ଏକାଦଶୀରେ ଅଲାରନାଥଙ୍କ ବିରଳ ନଟବର ବେଶ

ଅଣସର ଦର୍ଶନର ଦଶମ ଦିନ
ବ୍ରହ୍ମଗିରି (ଆପ୍ର): ଅଲାରନାଥ ପୀଠରେ ଚାଲିଥିବା ଅଣସର ଦର୍ଶନ ୧୦ମ ଦିନରେ ପହଞ୍ଚିଛି । ଶୁକ୍ରବାର ଏକାଦଶୀ ତିଥିରେ ଶ୍ରୀଜିଉଙ୍କର ବିରଳ ନଟବର ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ବର୍ଷକୁ ଥରେ ମାତ୍ର ଅଣସର ଦର୍ଶନ ସମୟରେ ଏକାଦଶୀ ତିଥିରେ ହୋଇଥାନ୍ତି । ଏହି ବେଶ ଦର୍ଶନ କରିବା ପାଇଁ ବର୍ଷକର ଥିବା ଆଶା ଆକାଂକ୍ଷା ଆଜି ପୂରଣ ହୋଇଛି । ସେବାୟତମାନଙ୍କ ଦ୍ୱାରା ପ୍ରତ୍ୟେହ ନୀତି ସମ୍ପାଦନ ହୋଇ ଏହି ବେଶ ଅନୁଷ୍ଠିତ ହୋଇଥିବା ବେଳେ ଏକାଦଶୀ ତିଥିରେ ତୁଳସୀ ବାବା ସନ୍ଥ ରାମଶରଣ ଦାଶ ମହାରାଜ ତୁଳସୀ ସହିତ ବିଭିନ୍ନ ପ୍ରକାରର ଫଳଭାର ଆଣି ଶ୍ରୀଜିଉଙ୍କ ପୀଠରେ ପହଞ୍ଚି ପ୍ରଭୁଙ୍କୁ ଅର୍ପଣ କରିଛନ୍ତି ।
ଏକାଦଶୀ ତିଥିରେ ଫଳ ଆହାର ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଅଲାରନାଥଙ୍କୁ ଫଳାଭିଷେକ କରାଯାଇଛି । ଆଜି ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ, ମଇଲମ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବହ୍ଲଭ ଓ ରାମଶରଣ ଦାଶ ମହାରାଜଙ୍କ ଦ୍ୱାରା ଆସିଥିବା ପ୍ରାୟ ୨୧ ପ୍ରକାର ଫଳରେ ପ୍ରଭୁଙ୍କୁ ଫଳାଭିଷେକ କରାଯାଇଥିଲା । ପରେ ସାହାଣ ମେଲା ହୋଇ ସର୍ବସାଧାରଣ ଦର୍ଶନ ହୋଇଥିଲା । ସକାଳ ଧୂପରେ ଶ୍ରୀଜିଉଙ୍କ ନୀତି ଭୋଗରେ ଅନ୍ନ, ଖେଚୁଡ଼ି, ମିଠା ଅନ୍ନ, ଡାଲି, ଡାଲମା, ବେଶର, ମହୁର ସମେତ ଖିରି ଭୋଗ କରାଯାଇ ଅଣସର ସମସ୍ତ ନୀତିକାନ୍ତି ସମାପନ ସହିତ ଦିନ ସାଢ଼େ ୧୨ଟାରେ ପହଡ଼ ପଡ଼ିଥିଲା । ଦିନ ସାଢେ ଗୋଟାଏରେ ଚିଆଁ ପହୁଡ଼ ହୋଇ ପୁନର୍ବାର ସର୍ବସାଧାରଣ ଦର୍ଶନ ଚାଲିଥିଲା । ସନ୍ଧ୍ୟାରେ ସଂସ୍କୃତି ବିଭାଗ ଓଡ଼ିଶାର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବ ହୋଇଥିଲା । ଅନ୍ୟାନ୍ୟ ନୀତି ବଢ଼ି ରାତି ୧୧ଟାରେ ବଡ଼ସିଂହାର ବେଶ ହେବା ପରେ ପହୁଡ଼ ହୋଇଥିଲା । ଏକାଦଶୀ ତିଥି ଥିବାରୁ ସକାଳ ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *