ରାସ୍ତା ତଳକୁ ଓଲଟିଲା ସ୍କୁଲ ବସ୍, ବର୍ତ୍ତିଲେ ୬ ପିଲା
ଚୌଦ୍ୱାର (ଆପ୍ର): ଚୌଦ୍ୱାରରୁ ମଣ୍ଡାପଡ଼ା ଯାଇଥିବା ବିରୂପା ନଦୀକୂଳ ରାସ୍ତାରେ ଶନିବାର ଏକ ସ୍କୁଲ ବସ୍ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ବସ୍ଟି ରାସ୍ତା ତଳକୁ ଓଲଟି ପଡ଼ିଥିବାବେଳେ ସେଥିରେ ଥିବା ୬ଜଣ ଛାତ୍ରଛାତ୍ରୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ପ୍ରକାଶଯେ ଚୌଦ୍ୱାର ନିକଟ ଇଡକୋ ଶିଳ୍ପାଞ୍ଚଳ ନିକଟରେ ଥିବା ଉତ୍କଳ ଇଣ୍ଟର ନେସନାଲ ସ୍କୁଲର ଓଆର-୦୫- ବିଇ- ୭୫୯୧ନମ୍ବର ଯୁକ୍ତ ବସ୍ଟି ଶନିବାର ସକାଳେ ଜଗତପୁର ଓ ଚୌଦ୍ୱାରରୁ ୬ଜଣ ପିଲାଙ୍କୁ ନେଇ ମଣ୍ଡାପଡ଼ା ଓ ହରିନାଥପୁରରୁ ପିଲା ଆଣିବାକୁ ଯାଉଥିବାବେଳେ ରାସ୍ତାର ପୋଟଳେଇ ମନ୍ଦିରର ଅନତି ଦୂରରେ ସମ୍ନାରୁ ଆସୁଥିବା ଦୁଇଜଣ ସାଇକେଲ ଆରୋହୀଙ୍କୁ ବଞ୍ଚାଇବା ପାଇଁ ଡ୍ରାଇଭର ବସ୍ଟିକୁ ରାସ୍ତା କଡ଼କୁ କାଟି ଦେଇଥିଲେ । ଫଳରେ ବସ୍ଟି ଭାରସାମ୍ୟ ହରାଇ ନଦୀ ପଟକୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ହେଲେ ବସ୍ ଭିତରେ ଥିବା ୬ ଜଣ ପିଲା ଓ ଡ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ବସ୍ର କେହି ଆହତ ହୋଇ ନଥିବା ଜଣାପଡ଼ିଛି । ଖବର ପାଇ ସ୍ଥାନୀୟ ଲୋକେ ଓ ପୁଲିସ୍ ପିଲାମାନଙ୍କୁ ବସ୍ ଭିତରୁ ଉଦ୍ଧାର କରି ସେମାନଙ୍କ ଘରକୁ ପଠାଇ ଥିଲେ ।
ସୂଚନାଯୋଗ୍ୟ ଯେ ମହାନଦୀ ଜଳସେଚନ ଉତ୍ତର ଡିଭିଜନ୍ ବିଭାଗ ଦାୟିତ୍ୱରେ ଥିବା ଏକ ଥାକିଆ ନଦୀକୂଳ ରାସ୍ତାଟି ଦୀର୍ଘଦିନ ହେବ ମରାମତି ଓ ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇଥିବାରୁ ପଥଚାରୀ ଓ ଗାଡ଼ି ମଟର ପାଇଁ ବିପଦ ସଂକୁଳ ହୋଇପଡ଼ିଛି । ରାସ୍ତାଟିକୁ ୨ଥାକିଆ କରିବା ଓ ମରାମତି କରିବା ପାଇଁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଓ ଚୌଦ୍ୱାର ପୌର ପାଳିକା ତରଫରୁ ଜଳସେଚନ ବିଭାଗକୁ ବାରମ୍ବାର ଲିଖିତ ଅନୁରୋଧ କରାଯାଇଥିଲେ ହେଁ ରାସ୍ତାଟିକୁ ଏଯାବତ୍ ସଜଡ଼ା ଯାଉ ନଥିବାରୁ ଏହି ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି । ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣାରେ ଦାବି ହେଉଛି ।