ନାମାଙ୍କନ ଦାଖଲ କଲେ ଦ୍ରୌପଦୀ

ନୂଆଦିଲ୍ଲୀ, ୨୪ା୬: ବିଜେପି ନେତୃତ୍ୱାଧୀନ ଏନ୍ଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି । ସଂସଦ ପରିସର ସ୍ଥିତ ରାଜ୍ୟସଭା ମହାସଚିବଙ୍କ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀ ପି.ସି. ମୋଦିଙ୍କୁ ମୁର୍ମୁ ନାମାଙ୍କନ ପତ୍ର ହସ୍ତାନ୍ତର କରିଥିଲେ ।
ଦ୍ରୌପଦୀ ରିଟର୍ଣ୍ଣିଂ ଅଫିସର ପିସି ମୋଦିଙ୍କ ନିକଟରେ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ନାମାଙ୍କନ ସେଟ୍ରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ପ୍ରସ୍ତାବକ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଅନୁମୋଦକ ରହିଛନ୍ତି । ଏହି ସେଟ୍ରେ ଏକାଧିକ ବିଜେପି ସଂସଦୀୟ ବୋର୍ଡ଼ ସଦସ୍ୟ, କେନ୍ଦ୍ର ମନ୍ତ୍ରୀ ଏବଂ ରାଷ୍ଟ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି । ମୋଟାମୋଟି ଏହି ସେଟ୍ରେ ୬ଠଜଣ ପ୍ରସ୍ତାବକ ଏବଂ ୬ଠଜଣ ଅନୁମୋଦକଙ୍କୁ ମିଶାଇ ମୋଟ୍ ୧୨ଠ ଜଣଙ୍କ ନାମ ସାମିଲ କରାଯାଇଛି । ସେହିପରି ୨ୟ ସେଟ୍ ପ୍ରାର୍ଥୀପତ୍ରରେ ଜେପି ନଡ୍ଡା ପ୍ରସ୍ତାବକ ରହିଥିବା ବେଳେ ୬ଠ ଜଣ ପ୍ରସ୍ତାବକ ଏବଂ ୬ଠଜଣ ଅନୁମୋଦକଙ୍କୁ ମିଶାଇ ମୋଟ୍ ୧୨ଠ ଜଣଙ୍କ ନାମ ସାମିଲ କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ସାମିଲ ରହିଛି । ଏତଦ୍ବ୍ୟତୀତ ୩ୟ ପ୍ରାର୍ଥୀପତ୍ର ପାଇଁ ହରିଆଣା ଏବଂ ହିମାଚଳପ୍ରଦେଶର ବିଜେପି ବିଧାୟକ ପ୍ରସ୍ତାବକ ଏବଂ ଅନୁମୋଦକ ରହିଛନ୍ତି । ୪ର୍ଥ ସେଟ୍ରେ ଗୁଜରାଟ ବିଧାୟକ ପ୍ରସ୍ତାବକ ଏବଂ ଅନୁମୋଦକ ରହିଛନ୍ତି ।
ନାମାଙ୍କନ ଦାଖଲ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ, ପୀୟୁଷ ଗୋଏଲ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସହଯୋଗୀ ଦଳର ନେତୃବୃନ୍ଦ ତଥା ଦ୍ରୌପଦୀଙ୍କ ପାଇଁ ପ୍ରସ୍ତାବକ ଥିବା ବିଜୁ ଜନତା ଦଳର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଏବଂ ବିଜେଡି ନେତା ସସ୍ମିତ ପାତ୍ର, ୱାଇଏସ୍ଆର କଂଗ୍ରେସ ପକ୍ଷରୁ ବିଜୟସାଈ ରେଡ୍ଡୀ, ଏଆଇଡିଏମ୍କେ ନେତା ଓ. ପନୀରସେଲବମ୍ ଏବଂ ଥବୀଦୁରାଇ, ଜେଡିୟୁ ପକ୍ଷରୁ ରାଜୀବ ରଞ୍ଜନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
ଶୁକ୍ରବାର ମଧ୍ୟାହ୍ନରେ ଓଡ଼ିଶା ଭବନରୁ କଡା ସୁରକ୍ଷା ବଳୟ ମଧ୍ୟରେ ସଂସଦ ଭବନରେ ପହଞ୍ଚଥିଲେ ଦ୍ରୌପଦୀ । ସେଠାରେ ତାଙ୍କୁ ବିଭିନ୍ନ ଦଳର ନେତାମାନେ ସ୍ୱାଗତ କରିଥିଲେ । ପରମ୍ପରା ଅନୁଯାୟୀ ଦ୍ରୌପଦୀ ମୁର୍ମୁ ପ୍ରାର୍ଥôପତ୍ର ଦାଖଲ ପୂର୍ବରୁ ବିରୋଧୀ ପକ୍ଷର ତିନି ପ୍ରମୁଖ ନେତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ଅଧ୍ୟକ୍ଷା ମମତା ବାନାର୍ଜୀ ଏବଂ ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରି ସବୁ ବିରୋଧୀ ଦଳଙ୍କ ସମର୍ଥନ ଲୋଡ଼ିଛନ୍ତି । ତିନି ପ୍ରମୁଖ ବିରୋଧୀ ନେତା ଦ୍ରୌପଦୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ବିରୋଧୀ ଦଳମାନଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯଶୱନ୍ତ ସିହ୍ନା ଆସନ୍ତା ୨୭ରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ଶ୍ରୀସିହ୍ନାଙ୍କୁ ଟିଏମ୍ସି, କଂଗ୍ରେସ, ଏନ୍ସିପି, ଶିବସେନା, ଆରଜେଡି ଭଳି ବିଜେପି ବିରୋଧୀ ଦଳଗୁଡ଼ିକ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି । କେବଳ ଅଣବିଜେପି ଦଳ ଭାବେ ଆମ୍ ଆଦ୍ମୀ ପାର୍ଟି (ଆପ୍) ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଇତିମଧ୍ୟରେ କେନ୍ଦ୍ର ସରକାର ଯଶୱନ୍ତଙ୍କ ପାଇଁ ସିଆରପିଏଫ୍ କମାଣ୍ଡୋଙ୍କ ଜେଡ୍ ସୁରକ୍ଷା ବନେ୍ଦାବସ୍ତ କରିଛନ୍ତି ।
ନିର୍ବାଚନରେ ଜିତିଲେ ଦ୍ରୌପଦୀ ମୁର୍ମୁ ହେବେ ଦେଶର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି । ମତଦାନ ଜୁଲାଇ ୧୮ରେ ହେବ । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେଉଛି । ପରଦିନ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *