ଅଲ୍ଟିମେଟ୍ ଖୋ ଖୋ: ଟିମ୍ କିଣିଲା ଓଡ଼ିଶା
ଭୁବନେଶ୍ୱର, ୨୩ା୬ (ବୁ୍ୟରୋ): ଅଲ୍ଟିମେଟ୍ ଖୋ ଖୋ (ୟୁକେକେ)କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଥିବା ଏହି ପେସାଦାର ଲିଗ୍ରେ ଏକ ଟିମ୍ର ମାଲିକାନା ଗ୍ରହଣ କରିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ନିକଟରେ ହକି ଇଣ୍ଡିଆ ଲିଗ୍ରେ କଳିଙ୍ଗ ଲାନ୍ସର୍ ଟିମ୍ର ମାଲିକାନା ରହିଆସିଛି । ଚଳିତ ବର୍ଷ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଖୋ ଖୋରେ ଓଡ଼ିଶାର ଉଭୟ ପୁରୁଷ ଏବଂ ମହିଳା ଟିମ୍ ରୌପ୍ୟ ପଦକ ଜିତିବା ପରେ ଏହି ଘୋଷଣା କରାଯାଇଛି । ଓଡ଼ିଶା ସ୍ପୋର୍ଟ୍ସ ଡେଭଲପ୍ମେଣ୍ଟ ଆଣ୍ଡ୍ ପ୍ରମୋସନ୍ କମ୍ପାନୀ (ଓଏସ୍ଡିପିସି)ର ମାଲିକାନାରେ ଥିବା ଏହି ଟିମ୍ ଲିଗ୍ର ପଞ୍ଚମ ଫ୍ରାଞ୍ଚାଇଜୀ ହେବ ।
ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, “ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୋ ଖୋ ଖୁବ୍ ଲୋକପ୍ରିୟ । ସମ୍ପ୍ରତି ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ଉଭୟ ପୁରୁଷ ଏବଂ ମହିଳା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ରୌପ୍ୟ ପଦକ ମଧ୍ୟ ଜିତିଛନ୍ତି । ଏହା ଏକ ପାରମ୍ପରିକ ଖେଳ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ସମ୍ପ୍ରସାରଣ କରିବା ପାଇଁ ଅଧିକ ସୁଯୋଗ ରହିଛି । ସେଥିପାଇଁ ଆମେ ଖୋ ଖୋ ଲିଗ୍ରେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛୁ । ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାରେ କ୍ରୀଡ଼ା ପାଇଁ ଭିଜନ୍ର ଏହା ଅଂଶବିଶେଷ ।”
ବିଗତ କିଛି ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ସରକାର କେବଳ ଦେଶରେ ପ୍ରମୁଖ କ୍ରୀଡ଼ା ଇଭେଣ୍ଟ ଆୟୋଜନ କରି ନାହିଁ ବରଂ ବିଶ୍ୱସ୍ତରୀୟ ମଲ୍ଟି-ସ୍ପୋର୍ଟ୍ସ ଭିତ୍ତିଭୂମିର ବିକାଶ କରିଛନ୍ତି । ଓଏସ୍ଡିପିସି ଅଗ୍ରଣୀ ଷ୍ଟିଲ୍ ନିର୍ମାତା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଲିଃ ସହିତ ସହବନ୍ଧିତ ହୋଇଛି ଏବଂ ଅଲ୍ଟିମେଟ୍ ଖୋ ଖୋ ସହିତ ଜଡିତ ହୋଇ କାର୍ଯ୍ୟ କରିବ ।
ଏହି ସମ୍ପର୍କରେ ଅଲ୍ଟିମେଟ୍ ଖୋ ଖୋର ସିଇଓ ଜେନଜିଂ ନିଓଗି କହିଛନ୍ତି ଯେ ଭାରତରେ କ୍ରୀଡ଼ା ବିବର୍ତ୍ତନକୁ ମଜଭୁତ କରିବାରେ ସ୍ପୋର୍ଟସ ଓଡ଼ିଶା ମୁଖ୍ୟ ଭୂମିକା ଗ୍ରହଣ କରିଛି । ସେମାନେ ଏପରି ଏକ ପରିବେଶ ସୃଷ୍ଟି କରିଛନ୍ତି ଯାହା ଫଳରେ ବହୁ କର୍ପୋରେଟ୍ ନିବେଶକାରୀମାନେ ବିକାଶ ଏବଂ ଭବିଷ୍ୟତର ଚାମ୍ପିଅନ୍ମାନଙ୍କ ଉପରେ ନିବେଶ କରିଛନ୍ତି । ବର୍ତ୍ତମାନ ସେମାନଙ୍କର ଅଲ୍ଟିମେଟ୍ ଖୋ ଖୋ ସହିତ ସହଭାଗିତା କ୍ରୀଡ଼ାର ବିକାଶ ପାଇଁ ଏକ ଶ୍ରେଷ୍ଠ ସଂକେତ ।
ଅଲ୍ଟିମେଟ୍ ଖୋ ଖୋ ପୂର୍ବରୁ ୪ଟି ଫ୍ରାଞ୍ଚାଇଜୀ ଘୋଷଣା କରିସାରିଛି । କର୍ପୋରେଟ୍ ଜାଏଣ୍ଟ ଅଦାନୀ ଗ୍ରୁପ୍ ଓ ଜିଏମ୍ଆର୍ ଗ୍ରୁପ୍ ଗୁଜୁରାଟ ଏବଂ ତେଲେଙ୍ଗାନା ଫ୍ରାଞ୍ଚାଇଜୀ ନେଇଥିବା ବେଳେ କ୍ୟାପ୍ରି ଗ୍ଲୋବାଲ୍ ଓ କେଏଲ୍ଓ ସ୍ପୋର୍ଟସ ରାଜସ୍ଥାନ ଏବଂ ଚେନ୍ନାଇ ଟିମ୍ର ମାଲିକ ।