ବିଜେପିର ‘ଅପରେସନ୍ ଲୋଟସ୍’
ନୂଆଦିଲ୍ଲୀ (ଏଜେନ୍ସି): ମହାରାଷ୍ଟ୍ରରେ ସମ୍ପ୍ରତି ଯାହା କିଛି ରାଜନୈତିକ ହଲଚଲ୍ ଦେଖିବାକୁ ମିଳୁଛି ସେସବୁ ପଛରେ ବିଜେପି ହିଁ ମୁଖ୍ୟ କାର୍ପେଟ୍ଦାର ରହିଥିବା ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ଅବଶ୍ୟ ବିଜେପି ଏପ୍ରକାର ଅଭିଯୋଗକୁ ଖଣ୍ଡନ କରିଆସୁଛି । ଏସବୁ ଶିବସେନାର ଆଭ୍ୟନ୍ତରୀଣ ପ୍ରସଙ୍ଗ, ଏଥିରେ ବିଜେପିର କୌଣସି ହାତ ନାହିଁ ବୋଲି ବିଜେପି ପ୍ରକାଶ କରିଛି । କିନ୍ତୁ ବିଜେପିର ଅପରେସନ୍ ଲୋଟସ୍କୁ ଯେଉଁମାନେ ଭଲଭାବେ ବୁଝିଛନ୍ତି ସେମାନେ କିନ୍ତୁ ବିଜେପିର ଏହି ଚିକ୍କଣ କଥାକୁ ବିଶ୍ୱାସ କରିପାରୁନାହାନ୍ତି ।
ଅପରେସନ୍ ଲୋଟସ୍ ବିଜେପିର ଏକ ଷ୍ଟ୍ରାଟେଜୀଗତ ଶବ୍ଦ । ଯେଉଁ ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେପି ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ସେଠାରେ ବିଜେପି ଏହି ଷ୍ଟ୍ରାଟେଜୀକୁ ଯେନତେନ ପ୍ରକାରେ ପ୍ରୟୋଗ କରିବା ଦେଖିବାକୁ ମିଳିଆସିଛି । ସିଧାଅର୍ଥରେ କହିଲେ ବିଜେପିର ଏହି ଷ୍ଟ୍ରାଟେଜୀରେ ଅନେକ ରାଜନୈତିକ ଦଳ ଆବଶ୍ୟକ ସଂଖ୍ୟା ସତ୍ତ୍ୱେ ସରକାର ଗଢ଼ିପାରିନଥାନ୍ତି, ଆଉ ଯଦି ବା କଳେ ବଳେ କୌଶଳେ ଗଢ଼ିଦେଲେ ତେବେ ବିଜେପି ସେମାନଙ୍କ ଏକ ପୂର୍ଣ୍ଣକାଳୀନ ସରକାର ହେବାକୁ ଦେଇନଥାଏ । ବିଜେପି ସଦାସର୍ବଦା ଏହି ଷ୍ଟ୍ରାଟେଜୀ ଆଳରେ ସରକାର ଗଠନ ପାଇଁ ପ୍ରୟାସ ଜାରି ରଖିଥାଏ । ବିଗତ ୬ବର୍ଷ ମଧ୍ୟରେ ଦେଶର ୭ ରାଜ୍ୟରେ ବିଜେପି ‘ଅପରେସନ୍ ଲୋଟସ୍’କୁ କାର୍ଯ୍ୟକାରୀ କରିଥିବା ଦେଖିବାକୁ ମିଳିଛି । ଏହି ୭ରାଜ୍ୟ ମଧ୍ୟରୁ ୪ ରାଜ୍ୟରେ ବିଜେପି ବିପକ୍ଷଙ୍କ ସରକାରକୁ ହଟାଇ ନିଜେ କ୍ଷମତାସୀନ ହେବାରେ ସଫଳ ମଧ୍ୟ ହୋଇଛି ।
୨ଠ୧୮ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ୍ ୨୩ଠ ଆସନ ମଧ୍ୟରୁ ସରକାର ଗଢ଼ିବା ପାଇଁ ୧୧୬ ଆସନର ଆବଶ୍ୟକତା ରହିଥିଲା । କଂଗ୍ରେସ ୧୧୪ ଆସନରେ ବିଜୟୀ ହୋଇଥିଲା । ବହୁଜନ ସମାଜ ତଥା ଅନ୍ୟ ଦଳଙ୍କ ପକ୍ଷରୁ ମୋଟ୍ ୭ ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସକୁ ମିଳିଥିଲା । ଫଳରେ ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର ଗଠନ ହୋଇଥିଲା ଏବଂ ବରିଷ୍ଠ କଂଗ୍ରେସ ନେତା କମଲନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ କେତେକ କାରଣରୁ ଦଳ ତଥା କମଲନାଥଙ୍କ ପ୍ରତି ଅସନ୍ତୁଷ୍ଟ ହୋଇପଡିଥିବା ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସନ୍ତୁଷ୍ଟ କରିବାରେ କଂଗ୍ରେସ ବିଫଳ ହୋଇଥିଲା । ଫଳରେ ବିଜେପି ଏଠାରେ ଅପରେସନ୍ କୋମଲକୁ କାର୍ଯ୍ୟକାରୀ କରିବାକୁ ଯୋଜନା କରିଥିଲା । ସିନ୍ଧିଆଙ୍କ ସହ ଫୋନ୍ ଯୋଗେ ବିଜେପି ପକ୍ଷରୁ ଯୋଗାଯୋଗ କରାଯାଇଥିଲା ଏବଂ ଅନେକ ଲୋଭନୀୟ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ଫଳସ୍ୱରୂପ ସିନ୍ଧିଆ କଂଗ୍ରେସ ସହ ଦୀର୍ଘବର୍ଷର ସମ୍ପର୍କ ତୁଟାଇ ନିଜର ପ୍ରାୟ ୨୬ ସମର୍ଥକ ବିଧାୟକଙ୍କ ସହ ବିଜେପିରେ ଯୋଗଦେଇଥିଲେ । ସଂଖ୍ୟା ଗରିଷ୍ଠତା ହରାଇବା କାରଣରୁ ମାତ୍ର ୧୫ ମାସ ମଧ୍ୟରେ ହିଁ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ସେପଟେ ମାତ୍ର ୧ଠ୯ ଆସନ ଜିତିଥିବା ବିଜେପି, ପରବର୍ତ୍ତୀ ସମୟରେ ସିନ୍ଧିଆ ଏବଂ ତାଙ୍କ ସମର୍ଥôତ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବାରେ ସଫଳ ହୋଇଥିଲା ।
କେବଳ ମଧ୍ୟପ୍ରଦେଶ ନୁହେଁ, ବରଂ ଅରୁଣାଚଳପ୍ରଦେଶ (୨ଠ୧୪), ଗୋଆ (୨ଠ୧୭), ମହାରାଷ୍ଟ୍ର (୨ଠ୧୯), ରାଜସ୍ଥାନ (୨ଠ୧୮), କର୍ଣ୍ଣାଟକ (୨ଠ୧୭) ଏବଂ ଉତ୍ତରାଖଣ୍ଡ (୨ଠ୧୨)ରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସିବାର କିଛି ସମୟ ମଧ୍ୟରେ ବିଜେପି ଏସବୁ ରାଜ୍ୟରେ ମଧ୍ୟ ଅପରେସନ୍ ଲୋଟସ୍କୁ କାର୍ଯ୍ୟକାରୀ କରିବା ଦେଖିବାକୁ ମିଳିଥିଲା । କିନ୍ତୁ ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ବିଜେପି ସଫଳ ହୋଇପାରିନଥିବା ବେଳେ ବାକି ୪ ରାଜ୍ୟରେ ନିଜକୁ କ୍ଷମତାସୀନ କରାଇବାରେ ବିଜେପି ସଫଳ ହୋଇଥିଲା । ସବୁଠୁ ବଡ଼ କଥା ହେଉଛି ବିଜେପିର ଏହି ଅପରେସନ ଲୋଟସ୍ ପ୍ରକ୍ରିୟାକୁ ନୀତିଗତ ଢ଼ାଞ୍ଚାରେ ସଫଳ କରାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ କରାଯାଇଥାଏ । ଏହି ଟିମ୍ ସମୟର ଆବଶ୍ୟକତା ଅନୁସାରେ ନୀତିଗତ ଢ଼ାଞ୍ଚା ପ୍ରସ୍ତୁତ କରିଥାନ୍ତି ଏବଂ ବିପକ୍ଷଙ୍କ ଦୁର୍ବଳତାର କାରଣ ଖୋଜି ଏହା ଉପରେ ହିଁ ପ୍ରହାର କରିଥାନ୍ତି ।