ଖାତରେ ପଡ଼ି ୪ ଶିଶୁଙ୍କ ମୃତୁ୍ୟ

କୋରାପୁଟ, ୨୩ ।୬ (ଆପ୍ର): କୋରାପୁଟ ସଦର ଥାନା ପାଇକଫୁଲବେଡା ଅନ୍ତରର୍ଗତ ଓଡପୁର ଗ୍ରାମରେ ଆଜି ଦିନ ଗୋଟାଏ ସମୟରେ ଘଟିଯାଇଛି ଏକ ଅଘଟଣ । ଭାରତମାଳା ଯୋଜନାରେ ରାସ୍ତା ନିର୍ମାଣ ପାଇଁ ମାଟି ଖୋଳାହୋଇ ଯିବାରୁ ଖାଲ ହୋଇଥିଲା । ରାସ୍ତା କଡରେ ଉକ୍ତ ଖାଲରେ ଜମା ହୋଇଥିବା ପାଣିରେ ଖେଳୁଥିବା ସମୟରେ ବୁଡିଯାଇ ୩ଟି ପରିବାରର ୩ ବାଳିକା ଓ ଜଣେ ବାଳକଙ୍କ ମୃତୁ୍ୟ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ କୋରାପୁଟ ସଦର ପୁଲିସ ସେମେତ କୋରାପୁଟ ଟାଉନ ଏସ୍ଡିପିଓ ମନୋଜ ପୂଜାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଛେଦ ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଛନ୍ତି । ସମସ୍ତ ମୃତ ଶିଶୁଙ୍କ ବୟସ ୪ ବର୍ଷରୁ ୮ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ମୃତକମାନେ ହେଲେ ବିମଳା (୬), ରାଇଲା (୪), ପୁର୍ଣ୍ଣି ହନ୍ତାଳ (୮) ଓ ମଧୁସୂଦନ (୬) । ଦିନ ଗୋଟାଏ ସମୟରେ ବହୁ ଖୋଜା ଖୋଜି କରିବା ପରେ ପିଲାମାନେ ମିଳିନଥିଲେ । ଏକ ଖାଲ ନିକଟରେ ସେମାନଙ୍କ ପୋଷାକ ଥିବାଦେଖି ଲୋକମାନେ ଖାଲରେ ଖୋଜିଥିଲେ । ପରେ ଜଣକ ପରେ ଜଣେ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ କୋରାପୁଟ ସଦର ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।
ଭାରତ ମାଳା ଯୋଜନାରେ ହେଉଥିବା କାମ ମନମୁଖୀ ହେଉଥିବା ଯୋଗୁଁ କାମ ଆରମ୍ଭରୁ ଅଞ୍ଚଳବାସୀ ବିରୋଧ କରିଆସୁଛନ୍ତି । ଭାରତମାଳା ଯୋଜନାରେ ହେଉଥିବା କାମ ଠିକ୍ ରୂପେ କରାଯାଉ ନାହିଁ ।
ମନଇଚ୍ଛା ରାସ୍ତା କରିବା ନାଁରେ ମାଟି ଖୋଳି ସବୁଜାଗାରେ ଖୋଳି ଦେଉଛନ୍ତି । ଯାହା ଫଳରେ ବର୍ତ୍ତମାନ ବର୍ଷା ଦିନ ହୋଇଥିବାରୁ ଉକ୍ତ ଖାଲରେ ପାଣି ଜମି ରହୁଛି । ଭାରତ ମାଳା ରାସ୍ତା କଡ଼ରେ କୃତିମ ନାଳ ହୋଇ ପାଣି ଜମି ରହୁଛି । ରାସ୍ତା କଡରେ ହୋଇଥିବା ଯୋଗୁଁ କୁନି କୁନି ପିଲାମାନେ ସେଇ ପାଣିରେ ଗାଦୋଇବା ସହ ଖେଳୁଥିବା ସମୟରେ ହଠାତ ଗୋଡ଼ ଖସି ଯିବା ଯୋଗୁଁ ୪ ଜଣ ନିଷ୍ପାପ ଶିଶୁଙ୍କ ମୃତୁ୍ୟ ଘଟିଛି । ଭାରତ ମାଳା ଯୋଜନାର ମନମୁଖୀ କାର୍ଯ୍ୟ ଯୋଗୁଁ ଅତିଷ୍ଟ ହୋଇ ଅଞ୍ଚଳବାସୀ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ଦିନ କେଇଟା ଯାଇନି ଏଭଳି ଘଟଣା ଘଟିଛି । ମୃତୁ୍ୟ ବରଣ କରିଥିବା ଶିଶୁମାନଙ୍କ ପରିବାରକୁ ଭାରତ ମାଳା ତରଫରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *