ଶିବସୈନିକଙ୍କ ହଙ୍ଗାମା

ମୁମ୍ବାଇ/ଗୁଆହାଟୀ, ୨୪ା୬: ମହାରାଷ୍ଟ୍ରରେ ରାଜନୈତିକ ମହାଭାରତ ଚାଲିଥିବାବେଳେ ଆଉ ଏକ ବଡ଼ ସଙ୍କଟ ସମ୍ମାକୁ ଆସିଛି । ଏକନାଥ ସିନେ୍ଦଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ଗୁଆହାଟୀର ଏକ ଲଗ୍ଜରୀ ହୋଟେଲରେ ଥାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱକୁ ଚାଲେଞ୍ଜ ଦେଇଥିବାବେଳେ କ୍ଷମତା ଲଢ଼େଇ କ୍ରମଶଃ ହିଂସ୍ର ରୂପ ନେଉଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ମୁମ୍ବାଇ ସମେତ ରାଜ୍ୟର ସମସ୍ତ ଥାନାକୁ ହାଇ ଆଲର୍ଟରେ ରଖାଯାଇଛି । ସୁରକ୍ଷା ଏଜେନ୍ସିମାନେ ଏଥିପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି ।
ମହାରାଷ୍ଟ୍ରରେ ଶିବସୈନିକମାନେ କେତେକ ବିଦ୍ରୋହୀ ନେତାଙ୍କ କାର୍ଯ୍ୟାଳୟରେ ଚଢ଼ଉ କରିଛନ୍ତି । ମୁମ୍ବାଇ ଫେରିଲେ ଦେଖି ନେବୁ ବୋଲି ଶିବ ସେନାର କେତେକ ବରିଷ୍ଠ ନେତା ସେମାନଙ୍କୁ ଚେତାବନୀ ଦେବା ପରେ ଶିବସୈନିକମାନେ କୁଲୀ ବିଧାୟକଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି, ସିନେ୍ଦଙ୍କ ଫଟୋ ପୋଷ୍ଟରରେ କାଳି ବୋଳିଛନ୍ତି ଏବଂ ଚାନ୍ଦିୱାଲୀ ବିଧାୟକଙ୍କ ପୋଷ୍ଟର ଚିରିଛନ୍ତି । ବହୁ ସଂଖ୍ୟକ ଶିବସୈନିକ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ରାଜ୍ୟ ପୁଲିସକୁ ଗୁଇନ୍ଦା ସୂଚନା ମିଳିଛି । ସାମ୍ପ୍ରତିକ ଅରାଜକ ପରିସ୍ଥିତି ପରିପ୍ରେକ୍ଷୀରେ ବିଜେପି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛି ।
ଶୁକ୍ରବାର ସନ୍ଧ୍ୟାରେ ମାତୋଶ୍ରୀଠାରେ ମହାବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟର ପ୍ରମୁଖ ସହଯୋଗୀ ଏନ୍ସିପିର ମୁଖିଆ ଶରଦ ପାୱାର, ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର, ମନ୍ତ୍ରୀ ଜୟନ୍ତ ପାଟିଲ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସହ ଆଲୋଚନା କରିଛନ୍ତି । ପରବର୍ତ୍ତୀ ରଣନୀତି କରିବା ଲାଗି ଉଦ୍ଧବ ଠାକ୍ରେ ଶନିବାର ଅପରାହ୍ଣରେ ପାର୍ଟି ନେତାଙ୍କ ବୈଠକ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ) ଡାକିଛନ୍ତି ।
ବିଦ୍ରୋହୀ ନେତା ଏକନାଥ ସିନେ୍ଦ ମୁମ୍ବାଇ ଆସି ଉପବାଚସ୍ପତି ନରହରି ଜିରୱାଲଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିଲା । ସଞ୍ଜୟ ରାୱତ ଆଦି କେତେକ ନେତାଙ୍କ ଧମକ ପରିପ୍ରେକ୍ଷୀରେ ସିନେ୍ଦ ମୁମ୍ବାଇ ଫେରିବା କାର୍ଯ୍ୟକ୍ରମକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । ସିନେ୍ଦଙ୍କ ଶିବିରରେ ଅଧିକରୁ ଅଧିକ ଶିବସେନା ବିଧାୟକ ଯୋଗ ଦେଉଥିବା ଖବର ମିଳିଛି ।
ଅପରପକ୍ଷେ ଶିବସେନା ପକ୍ଷରୁ ଆଉ ଚାରିଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସମ୍ପର୍କିତ ଚିଠି ଉପବାଚସ୍ପତିଙ୍କ ନିକଟକୁ ପଠା ଯାଇଛି । ଗୁରୁବାର ୧୨ ବିଧାୟକଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଥିଲା । ଉପବାଚସ୍ପତି ନରହରି ଜିରୱାଲ୍ ସିନେ୍ଦଙ୍କୁ ହଟାଇ ଅଜୟ ଚୌଧରୀଙ୍କୁ ଶିବସେନା ନେତା ଘୋଷଣା କରିଛନ୍ତି ।
ସିନେ୍ଦ କହିଛନ୍ତି ଉଦ୍ଧବ ସରକାର ସଂଖ୍ୟାଲଘୁ ହୋଇପଡ଼ିଛି । ଆମ ବିଧାୟକମାନଙ୍କୁ ଧମକଚମକ ଦିଆଯାଉଛି । ଆମେ କିନ୍ତୁ ଡରିବୁ ନାହିଁ, ଆମ ପାଖରେ ଶିବସେନା ୩୯ ଓ ନିର୍ଦ୍ଦଳୀୟ ୧୪ ବିଧାୟକ ଅଛନ୍ତି । ଅପରପକ୍ଷେ ଏନ୍ସିପି ଅଧ୍ୟକ୍ଷ ଶରଦ ପାୱାର ସ୍ପଷ୍ଟ କରିଦେଇଛନ୍ତି ଯେ, ମେଣ୍ଟ ସରକାରର ଭାଗ୍ୟ ନିର୍ଦ୍ଧାରଣ ମହାରାଷ୍ଟ୍ର ବିଧାନସଭାରେ ହିଁ ହେବ, ଗୁଆହାଟିର କୌଣସି ହୋଟେଲରେ ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *