୪ରେ ପିଡିଏସ୍ ଡିଲର ସଂଘର ବିକ୍ଷୋଭ
ଯାଜପୁର (ଆପ୍ର): ଆସନ୍ତା ୪ରେ ଯାଜପୁର ପିଡିଏସ ଡିଲର ସଂଘ ପକ୍ଷରୁ ଜିଲ୍ଲାର ୧୦ଟି ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହାସହ ୯ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯିବ ବୋଲି ଯାଜପୁର ଅଫିସର୍ସ କ୍ଲବ୍ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିଡିଏସ୍ ଡିଲର୍ ସଂଘ ଜିଲ୍ଲା ସଭାପତି ବାସୁଦେବ ବେହେରା ସୂଚନା ଦେଇଛନ୍ତି । ୪ରେ ବ୍ଲକ୍ସ୍ତରୀୟ, ୧୧ରେ ଜିଲ୍ଲାସ୍ତରୀୟ, ୧୮ରେ ରାଜ୍ୟସ୍ତରୀୟ ବିକ୍ଷୋଭ କରାଯିବା ପରେ ଅଗଷ୍ଟ ୨ରେ ସାଂସଦ ଭବନ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ବିକ୍ଷୋଭ ଚଳିତ ୧୮ରେ ଭୁବନେଶ୍ୱର ପିଏମଜି ଛକ ଠାରେ ହେବ ।
କେନ୍ଦ୍ର ସରକାରଙ୍କୁ ଦୀର୍ଘ ବର୍ଷ ହେବ ଖାଦ୍ୟ ଶସ୍ୟ ବିତରଣ ବାବଦକୁ କ୍ୱିଣ୍ଟାଲ୍ ପିଛା ୪୫୦ ବୃଦ୍ଧି କରିବା ପାଇଁ ଦାବି କରାଯାଇଥିଲା । ଏ ନେଇ କେନ୍ଦ୍ର ସରକାର ଏକ କମିଟି ଗଠନ କରି କମିଟିର ରିର୍ପୋଟ ଆଧାରରେ ବର୍ଦ୍ଧିତ ହାର ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କେନ୍ଦ୍ର ସରକାର କୌଣସି ବିଷୟକୁ ଧ୍ୟାନ ନ ଦେଇ ଏପ୍ରିଲ ୨୦୨୨ରୁ ଡିଲର କମିଶନ ରାଶି କ୍ୱିଣ୍ଟାଲ୍ ପିଛା ୨୦ ଟଙ୍କା ଓ ପାହାଡ଼ିଆ ଉତ୍ତରପୂର୍ବ ରାଜ୍ୟକୁ କ୍ୱିଣ୍ଟାଲ୍ ପିଛା ୩୭ ଟଙ୍କା ବୃଦ୍ଧି କରାଇଛନ୍ତି ଏବଂ ଡିଲରଙ୍କ ଅନ୍ୟ ଦାବି ପ୍ରତି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି ।
ତେବେ ୯ ଦଫା ଦାବିଗୁଡ଼ିକ ମଧ୍ୟରେ ଖାଦ୍ୟ ଶସ୍ୟ ବିକ୍ରୟ ସମୟରେ କ୍ଷତି ଭରଣ ପାଇଁ କ୍ୱିଣ୍ଟାଲ ପ୍ରତି ୧ କେଜି ଭରଣ କରିବା, ପ୍ରତି ରାସନ କାର୍ଡ଼ରେ ଖାଇବା ତେଲ ଓ ଡାଲି ଯୋଗାଇ ଦେବା, ସମସ୍ତ ଏଫପିଏସ କେନ୍ଦ୍ରକୁୁ ଏଲପିଜି ଗ୍ୟାସ ସିଲିଣ୍ଡର (୫ ଲିଟର) ବିତରଣ ପାଇଁ ଅନୁମତି, ଏଲପିଜି ଗ୍ୟାସ ବିତରଙ୍କ ଠାରୁ ଏଲପିଜି ଗ୍ୟାସ ସିଲିଣ୍ଡର ସଂଗ୍ରହ କରି ପ୍ରତି ଗ୍ରାହକଙ୍କୁ ଯୋଗାଇବା ବାବଦକୁ ଏଫପିଏସ ଏବଂ ଏଲପିଜି ବିତରକଙ୍କ ମଧ୍ୟରେ କମିଶନ ରାଶିିକୁ ଅଧା କରିବା, ପ୍ଲାଷ୍ଟିକ ଅଖା ବଦଳରେ ଝୋଟ ଅଖାରେ ଖାଦ୍ୟ ଶସ୍ୟ ଯୋଗାଣ, ଗ୍ରାମାଞ୍ଚଳର ଡିଲରଙ୍କୁ ସିଧାସଳଖ ଖାଦ୍ୟ ଶସ୍ୟ ସଂଗ୍ରହ କରିବା ପାଇଁ ଅନୁମତି ସମେତ ୯ ଦଫା ସମ୍ବଳିତ ଅନ୍ୟାନ୍ୟ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ରାଜେଶ କୁମାର ପଣ୍ଡା, ଶରତ ଚନ୍ଦ୍ର ବିଶ୍ୱାଳ, ରବିନାରାୟଣ ଜେନା, ହୃଷିକେଶ ବାରିକ, ପ୍ରଭାତ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।