ବିଜେଡି ପ୍ରସ୍ତାବକ
ଆଜି ଦ୍ରୌପଦୀଙ୍କ ନାମାଙ୍କନ
ଭୁବନେଶ୍ୱର,୨୩ା୬(ବୁ୍ୟରୋ): ଓଡ଼ିଶାର ଆଦିବାସୀ ନେତ୍ରୀ, ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜେଡି ସମର୍ଥନ ଜଣାଇଛି । କେବଳ ସମର୍ଥନ କରିନି ବରଂ ପ୍ରସ୍ତାବକ ହୋଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଓଡ଼ିଶାର ଦୁଇ କ୍ୟାବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦ୍ରୌପଦୀଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ଦସ୍ତଖତ କରିଛନ୍ତି । ଶୁକ୍ରବାର ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ କରିବା ସମୟରେ ଏହି ମନ୍ତ୍ରୀ ଦ୍ୱୟ ସେଠାରେ ଉପସ୍ଥିତ ରହିବେ । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ କରିବନି ବୋଲି ସ୍ପଷ୍ଟ ହୋଇଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗଣମାଧ୍ୟମରେ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଓ ଭଲ ବିଧାୟିକା । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଜାଣେ । ଆମର ସମ୍ପର୍କ ଭଲ । କିନ୍ତୁ ସେ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ ସମର୍ଥନ ଦେବୁନି । ତାଙ୍କ ପ୍ରାର୍ଥିତ୍ୱ ଘୋଷଣା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି । ବିରୋଧୀ ଦଳ ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରୁଛି । ସେ ଦୃଷ୍ଟିରୁ ଜଣଙ୍କୁ ଛିଡ଼ା କରି ଅନ୍ୟ ଜଣଙ୍କୁ ସମର୍ଥନ ଦେବା ଠିକ୍ କଥା ନୁହେଁ ବୋଲି ନରସିଂହ କହିଛନ୍ତି ।
ତେବେ ସମର୍ଥନ ପାଇଁ ସବୁ ବିଧାୟକଙ୍କୁ ବିଜେଡିର ଅପିଲ୍କୁ ନରସିଂହ କଟାକ୍ଷ କରିଛନ୍ତି । କହିଛନ୍ତି, ଓଡ଼ିଆ ପ୍ରୀତି ଥିଲେ ଜଣେ ଅଣଓଡ଼ିଆଙ୍କୁ କିପରି ରାଜ୍ୟସଭା ପଠାଗଲା ।
ବୁଧବାର ସନ୍ଧ୍ୟାରେ ଶ୍ରୀମତୀ ମୁର୍ମୁ କଡ଼ା ସୁରକ୍ଷାରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ଏମ୍ସିଏଲ୍ ଅତିଥି ଭବନରେ ରାତ୍ରିଯାପନ ପରେ ସେ ଗୁରୁବାର ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି । ଭୁବନେଶ୍ୱରରେ ଦ୍ରୈପଦୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତ ମାଧ୍ୟମରେ ଦ୍ରୌପଦୀଙ୍କୁ ସ୍ୱାଗତ କରାଯାଇଥିଲା । ଏହାସହ ଦ୍ରୌପଦୀଙ୍କୁ ଭେଟିବା ପାଇଁ ଶୁଭେଚ୍ଛାଙ୍କୁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ପହଞ୍ଚିଲା ପରେ ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବର୍ତ୍ତମାନ ଓଡ଼ିଶା ଭବନରେ ଅବସ୍ଥାନ କରୁଛନ୍ତି ସେ । ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ନେତାମାନଙ୍କର ଗହଳି ଲାଗି ରହିଛି । ଶ୍ରୀମତୀ ମୁର୍ମୁ ଦିଲ୍ଲୀରେ ପହଞ୍ଚି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହା ପ୍ରମୁଖଙ୍କୁ ସାକ୍ଷାତ୍ କରିଛନ୍ତି ।
ଶୁକ୍ରବାର ଦ୍ରୌପଦୀଙ୍କ ନାମାଙ୍କନପତ୍ର ଦାଖଲ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଦିଲ୍ଲୀରେ ପହଞ୍ଚି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନପତ୍ରରେ ଦସ୍ତଖତ କରିଥିଲେ । ଏହି ସମୟରେ ରାଜ୍ୟସଭା ସାଂସଦ ଡ. ସସ୍ମିତ୍ ପାତ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ । ରାଜ୍ୟରୁ ବିଜେପିର ବିଧାୟକଗଣ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବେ । କୁସୁମ ଟେଟେ, ଜୟନାରାୟଣ ମିଶ୍ର, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରକାଶ ସୋରେନ, ମୋହନ ମାଝୀ, ଡ.ବୁଦ୍ଧନ ମୁର୍ମୁ, ଜୟନ୍ତ ଷଡ଼ଙ୍ଗୀ, ନବଚରଣ ମାଝୀ ପ୍ରମୁଖ ଏଥିସକାଶେ ଦିଲ୍ଲୀ ଯାତ୍ରା କରିଛନ୍ତି ।