ଗ୍ରୁପ୍-ଏ’ରେ ଆୟୋଜକ ଭାରତ

ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨
ନବି ମୁମ୍ବାଇ, ୨୪ା୬ (ଏଜେନ୍ସି): ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ଇଣ୍ଡିଆ ୨୦୨୨ ପାଇଁ ଶନିବାର ଅଫିସିଆଲ୍ ଡ୍ର’ ଘୋଷଣା କରାଯାଇଛି । ତଦନୁଯାୟୀ ଆୟୋଜକ ଭାରତ ଗ୍ରୁପ୍-ଏ’ରେ ଆମେରିକା, ମରକ୍କୋ ଓ ବ୍ରାଜିଲ୍ ସହିତ ସ୍ଥାନ ପାଇଛି । ଭାରତର ମ୍ୟାଚ୍ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବ । ଭାରତ ଅକ୍ଟୋବର ୧୧ରେ ଆମେରିକା, ୧୪ରେ ମରକ୍କୋ ଓ ୧୭ରେ ବ୍ରାଜିଲ୍କୁ ଭେଟିବ ।
ସମସ୍ତ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ରେ ଅଂଶଗ୍ରହଣ କରିବାର ରେକର୍ଡ ସହିତ ଜର୍ମାନୀ ଗ୍ରୁପ୍-ବି’ରେ ନାଇଜେରିଆ, ଚିଲୀ ଓ ନୁ୍ୟଜିଲାଣ୍ଡ ବିପକ୍ଷରେ ଖେଳିବ । ଡିଫେଣ୍ଡିଂ ଚାମ୍ପିଅନ୍ ସ୍ପେନ୍ ଗ୍ରୁପ୍-ସି’ରେ କଲମ୍ବିଆ, ମେକ୍ସିକୋ ଏବଂ ଚୀନ୍ ସହିତ ମୁକାବିଲା କରିବ । କୋଷ୍ଟା ରିକା ୨୦୧୪ ସଂସ୍କରଣର ପୂର୍ବତନ ଚାମ୍ପିଅନ୍ ଜାପାନ୍ ଗ୍ରୁପ୍-ଡି’ରେ ତାଞ୍ଜାନିଆ, କାନାଡା ଏବଂ ଅନ୍ୟତମ ପୂର୍ବତନ ଚାମ୍ପିଅନ୍ ଫ୍ରାନ୍ସ ସହିତ ଖେଳିବ ।
ଡ୍ର’ ସମ୍ପର୍କରେ ଫିଫା ସଭାପତି ଜିଆନୀ ଇନଫାଣ୍ଟିନୋ କହିଛନ୍ତି, “ଆଜିର ଡ୍ର’ ଏକ ଆୟୋଜକ ରାଷ୍ଟ୍ର ଭାବେ କେବଳ ଭାରତ ପାଇଁ ଏକ ମାଇଲଖୁଣ୍ଟ ନୁହେଁ ବରଂ ବିଶ୍ୱ ଫୁଟ୍ବଲ୍ ସମୁଦାୟ ପାଇଁ ମଧ୍ୟ । ସେଥିରେ କାର୍ଯ୍ୟରତ ଥିବା ଲୋକମାନଙ୍କର ପରିଶ୍ରମର ଫଳସ୍ୱରୂପ ଏହି ଡ୍ର’ ।
ସେ ଆହୁରି ମଧ୍ୟ କହିଛନ୍ତି, “ଚଳିତ ବର୍ଷ ଭାରତରେ ବିଶ୍ୱର ୧୬ଟି ଦେଶ ମଧ୍ୟରୁ ଜଣେ ଶ୍ରେଷ୍ଠ ଯୁବ ଖେଳାଳିକୁ ଖୋଜିବା ପାଇଁ କାର୍ଯ୍ୟ କରୁଛୁ । ଏହି ଟୁର୍ଣ୍ଣାମେଣ୍ଟର ଫଳସ୍ୱରୂପ, ଏକ ନୂତନ ପିଢ଼ିର ମହିଳାମାନେ ଅକ୍ଟୋବରରେ ଖେଳିବାକୁ ଥିବା ଖେଳାଳିମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହେବେ ।”
୧୮ ଅକ୍ଟୋବରରେ ଗ୍ରୁପ୍ ଗେମ୍ର ସମାପ୍ତି ହେବାକୁ ଥିବା ବେଳେ, ପ୍ରତ୍ୟେକ ଗ୍ରୁପ୍ର ଦୁଇଟି ଶ୍ରେଷ୍ଠ ଟିମ୍ କ୍ୱାର୍ଟର-ଫାଇନାଲ୍ରେ ପ୍ରବେଶ କରିବେ । ନବି ମୁମ୍ବାଇରେ ୨୧ ଅକ୍ଟୋବରରେ ଡବଲ ହେଡର୍ ନକ୍ଆଉଟ୍ର ଆୟୋଜନ ହେବ ଯେଉଁଠାରେ ଗ୍ରୁପ୍-ଏ’ର ବିଜେତା ଗ୍ରୁପ୍ ବି’ର ରନର୍ଅପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ଏବଂ ଗ୍ରୁପ୍-ବି’ର ବିଜେତା ଗ୍ରୁପ୍-ଏ’ର ଦ୍ୱିତୀୟ ସ୍ଥାନର ଟିମ୍ ସହିତ ମୁକାବିଲା କରିବ ।
ଅନ୍ୟ ସେଟ୍ର କ୍ୱାର୍ଟର-ଫାଇନାଲ୍ ମ୍ୟାଚ୍ ଆଗାମୀ ଦିନ ଅନୁଷ୍ଠିତ ହେବା ସହିତ ଗ୍ରୁପ୍-ସି ଓ ଗ୍ରୁପ୍-ଡି’ର ପ୍ରଥମ ଓ ଦ୍ୱିତୀୟ ସ୍ଥାନର ଟିମ୍ ପରସ୍ପର ମଧ୍ୟରେ ପ୍ରତିଯୋଗିତା କରିବେ । ଗୋଆରେ ୨୬ ଅକ୍ଟୋବରରେ ସେମିଫାଇନାଲ୍ ଅନୁଷ୍ଠିତ ହେବ । ଭାରତରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଫିଫା ମହିଳା ପ୍ରତିଯୋଗିତା ୩୦ ଅକ୍ଟୋବରରେ ସମାପ୍ତ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *