ଗଞ୍ଜେଇ ଜବତ:୨ ଗିରଫ ଓ୨ କାର୍ ଜବତ
ନରସିଂହପୁର (ଆପ୍ର): କଟକ ଜିଲ୍ଲା କାନପୁର ଥାନା ଦ୍ୱାରା ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ବେଳେ ଧରିବାରେ ସଫଳ ହୋଇଛି । କିଛିଦିନ ଧରି ଫୁଲବାଣୀର ବିଭିନ୍ନ ଅଞ୍ଚଳରୁ କଟକ ଜିଲ୍ଲାକୁ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ଜାରି ରହିଥିଲା । ଯେତେ ପ୍ରକାର ପୁଲିସ ବ୍ୟବସ୍ଥା କରାଗଲେ ମଧ୍ୟ ଚାଲାଣକାରୀଙ୍କୁ କାବୁ କରିବା କଷ୍ଟସାଧ୍ୟ ଭଳି ଲାଗୁଥିଲା । ମାତ୍ର ଆଜି କାନପୁର ପୁଲିସ ପାଇଁ ବଡ଼ ସଫଳତା ମିଳିଛି ।
ସୂଚନାରୁ ପ୍ରକାଶ, ଗୁରବାର ରାତିରେ ବୈାଦ୍ଧ ଅଞ୍ଚଳରୁ ଗୋଟିଏ କାରରେ ୭୨ କିଲୋ ଗଞ୍ଜେଇ ଭର୍ତ୍ତିହୋଇ ବଡମ୍ବା ଥାନା ମାଣିଆବନ୍ଧ ଅଞ୍ଚଳକୁ ଆସୁଥିଲା । ଗଞ୍ଜେଇ ଭର୍ତ୍ତି କାରଟିକୁ ଆଉ ଏକ କାର ପଥ ପଦର୍ଶନ କରି ଆସୁଥଲା । ବିଶେଷ ସୂତ୍ରରୁ କାନପୁର ପୁଲିସ ଖବର ପାଇ ଏକଡାଳ ଠାରେ ଜଗି ରହିଥିଲେ । ଖବର ମୁତାବକ କାର ୨ଟି ଏକଡାଳ ଅତିକ୍ରମ କରିବା ମାତ୍ରେ କାନପୁର ପୁଲିସ କାର ୨ଟିର ପିଛା କରିଥିଲେ । କିଛିବାଟ ଯିବାପରେ ଗଞ୍ଜେଇ ଭର୍ତ୍ତି କାରଟି ଏକ ଖାଲକୁ ଖସିଯାଇଥିଲା । ସଙ୍ଗେ ସଙ୍ଗେ କାନପୁର ଥାନା ଅଧିକାରୀ ରବିନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ଯାଇଥିବା ପୁଲିସ କର୍ମଚାରୀ ଓହ୍ଲାଇ କାରରେ ଥିବା ଦୁଇ ଗଞ୍ଜେଇ ଚାଲାଣକାରୀ ବଡମ୍ବା ଥାନା କୁଆଁରପାଳ ଗ୍ରାମର ବିକାଶ ଚଣ୍ଡ ଏବଂ ମାଣିଆବନ୍ଧ ଗ୍ରାମର ଅଶୋକ ବାରିକଙ୍କୁ କାବୁ କରିବା ସହିତ ସମସ୍ତ ଗଞ୍ଜେଇ ଓ କାର ୨ଟିକୁ ଜବତ କରି ଥାନାକୁ ଆଣିଥିଲେ । ଏହାପରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ଶୁକ୍ରବାର ଏକ୍ଜିକୁ୍ୟଟିଭ ମାଜିଷ୍ଟ୍ରେଟ ଆଲୋକ କୁମାର ଦେହୁରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବା ସହିତ ୭୨ କିଲୋ ଗଞ୍ଜେଇ ସମେତ ୨ଟି କାର ଜବତ କରିଥିଲେ । ଏହା କାନପୁର ପୁଲିସ ପକ୍ଷରୁ ବଡ଼ ସଫଳତା ହୋଇଥିବା ସାଧାରଣରେ ପ୍ରକାଶ ପାଇଛି ।