ଜୀବନ ହାରିଲେ ରାଇମୋହନ
ଭୁବନେଶ୍ୱର / ପୁରୀ, ୨୪ା୬ (ବୁ୍ୟରୋ): ଓଡିଆ ସିନେ ପ୍ରେମୀ ଓ ଯାତ୍ରା ପ୍ରେମୀଙ୍କ ପାଇଁ ଦୁଃଖଦ ଖବର । ଜଣାଶୁଣା ଖଳନାୟକ ରାଇମୋହନ ପରିଡ଼ା ଆଉ ନାହାନ୍ତି । ଭୁବନେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଇମୋହନ ଆତ୍ମହତ୍ୟା କରିଥିବା କୁହାଯାଉଛି । ମୃତୁ୍ୟ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ତାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମଞ୍ଚେଶ୍ୱର ପୁଲିସ କ୍ୟାପିଟାଲ ଶବ ଜବତ କରି ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନଝିଅ ଉଦିତା ମୁଖାଗ୍ନି ଦେଇଛନ୍ତି ।
କ୍ୟାପିଟାଲ ହସ୍ପିଟାଲରେ ପରିବାରବର୍ଗ ତାଙ୍କ ଚକ୍ଷୁ ଦାନ କରିଛନ୍ତି । ତାଙ୍କ ଅକାଳ ମୃତୁ୍ୟ ଓଲିଉଡ୍ ଓ ଯଲିଉଡ୍ରେ ଶୋକର ଛାୟା ଖେଳାଇ ଦେଇଛି । ରାଇମୋହନଙ୍କ ପରଲୋକ ଖବର ପାଇ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ରାଜ୍ୟପାଳ ଗଣେଶୀ ଲାଲ ଶୋକବାର୍ତ୍ତାରେ ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ଏଭଳି ଏକ ଦାରୁଣ ଦୁଃଖ ସହିବାକୁ ଈଶ୍ୱର ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ରାଇମୋହନଙ୍କ ପରଲୋକ ଖବର ଅତ୍ୟନ୍ତ ଦୁଃଖଦାୟକ । ସେ ଯାତ୍ରାଠାରୁ ଆରମ୍ଭକରି ଚଳଚ୍ଚିତ୍ର ପର୍ଯ୍ୟନ୍ତ କଳାର ବିଭିନ୍ନ କ୍ଷେତ୍ରରେ ସକ୍ରିୟ ଥିଲେ । ତାଙ୍କ ପରଲୋକ ଅଭିନୟ ଜଗତ ପାଇଁ ଅପୂରଣରୀୟ କ୍ଷତି । ତାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାନ୍ତ୍ୱନା ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ରାତିରେ ରାଇମୋହନ ଠିକ୍ଠାକ୍ ଥିଲେ । ସକାଳେ ଘରୁ ତାଙ୍କ ମୃତଦେହ ଛୁଲୁଥିବା ଅବସ୍ଥାରେ ଉଦ୍ଧାର କରଯାଇଥିଲା । ଆତ୍ମହତ୍ୟା ଖବର ପ୍ରଚାରିତ ହେବା ମାତ୍ରେ ଶହଶହ ପ୍ରଶଂସକ, କଳାକାର, ସାଧାରଣ ଲୋକ ତାଙ୍କ ବାସଭବନରେ ପହଞ୍ଚିଥିଲେ । ସମସ୍ତଙ୍କ ମୁହଁରେ ରାଇମୋହନଙ୍କ ଭଳି ଜଣେ ବ୍ୟକ୍ତି କ’ଣ ପାଇଁ ଆତ୍ମହତ୍ୟା କଲେ ତାହା ଶୁଣିବାକୁ ମିଳିଥିଲା । ମଞ୍ଚେଶ୍ୱର ପୁଲିସ ପହଞ୍ଚି ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ବ୍ୟବଚ୍ଛେଦ ପରେ ମରଶରୀର ସଙ୍ଗୀତ ନାଟକ ମହାବିଦ୍ୟାଳୟକୁ ନିଆଯିବା ପରେ ବାସଭବନକୁ ଅଣାଯାଇଥିଲା । ଘରେ ତାଙ୍କ ସହକର୍ମୀ, କଳାକାର, ପ୍ରଶଂସକ ଶେଷ ଦର୍ଶନ କରିବା ପରେ ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ନିଆଯାଇଥିଲା । ରାଇମୋହନଙ୍କ ପତ୍ନୀ ରଞ୍ଜିତା ଓ ଦୁଇ କନ୍ୟା ଅଛନ୍ତି । ବଡ଼ ଝିଅଙ୍କର ବିବାହ ସରିଛି । ଘରେ ପତ୍ନୀ ଓ ସାନ ଝିଅ ରହୁଛନ୍ତି । ଅନ୍ୟପକ୍ଷରେ ପାରିବାରିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପଡୋଶୀମାନେ ପ୍ରକାଶ କରିଛନ୍ତି ।
୧୯୬୩ଳୂ ଜୁଲାଇ ୧୦ରେ କେନ୍ଦୁଝର ଜିଲ୍ଲା ସାହରପଡ଼ା ବ୍ଲକ ଉଦୟପୁରରେ ଜନ୍ମିତ ରାଇମୋହନ ଆଉ ଦୁଇ ସପ୍ତାହ ପରେ ଜନ୍ମଦିନ ପାଳନ କରିଥାନ୍ତେ । କିନ୍ତୁ ଏହା ପୂର୍ବରୁ ତାଙ୍କ ଅକାଳ ମୃତୁ୍ୟ ଘଟିଲା । କରଞ୍ଜିଆ କଲେଜରୁ ସ୍ନାତ୍ ଶିକ୍ଷାଲାଭ କରିବାଳ ପରେ ସେ ଉକ୍ରଳ ସଂଗୀତ ନାଟକ ମହାବିଦ୍ୟାଳରୁ ଅଭିନୟରେ ଡଗ୍ରୀ ହାସଲ କରିଥିଲେ । ସେଠାରେ ପ୍ରଖ୍ୟାତ୍ ଅଭିନେତା ବିଜୟ ମହାନ୍ତିଙ୍କଠାରୁ ଶିକ୍ଷା ଗ୍ରହଣ କରି ନେଗେଟିଭ୍ ଚରିତ୍ରରେ ଅଭିନୟ ଆରମ୍ଭ କରିଥିଲେ ।
‘ସାଗର’ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ । ୧୯୮୪ରେ ଫିଲ୍ମ ଗଙ୍ଗ ଶିଉଳିରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଅଭିନୟ କ୍ୟାରିଅର୍ରେ ସେ ଶତାଧିକ ଓଡ଼ିଆ ଓ ୧୫ରୁ ଊଦ୍ଧ୍ୱର୍ ବଙ୍ଗଳା ଫିଲ୍ମରେ ଅଭିନୟ କରିଛନ୍ତି । ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ’ ଡର କାହାକୁ, ନେଇଯା’ରେ ମେଘ ମତେ, ଛାତି ଚିରି ଦେଲେ ତୁ, କାଳିଶଙ୍କର, କଣ୍ଢେଇ ଆଖିରେ ଲୁହ, ସୁନା ସଂସାର, ଏମିତି ଭାଇ ଜଗତେ ନାହିଁ, କୋଟିଏ ମଣିଷ ଗୋଟିଏ ଜଗା, ଆସୁଛି ମୋ କାଳିଆସୁନା, ଚକାଆଖି ସବୁ ଦେଖୁଛି, ସହରୀ ବାଘ ଭଳି ଅନେକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତାଙ୍କ ସଂଳାପ ‘ହେ ଅନାନି’ କୁ ସିନେପ୍ରେମୀ ସବୁଦିନ ଲାଗି ମନେ ରଖିବେ । ୧୯୯୧-୯୨ରେ ସେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିଦେ୍ର୍ଦଶନା ଦେଇଥିଲେ । ଆଉ ତା’ ପରେ ଆରମ୍ଭ ହୋଇଥିଲା ଯାତ୍ରା ଇନିଂସ । ପ୍ରାୟ ତିନି ଦଶନ୍ଧି ଧରି ଅଭିନୟ ଜଗତରେ ନିଜର ଦବ୍ଦବା ଜାହିର କରିଥିବା ରାଇମୋହନଙ୍କ ଆତ୍ମହତ୍ୟା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି ।
ତାଙ୍କ ପରଲୋକରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ବହୁତ ସଂଘର୍ଷ କରି ରାଇ ଭାଇ ଫିଲ୍ମ ସହ ଯାତ୍ରା ଦୁନିଆରେ ଶୀର୍ଷକୁ ଯାଇଥିଲେ । ମାନସିକ ଭାବେ ବହୁତ ଷ୍ଟ୍ରଙ୍ଗ ଥିଲେ ବି କ’ଣ ପାଇଁ ସେ ଏପରି ପଦକ୍ଷେପ ଉଠାଇଲେ, ତାହା ବୁଝି ହେଉନି । ପ୍ରଖ୍ୟାତ ହାସ୍ୟ ଅଭିନେତା ଜୟୀରାମ ସାମଲ କହିଛନ୍ତି ରାଇମୋହନଙ୍କ ସହିତ ମୋର ଘନିଷ୍ଠ ସମ୍ପର୍କ ଥିଲା । ସେ ଆତ୍ମହତ୍ୟା କରିବେ କେବେ ବି ଚିନ୍ତା କରିହେଉନି । ଯାତ୍ରା ଜଗତର ଜଣାଶୁଣା ଖଳ ନାୟକ ଦୈତାରୀ ପଣ୍ଡା ରାଇମୋହନଙ୍କ ଆତ୍ମହତ୍ୟା ଖବର ପାଇ କୋହ ସମ୍ବରଣ କରିପାରି ନ ଥିଲେ । ସେ କହିଛନ୍ତିି, ଆର୍ଥିକ ଓ ମାନସିକ ସ୍ତରରେ ସେ ବେଶ ସବଳ ଥିଲେ । ତାଙ୍କ ଭଳି ଜଣେ ଭଲ ମଣିଷ ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖଦାୟକ ।
ସ୍ୱର୍ଗଦ୍ୱାରରେ ସ୍ୱର୍ଗତ ଅଭିନେତାଙ୍କୁ ଦେଖିବାକୁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ପୁଲିସ୍ ଭିଡ ନିୟନ୍ତ୍ରଣ କରିଥିଲା । ରାତି ପ୍ରାୟ ସାଢେ ୯ଟା ବେଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସ୍ୱର୍ଗଦ୍ୱାରରେ ଶତାଧିକ ପ୍ରଶଂସକ, ଅଭିନେତା, ସାଧାରଣ ଜନତା ଉପସ୍ଥିତ ରହି ପ୍ରିୟ ଅଭିନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ ।