ଶିନେ୍ଦଙ୍କ ସହ ୪୯ ବିଧାୟକ

ଶିବସେନାରେ ବିଭାଜନ
ମୁମ୍ବାଇ, ୨୩ା୬: ମହାରାଷ୍ଟ୍ରରେ କ୍ଷମତାସୀନ ଶିବସେନା ଦଳରେ ବିଭାଜନ ଘଟିବା ଫଳରେ ରାଜନୈତିକ ସଙ୍କଟ ଏବେ ରୋମାଞ୍ଚକ ମୋଡ଼ରେ ପହଞ୍ଚôଛି । ଶିବସେନାର ବିଦ୍ରୋହୀ ବିଧାୟକମାନେ ଏବେ ମୁମ୍ବାଇଠାରୁ ୩ ହଜାର କିଲୋମିଟର ଦୂର ଗୁଆହାଟୀର ରେଡିସନ୍ ବ୍ଲୁ ହୋଟେଲରେ ଥାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଓ ଶିବସେନାର ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି । ବିଦ୍ରୋହୀ ବିଧାୟକମାନେ ମହାବିକାଶ ଅଘାଡ଼ି (ଏମ୍ଭିଏ) ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଏକନାଥ ଶିନେ୍ଦଙ୍କୁ ସେମାନଙ୍କ ସର୍ବସମ୍ମତ ନେତା ରୂପେ ଚୟନ କରିଥିବାର ଭିଡିଓ ଆସିଛି । ଏବେ ଶିନେ୍ଦଙ୍କ ଗୋଷ୍ଠୀରେ ଶିବସେନାର ୪୨ ଓ ୭ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଦଳ ବଦଳ ଆଇନରୁ ନିସ୍ତାର ପାଇବା ଲାଗି ଶିନେ୍ଦ ଗୋଷ୍ଠୀରେ ଅତି କମ୍ରେ ୩୭ ବିଧାୟକ ଥିବା ଆବଶ୍ୟକ । ଏହାକୁ ଭଣ୍ଡୁର କରିବା ଲାଗି ଉଦ୍ଧବ ଠାକ୍ରେ ୧୨ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କରିଥିବା ଜଣାଯାଇଛି ।
ମେଣ୍ଟ ସରକାରରେ ଅରାଜକ ସ୍ଥିତି ଜାରି ରହିଥିବାବେଳେ ସରକାର ଗଠନ ଆଶାରେ ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଗୁରୁବାର ଦିଲ୍ଲୀ ଯାଇ ବରିଷ୍ଠ ନେତାମାନଙ୍କ ପରାମର୍ଶ ଲୋଡିଛନ୍ତି । ଏମ୍ଭିଏ ମେଣ୍ଟର ଅନ୍ୟତମ ସହଯୋଗୀ ଏନ୍ସିପିର ନେତା ଶରଦ ପାୱାର କହିଛନ୍ତି, ସରକାର ଭାଙ୍ଗିବ କି ନାହିଁ ବିଧାନସଭାରେହିଁ ସ୍ଥିର ହେବ ।
ବର୍ତ୍ତମାନର ସଙ୍କଟ ସମୟରେ ଉଦ୍ଧବଙ୍କ ସହ ଅଛନ୍ତି ଶିବସେନାର ୧୩, ଏନ୍ସିପିର ୫୩ ଓ ଅନ୍ୟାନ୍ୟ ୧୦ – ଏପରି ମୋଟ ୧୨୦ ବିଧାୟକ । ଉଦ୍ଧବଙ୍କ ବିରୋଧରେ ଅଛନ୍ତି ଶିନେ୍ଦ ଗୋଷ୍ଠୀର ୪୯ (୪୨ ଶିବସେନା ଓ ୭ ସ୍ୱାଧୀନ), ବିଜେପିର ୧୦୬ ଓ ଅନ୍ୟ ସ୍ୱାଧୀନ ୧୨ – ଏପରି ମୋଟ ୧୬୭ ବିଧାୟକ । ଗୁରୁବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ବିଧାୟକମାନଙ୍କ ଜରୁରୀ ବୈଠକ ଡାକିଥିଲେ । ସେଥିରେ ଯୋଗ ଦେଇଥିଲେ ମାତ୍ର ୧୩ ଜଣ ବିଧାୟକ ।
ବିଦ୍ରୋହୀ ବିଧାୟକମାନେ ୨୪ ଘଣ୍ଟା ଭିତରେ ମୁମ୍ବାଇ ଫେରି ଆସି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଭେଟିଲେ ଏମ୍ଭିଏ ମେଣ୍ଟରୁ ଶିବସେନା ଓହରିବାକୁ ପ୍ରସ୍ତୁତ ବୋଲି ଦଳର ମୁଖପାତ୍ର ସଞ୍ଜୟ ରାଉତ ବିବୃତି ଦେବା ପରେ ଶିନେ୍ଦ ଗୋଷ୍ଠୀ ଦୁଇଟି ସର୍ତ୍ତ ଉପସ୍ଥାପନ କରିଛନ୍ତି: ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍ରେ ଇସ୍ତଫା ଦେଇ ମେଣ୍ଟରୁ ବାହାରି ଆସନ୍ତୁ, ତା’ପରେ ଯାଇ ଆଲୋଚନା ପ୍ରସ୍ତାବ ଉପରେ ଆମେ ବିଚାର କରିବୁ । ଉଦ୍ଧବ ଠାକ୍ରେଙ୍କ କଥାରେ ଆମର ବିଶ୍ୱାସ ନାହିଁ ।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିବା ଅନିବାର୍ଯ୍ୟ । କାରଣ ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଖୁବ୍ ଶୀଘ୍ର ସରକାରରୁ ସମର୍ଥନ ପ୍ରତ୍ୟାହାର ସମ୍ପର୍କିତ ନୋଟିସ୍ ଜାରି କରିବେ । ପ୍ରାୟ ୨ ବର୍ଷ ପୂର୍ବେ ମଧ୍ୟପ୍ରଦେଶରେ ଠିକ୍ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନଙ୍କ ଏକ ଗୋଷ୍ଠୀ କମଳନାଥଙ୍କ ସରକାର ବିରୋଧରେ ବିଦ୍ରୋହର ବିଗୁଲ୍ ବଜାଇଥିଲେ । ନେପଥ୍ୟରେ ରିଙ୍ଗ୍ମାଷ୍ଟର ଭୂମିକା ଲିଭାଇଥିଲା ବିଜେପି । କମଳନାଥ ସରକାର ଭାଙ୍ଗିବା ପରେ ୧୫ ମାସ ଧରି କ୍ଷମତା ହରାଇ ଥିବା ଶିବରାଜ ସିଂହ ଚୌହ୍ୱାନ ଚତୁର୍ଥ ବାର ମୁଖ୍ୟମନ୍ତ୍ରୀ ହେଲେ । ଏବେ ମହାରାଷ୍ଟ୍ରରେ ଶିବସେନାର ପ୍ରାୟ ଦୁଇ ତୃତୀୟାଂଶ ବିଧାୟକ ବିଦ୍ରୋହ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଛାଡିଥିବା ଉଦ୍ଧବ ଠାକ୍ରେଙ୍କୁ ଖୁବ୍ଶୀଘ୍ର କୁର୍ସି ହରାଇବାକୁ ପଡିପାରେ । ସଙ୍କଟର ଶେଷ ଦୃଶ୍ୟରେ ଦେବେନ୍ଦ୍ର ଫଡଣବିଶଙ୍କ ଭାଗ୍ୟ ଫିଟିପାରେ ଏବଂ ସେ କିଛି ଦିନ ପରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ବିଚିତ୍ର ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *