ପରିକ୍ରମା ପ୍ରକଳ୍ପ ଅଗ୍ରଗତିର ଅନୁଧ୍ୟାନ
ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ପୁରୀ (ବୁ୍ୟରୋ): ମହାମାରୀ କରୋନା ପାଇଁ ଦୁଇ ବର୍ଷ ବିନାଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କରୋନା ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ ରଥଯାତ୍ରା ହେବ । ପୂର୍ବାପେକ୍ଷା ଅଧିକ ଜନସମାଗମର ଆକଳନ କରାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଦେ୍ର୍ଦଶ ଦେଇଛନ୍ତି ।
ଗୁରୁବାର ଅପରାହ୍ଣରେ ରଥଯାତ୍ରା ସମ୍ପର୍କରେ ଏକ ସମୀକ୍ଷା ବୈଠକ ସର୍କିଟ୍ ହାଉସ୍ ଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ରାସ୍ତା ଘାଟ ମରାମତି, ଡ୍ରେନ୍ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦୁ୍ୟତ୍ ଯୋଗାଣ ଓ ବିକଳ୍ପ ବିଦୁ୍ୟତ୍ ବ୍ୟବସ୍ଥା, ସୁନାବେଶରେ ଅତିରିକ୍ତ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଆଶ୍ରୟସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ୍ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ରାସ୍ତା ଅବରୋଧ କରି ଗାଡ଼ି ପାର୍କିଂ କରୁଥିଲେ ତୁରନ୍ତ ହଟାଇବା ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ ।
ସେହିପରି ପ୍ରତିଟି ରଥଟଣା ପରେ ତୁରନ୍ତ ବଡ଼ଦାଣ୍ଡରୁ ଚପଲ, ପାଣି ବୋତଲ ଇତ୍ୟାଦି ଅଳିଆକୁ ହଟାଇବା ସହ ରୌଦ୍ରତାପରୁ ରକ୍ଷା ପାଇଁ ଜଳ ସିଞ୍ଚନ କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଶାସନ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଓ ଆରକ୍ଷୀ ଅଧୀକ୍ଷକ ଡଃ କନୱର ବିଶାଲ ସିଂହ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଦିଲ୍ଲୀପ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ସମୀକ୍ଷା ପରେ ପରେ ମୁଖ୍ୟ ଶାସନ ସଚିବ ସେବାୟତମାନଙ୍କ ସହ ରଥଯାତ୍ରାକୁ ସୁଚାରୁରୂପେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବାକୁ ସହଯୋଗ କାମନା କରିଥିଲେ । ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିକୁ ଅନୁଧ୍ୟାନ କରିଥିଲେ ।