ଦୀପ ଗ୍ରେସ୍ ଭାରତୀୟ ଟିମ୍ର ଉପ-ଅଧିନାୟିକା

ନୂଆଦିଲ୍ଲୀ, ୨୩ା୬ (ଏଜେନ୍ସି): ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଗୁରୁବାର ୧୮ଜଣିଆ ଭାରତୀୟ ମହିଳା ହକି ଟିମ୍ ଘୋଷଣା କରାଯାଇଛି । ଗୋଲ୍କିପର୍ ସବିତା ପୁନିଆଙ୍କୁ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଥିବା ବେଳେ ଓଡ଼ିଆ ଖେଳାଳି ଅଭିଜ୍ଞ ଡିଫେଣ୍ଡର ଦୀପ ଗ୍ରେସ୍ ଏକ୍କା ଉପ-ଅଧିନାୟିକା ମନୋନୀତ ହୋଇଛନ୍ତି । ବିଶ୍ୱକପ୍ ପରେ ରାଜ୍ୟଗୋଷ୍ଠୀ ଟିମ୍ରେ ବି କେବଳ ଜଣେ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ତେବେ ତାରକା ଷ୍ଟ୍ରାଇକର ରାଣୀ ରାମପାଲ୍ ପୁଣି ଥରେ ସଂପୂର୍ଣ୍ଣ ଫିଟ୍ନେସ୍ ଅଭାବରୁ ଟିମ୍ରେ ସ୍ଥାନ ପାଇ ନାହାନ୍ତି ।
ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏଁ ଅନୁଷ୍ଠିତ ହେବ । ସବିତା ଓ ଦୀପ ଗ୍ରେସ୍ଙ୍କୁ ଜୁଲାଇ ୧ରୁ ୧୭ ଯାଏଁ ନେଦରଲାଣ୍ଡ୍ସ ଓ ସ୍ପେନ୍ ଠାରେ ହେବାକୁ ଥିବା ମହିଳା ବିଶ୍ୱକପ୍ରେ ମଧ୍ୟ ସମାନ ଦାୟିତ୍ୱ ମିଳିଛି । ମନୋନୀତ ବିଶ୍ୱକପ୍ ଟିମ୍ର ତିନି ଜଣ ଖେଳାଳିଙ୍କୁ ରାଜ୍ୟଗୋଷ୍ଠୀ ଟିମ୍ରେ ପରିବର୍ତ୍ତନ କରାଯାଇଛି । ଦୁଇ ନମ୍ବର ଗୋଲ୍କିପର୍ ଭାବେ ବିଚୁ ଦେବୀ ଖରିବାମ୍ଙ୍କ ସ୍ଥାନରେ ରଜନୀ ଇତିମାର୍ପୁଙ୍କୁ ନିଆଯାଇଥିବା ବେଳେ ବିଶ୍ୱକପ୍ ଟିମ୍ର ସଦସ୍ୟ ମିଡ୍ଫିଲ୍ଡର ସୋନିକା ରାଜ୍ୟଗୋଷ୍ଠୀ ଟିମ୍ରେ ସ୍ଥାନ ପାଇ ନାହାନ୍ତି । ବିଶ୍ୱକପ୍ ଟିମ୍ରେ ବଦଳ ଖେଳାଳି ଭାବେ ସ୍ଥାନ ପାଇଥିବା ଫର୍ୱାର୍ଡ ସଙ୍ଗୀତା କୁମାରୀ ରାଜ୍ୟଗୋଷ୍ଠୀ ଟିମ୍ରେ ପୂର୍ଣ୍ଣ ସଦସ୍ୟ ଭାବେ ସାମିଲ୍ ହୋଇଛନ୍ତି ।
ଭାରତକୁ ପୁଲ୍-ଏ’ରେ ଇଂଲଣ୍ଡ, କାନାଡ଼ା, ୱେଲ୍ସ ଓ ଘାନା ସହିତ ରଖାଯାଇଛି । ସବିତାଙ୍କ ଟିମ୍ ଜୁଲାଇ ୨୯ରେ ଘାନା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ।
ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନ ହାସଲ କରିଥିବା ଭାରତୀୟ ଟିମ୍ର ନେତୃତ୍ୱ ନେଇଥିବା ରାଣୀ ହାମ୍ଷ୍ଟ୍ରିଙ୍ଗ୍ ଯନ୍ତ୍ରଣାରୁ ସୁସ୍ଥ ହେବା ପରେ ନିକଟରେ ବେଲ୍ଜିୟମ୍ ଓ ନେଦରଲାଣ୍ଡ୍ସ ଠାରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା । ପ୍ରୋ ଲିଗ୍ରେ ଟିମ୍ର ୟୁରୋପୀୟ ଲେଗ୍ର ପ୍ରଥମ ଚାରି ମ୍ୟାଚ୍ରେ ତାଙ୍କୁ ସ୍ଥାନ ମିଳି ନ ଥିଲା । ତାଙ୍କ ଫିଟ୍ନେସ୍ ପ୍ରତି ସନେ୍ଦହ ରହିଛି । ଏହା ଫଳରେ ବିଶ୍ୱକପ୍ ଓ ରାଜ୍ୟଗୋଷ୍ଠୀ ଟିମ୍ରେ ତାଙ୍କ ଚୟନ କରାଯାଇ ନାହିଁ ।
ଗୋଲ୍ଡକୋଷ୍ଟ ଠାରେ ଖେଳାଯାଇଥିବା ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ କାଂସ୍ୟ ପଦକ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ହାରି ଚତୁର୍ଥ ସ୍ଥାନରେ ରହିଥିଲା । ତେବେ ଚଳିତ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଟିମ୍ ଓଭରଅଲ୍ ତୃତୀୟ ସ୍ଥାନରେ ରହିଥିଲା । ବର୍ମିଂହାମ୍ ଠାରେ ଭାରତୀୟ ଟିମ୍ ପୋଡ଼ିୟମ୍ ଫିନିଶ୍ କରିବାକୁ ଲକ୍ଷ୍ୟ ରଖିଛି ।
ଟିମ୍ ଚୟନ ସମ୍ପର୍କରେ ମୁଖ୍ୟ କୋଚ୍ ଜାନ୍ନେକେ ସ୍କୋପ୍ମାନ କହିଛନ୍ତି, “ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଆମେ ଏକ ଅଭିଜ୍ଞ ଟିମ୍ ଚୟନ କରିଛୁ ଏବଂ ଖେଳାଳିମାନେ ଏଥର ପଦକ ଜିତିବେ ବୋଲି ଆଶା ରଖିଛନ୍ତି ।
ଭାରତୀୟ ଟିମ୍: ଗୋଲ୍କିପର୍ – ସବିତା (ଅଧିନାୟିକା), ରଜନୀ ଇତିମାର୍ପୁ; ଡିଫେଣ୍ଡର – ଦୀପ ଗ୍ରେସ୍ ଏକ୍କା (ଉପ-ଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା; ମିଡ୍ଫିଲ୍ଡର – ନିଶା, ସୁଶୀଲା ଚାନୁ ପୁଖରାମବାମ, ମୋନିକା, ନେହା, ଜ୍ୟୋତି, ନବଜୋତ କୌର, ସୋନିକା, ସଲିମା ଟେଟେ; ଫର୍ୱାର୍ଡ – ବନ୍ଦନା କାଟାରିୟା, ଲାଲରେମସିଆମୀ, ନବନୀତ କୌର, ଶର୍ମିଲା ଦେବୀ, ସଙ୍ଗୀତା କୁମାରୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *