ଉଠିଲା ତିନି ରଥର ୧୨ ଦ୍ୱାର ବେଢ଼ା
ରଥଖଳାରୁ …
ପୁରୀ (ବୁ୍ୟରୋ): ୫ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀରୁ ଓହ୍ଲାଇ ରଥରେ ବସି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାବିଗ୍ରହ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ କରୁଥିବା ବେଳେ ରଥଖଳାରେ ମଧ୍ୟ ମହାରଣା, ଭୋଇ ସେବକଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଛି । ହାତରେ ଆଉ ମାତ୍ର ୪ ଦିନ । କିଭଳି ବିଶ୍ୱନିୟନ୍ତାଙ୍କ ରଥ ନିର୍ମାଣ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ତାହା ଉପରେ ସମସ୍ତଙ୍କ ନଜର । ଶୁକ୍ରବାର ତିନି ରଥର ୧୨ଟି ଦ୍ୱାର ବେଢ଼ା ଉଠିଥିବା ବେଳେ ୨୪ଟି ନାଟଗୋଡ଼ ମଧ୍ୟ ଉଠିଛି । ରଥନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଥିବା ବେଳେ ପ୍ରଭା କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।
ସେହିପରି ତିନି ରଥର ଚାରିପାଶ୍ୱର୍ରେ ହଂସପଟା କଟିଙ୍ଗ କରାଯାଉଥିବା ବେଳେ ଚିତ୍ରକର ସେବାୟତମାନେ ସେମାନଙ୍କ ତୁଳୀ ମୁନରେ ରଥକୁ ରଙ୍ଗ କରିବାରେ ଲାଗି ପଡ଼ିଛନ୍ତି । ସେହିପରି ଦୋଳବେଦୀକୋଣ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ସାରଥୀ ବାଗିଆ କଣ୍ଟା, ଘୋଡ଼ା ବାଗିଆ କଣ୍ଟା ନିର୍ମାଣ ସହ ଦୁଆରବେଢ଼ା ସେଟିଙ୍ଗ ପାଇଁ କଣ୍ଟା ନିର୍ମାଣ କରିଥିବା ବେଳେ ଦରଜୀ ସେବାୟତମାନେ ତିନି ରଥ ନିମନ୍ତେ ରଥ କନା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ।