ମୋଦିଙ୍କୁ ମିଳିଥିବା କ୍ଲିନ୍ଚିଟ୍ କାଏମ୍

ଗୁଜରାଟ ଦଙ୍ଗା: ଜାକିଆ ଜାଫ୍ରୀଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ (ଏଜେନ୍ସି): ୨ଠଠ୨ ଗୁଜରାଟ ଦଙ୍ଗା ଘଟଣାରେ ସୁପ୍ରିମକୋର୍ଟ, ଆବେଦନକାରୀ ଜାକିଆ ଜାଫ୍ରୀ (ଦିବଂଗତ କଂଗ୍ରେସ ନେତା ଏହସାନ୍ ଜାଫ୍ରୀଙ୍କ ପତ୍ନୀ)ଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଏଥିସହ କୌଣସି ପ୍ରମାଣ ନଥିବା ଆଧାରରେ ଏସ୍ଆଇଟି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଯାଇଥିବା କ୍ଲିନ୍ଚିଟ୍କୁ ମଧ୍ୟ ସୁପ୍ରିମକୋର୍ଟ କାଏମ୍ ରଖିଛନ୍ତି । ଆଜିର ଶୁଣାଣି ଅବକାଶରେ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ଯେ, ପ୍ରଶାସନର କୌଣସି ଅବହେଳା କିମ୍ବା ସମୟପୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ କୌଣସି ଷଡଯନ୍ତ୍ର ସହ ଯୋଡାଯାଇପାରିବ ନାହିଁ । କୋର୍ଟ ନିଜ କଥା ବୁଝାଇବା ପାଇଁ କରୋନା ମହାମାରୀର ମଧ୍ୟ ଉଦାହରଣ ଦେଇଥିଲେ ।
ଗୁଜରାଟ ଦଙ୍ଗା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶକ୍ରମେ ଗଠନ କରାଯାଇଥିବା ଏସ୍ଆଇଟି, ୨ଠ୧୨ରେ ହିଁ ଗୁଜରାଟର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ମୋଟ୍ ୬୪ଜଣଙ୍କୁ କ୍ଲିନ୍ଚିଟ୍ ପ୍ରଦାନ କରିଥିଲା । ଏହି ଆଧାରରେ ଗୁଜରାଟ ହାଇକୋର୍ଟ ଏବଂ ପୂର୍ବରୁ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ମଧ୍ୟ ମୋଦି ଏବଂ ବାକି ୬୪ଜଣଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ । ତେବେ ଏହାକୁ ଜାକିଆ ଜାଫ୍ରୀ, ପୁନର୍ବାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି ଆରମ୍ଭ କରିଥିଲେ । ଶୁକ୍ରବାର ଏହି ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା । ଏହି ପରିପ୍ରେକ୍ଷୀରେ ଜଷ୍ଟିସ୍ ଏଏମ୍ ଖାନ୍ୱିଲକର, ଜଷ୍ଟିସ ଦିନେଶ ମାହେଶ୍ୱରୀ ଏବଂ ଜଷ୍ଟିସ ସିଟି ରବିକୁମାରଙ୍କ ୩ ଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଯୁକ୍ତିକୁ ଖଣ୍ଡନ କରିଥିଲେ । କପିଲ ଶିବଲ କହିଥିଲେ ଯେ, ଏସ୍ଆଇଟି ଆଦୌ ଘଟଣାର ତଦନ୍ତ କରିନାହିଁ । କେବଳ ଷଡ଼ଯନ୍ତ୍ରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏସ୍ଆଇଟି ଉଦ୍ୟମ କରିଥିଲା । ଏଥିପାଇଁ ଏସ୍ଆଇଟିର ଅଧିକାରୀ ଓ ପୁଲିସ୍ କର୍ମଚାରୀମାନଙ୍କୁ ଏଥିପାଇଁ ବେଶ ଭଲ ଭାବେ ପୁରସ୍କୃତ ମଧ୍ୟ କରାଯାଇଛି । ତେଣୁ ଘଟଣାର ପୁଣି ତଦନ୍ତ କରାଯିବା ଦରକାର । ଏହାର ଜବାବରେ ଖଣ୍ଡପୀଠ କହିଥିଲେ ରାଜ୍ୟ ପ୍ରଶାସନର ଅସଫଳତା କିମ୍ୱା ନିଷ୍କ୍ରିୟତାକୁ ଷଡଯନ୍ତ୍ର ଆଧାରିତ ବୋଲି କୁହାଯାଇପାରିବ ନାହିଁ । ସଂଖ୍ୟାଲଘୁଙ୍କ ବିରୋଧରେ ଏହା ରାଜ୍ୟ ପ୍ରାୟୋଜିତ ଅପରାଧ (ହିଂସା) ବୋଲି କୁହାଯାଇ ପାରିବନାହିଁ । ଖଣ୍ଡପୀଠ ଉଦାହରଣ ଦେବାକୁ ଯାଇ କହିଥିଲେ ଯେ, କରୋନା ମହାମାରୀ ସମୟରେ ଅନେକ ରାଜ୍ୟ ସଂକ୍ରମଣ ରୋକିବା ଦିଗରେ ପ୍ରଶାସନିକ ସ୍ତରରେ ଅସଫଳ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ କ’ଣ ଆପରାଧିକ ଷଡଯନ୍ତ୍ର ଭାବେ ବିବେଚନା କରାଯିବ? ଏଥିସହ ଜାକିଆ ଜାଫ୍ରୀଙ୍କ ଆବେଦନ ଶୁଣାଣି ଯୋଗ୍ୟ ନଥିବା କହି ଖଣ୍ଡପୀଠ ଏହାକୁ ଖାରଜ କରିଦେଇଛନ୍ତି । ଏସ୍ଆଇଟି ପକ୍ଷରୁ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ମାମଲା ପରିଚାଳନା କରିଥିଲେ ।
ପ୍ରକାଶ, ୨ଠଠ୨ ଫେବ୍ରୁଆରୀ ୨୭ରେ ଅଯୋଧ୍ୟାରୁ ଫେରୁଥିବା ସାବରମତୀ ଏକ୍ସପ୍ରେସ୍ ଟ୍ରେନ୍ର ଏକ ବଗିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଦଙ୍ଗାକାରୀମାନେ ନିଆଁ ଲଗାଇଦେଇଥିଲେ । ଗୁଜରାଟର ଗୋଧ୍ରା ଠାରେ ହୋଇଥିବା ଏହି ନାରକୀୟ କାଣ୍ଡରେ ପ୍ରାୟ ୫୮ଜଣ (କରସେବକ) ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପରେ ଏହି ଘଟଣା ଗୁଜରାଟବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିଲା । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ପକ୍ଷରୁ ସେନାକୁ ମୁତୟନ କରିବାକୁ ପଡ଼ିଥିଲା । ସରକାରୀ ସୂତ୍ର ଅନୁସାରେ ଏହି ଦଙ୍ଗାରେ ଉଭୟ ମୁସଲିମ୍ ଏବଂ ହିନ୍ଦୁ ପକ୍ଷରୁ ଅନେକ ଲୋକଙ୍କ ମୃତୁ୍ୟ ହୋଇଥିଲା । ୭୯ଠ ମୁସଲିମ୍ ଏବଂ ୫୪ ହିନ୍ଦୁଙ୍କୁ ମିଶାଇ ମୋଟ୍ ୧ଠ୪୪ଜଣ ଏହି ଦଙ୍ଗାରେ ପ୍ରାଣ ହରାଇଥିଲେ । ଗୁଜରାଟ ଗୋଧ୍ରା ଦଙ୍ଗାକୁ ଦେଶର ସବୁଠୁ ବଡ଼ ଦଙ୍ଗା ଭାବେ ବିବେଚନା କରାଯାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *