱାନ୍ ନେସନ୍ ୱାନ୍ କାର୍ଡ କେବେ?
ମାହାଙ୍ଗା (ଆପ୍ର): ମାହାଙ୍ଗା ବ୍ଲକ୍ରେ ଯୋଗାଣ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ କେତେକ ଡିଲରଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ସାଧାରଣ ଖାଉଟି ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । କେତେକ ଡିଲର ନିଜ ମନଇଚ୍ଛା କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ଆଉ କେତେ ଡିଲର୍ କଣ୍ଟ୍ରୋଲ ବାଟମାରଣା କରିବାରେ ସିଦ୍ଧ ହସ୍ତ ବୋଲି ଚର୍ଚ୍ଚା ହେଉଛି । ବ୍ଲକ ଯୋଗାଣ ଅଧିକାରୀଙ୍କ ଅପାରଗତା ପାଇଁ ଏବେ ସାଧାରଣ ଖାଉଟି ଠିକ୍ ସମୟରେ କଂଟ୍ରୋଲ ସମାଗ୍ରୀ ପାଉ ନଥିବା ଗୁରୁତର ଅଭିଯୋଗ ହେଉଛି । ଏପରି ସ୍ଥଳେ କେନ୍ଦ୍ରସରକାରଙ୍କ ୱାନ୍ ନେସନ୍ ୱାନ୍ କାର୍ଡ ଯୋଜନା ମାହାଙ୍ଗା ବ୍ଲକରେ କାର୍ଯ୍ୟକାରୀ ହୋଇପାରୁ ନଥିବା କୁହାଯାଉଛି
ଠିକ୍ ସମୟରେ ଡିଲର ପଏଣ୍ଟକୁ ଚାଉଳ ଯୋଗାଇବାରେ ଯୋଗାଣ ଟେଣ୍ଡର ଧରିଥିବା ଠିକାଦାର ଜଣକ ବ୍ୟର୍ଥ ହୋଇଛନ୍ତି । ଏବେ ମାହାଙ୍ଗା ଚର୍ଚ୍ଚା ହେଉଛି ଯେ ଯୋଗାଣ ବିଭାଗର ଟେଣ୍ଡର ଧରିଥିବା ଠିକାଦାର ଜଣକ ଠିକ୍ ଭାବରେ ଚାଉଳ କିମ୍ବା ଗହମ ଡିଲର ପଏଣ୍ଟକୁ ପ୍ରଦାନ କରିପାରୁ ନାହାନ୍ତି । ଡିଲର ପାଖରେ ପର୍ଯ୍ୟାପ୍ତ ପରିମାଣରେ ଚାଉଳ ଗହମ ନଥିବାରୁ ସେ ଠିକ୍ ଭାବରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନ କରିପାରୁ ନାହାନ୍ତି । ଫଳରେ ହିତାଧିକାରୀମାନେ ବାରମ୍ବାର ଡିଲର ପଏଣ୍ଟକୁ ଯାଇ ନିରାଶ ହେଉଛନ୍ତି । ବ୍ଲକରେ ୱାନ୍ ନେସନ୍ ୱାନ୍ କାର୍ଡ କାର୍ଯ୍ୟକାରୀ କରିବାରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଛି । ଏଣୁ ଯୋଗାଣ ବିଭାଗୀୟ ମନ୍ତ୍ରୀ ଏ ସଂପର୍କରେ ତୁରନ୍ତ ଦୃଷ୍ଟି ଦେବାକୁ ସର୍ବସାଧାରଣରେ ଦାବି ହେଉଛି ।