ଜୁନ୍ରେ ମୌସୁମୀ ପ୍ରବାହ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୩ା୬ (ବୁ୍ୟରୋ): ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ୨୪ ଓ ୨୫ ତାରିଖରେ କେତେକ ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହେବ । ୨୬ରୁ ୨୮ ତାରିଖ ତିନିଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଉଛି ।
ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳକ ଆକଳନ କରି କହିଛନ୍ତି, ବର୍ତ୍ତମାନ ଘୂର୍ଣ୍ଣିବଳୟ ସୃଷ୍ଟି ନ ହୋଇଥିବାରୁ ମୌସୁମୀ ବାୟୁ ପ୍ରବାହରେ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଆରବ ସାଗର ବା ବଙ୍ଗୋପ ସାଗରରେ ନିକଟରେ ଲଘୁଚାପ ସୃଷ୍ଟି ହେବାର ସଙ୍କେତ ମିଳୁନାହିଁ । ଏଣୁ ଜାତୀୟ ସ୍ତରରେ ମୌସୁମୀ ବର୍ଷା ଆଗେଇ ପାରୁନାହିଁ । ଏହାକୁ ବ୍ରେକ୍ ମନ୍ସୁନ୍ କୁହାଯାଏ । ଜୁନ୍ରେ ନିଅଣ୍ଟିଆ ବର୍ଷା ହେବ ବୋଲି ଆଗରୁ ଆକଳନ କରାଯାଇଥିଲା ।
ଆସନ୍ତା ୨୯ ତାରଖରୁ ମୌସୁମୀ ଘୂର୍ଣ୍ଣିବଳୟ ସୃଷ୍ଟି ହେବାରେ କ୍ରମଶଃ ସୁଧାର ଆସିବାର ସମ୍ଭାବନା ରହିଛି । ଫଳରେ ୨୯ ତାରିଖରୁ ବର୍ଷା ବଢ଼ିବା ସହିତ ଜୁଲାଇ ୧ରୁ ମୌସୁମୀ ସକି୍ରୟ ହେତୁ ବିସ୍ତୃତ ବର୍ଷାର ସମ୍ଭାବନା ରହିଛି । ଆକଳନ କରାଯାଉଛି ଯେ, ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ସ୍ୱାଭାବିକ ବର୍ଷା ହେବ । ଜୁନ୍ ୧ରୁ ୨୩ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ତଥ୍ୟ (ଏସ୍ଆର୍ସି) ଅନୁଯାୟୀ ୯୨.୩ ମିମି ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ୧୬୬.୯ ମିମି ଠାରୁ ୪୪.୭% କମ୍ । ରାଜ୍ୟର ୩ଠ ଜିଲ୍ଲାରୁ କେବଳ ବୌଦ୍ଧରେ ସ୍ୱାଭାବିକ (୧୫୩ମିମି) ଅପେକ୍ଷା ୩୫% ଅଧିକ ବର୍ଷା ହୋଇଛି । ଚାରୋଟି ଜିଲ୍ଲା (ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ନୂଆପଡ଼ା)ରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୮ଟି ଜିଲ୍ଲା (ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଗଜପତି, ମାଲକାନଗିରି, ନବରଙ୍ଗପୁର ଓ ସୁନ୍ଦରଗଡ଼)ରେ ଅତ୍ୟଧିକ ନିଅଣ୍ଟିଆ ବର୍ଷା (୫୯%ରୁ ଅଧିକ କମ୍) ହୋଇଛି । ବାକି ୧୭ଟି ଜିଲ୍ଲାରେ ବର୍ଷା ନିଅଣ୍ଟିଆ ୧୯ରୁ ୫୯% ମଧ୍ୟରେ । ବୌଦ୍ଧରେ ସର୍ବାଧିକ ବର୍ଷା ୨ଠ୭ ମିମି (୩୫% ଅଧିକ) ହୋଇଥିବାବେଳେ ପୁରୀରେ ସବୁଠାରୁ କମ୍ ବର୍ଷା, ୧୨.୭ ମିମି (୮୯.୪% କମ୍) ହୋଇଛି ।
ଭାରତୀୟ ପାଣିପାଗ ଅନୁଯାୟୀ ଜାତୀୟସ୍ତରରେ ୧୯% ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ୫୩% ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । କେରଳର ସମସ୍ତ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ସାଟେଲାଇଟ୍ ଛବିରୁ ଜଣାପଡ଼ିଛି ଯେ, ରାଜ୍ୟରେ ଦୁଇ ମିଟର ଗଭୀର ପର୍ଯ୍ୟନ୍ତ ମାଟିରେ ଜଳୀୟ ଅଂଶ ୨ଠ%ରୁ କମ୍ ଅଛି, ଯାହାକି ଢିପ ଜମିରେ ବୁଣାବୁଣି ପାଇଁ ଯଥେଷ୍ଟ ନୁହେଁ ବୋଲି ଶ୍ରୀ ପଶୁପାଳକ କହିଛନ୍ତି ।
ଅନ୍ୟପଟେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବା ହେତୁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ବଲାଙ୍ଗିର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ଏବଂ ବଜ୍ରପାତ ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖରେ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗିର, ବରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନେସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ହେଲେ ବାକି ଜିଲ୍ଲାରେ ବର୍ଷା ସମ୍ଭାବନା ନାହିଁ । ସେହିପରି ୨୬ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ । ହେଲେ ୨୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା କୁହାଯାଇଛି । ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ସର୍ବାଧିକ ୫୪ ମିମି ବର୍ଷା ରେକର୍ଡ଼ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *