ନିଯୁକ୍ତି ପାଇଁ ଆବେଦନ କଲେ ସାମାଜିକ ବାସନ୍ଦ
ଅଗ୍ନିପଥ’କୁ ବିରୋଧ: ଯୁବଗୋଷ୍ଠୀଙ୍କୁ ଖାପ୍ ପଞ୍ଚାୟତର ଧମକ
ରୋହତକ୍ (ଏଜେନ୍ସି): ସମ୍ପ୍ରତି ଦେଶବ୍ୟାପୀ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ ଜୋରସୋରରେ କରାଯାଉଛି । ଦେଶର ଅଧିକାଂଶ ରାଜ୍ୟରେ ବିଶେଷକରି ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ହରିଆଣା ଆଦି ରାଜ୍ୟରେ ଯୁବକ/ଯୁବତୀ ରାସ୍ତାକୁ ଓହ୍ଲାଇବା ସହ ହିଂସାପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି, ପୋଡାଜଳା କରୁଛନ୍ତି । ମୋଟାମୋଟି ଦେଶରେ ଏବେ ଅଗ୍ନିପଥ ଯୋଜନାକୁ ନେଇ ଜନଅସନ୍ତୋଷ ବ୍ୟାପକ ହେବାରେ ଲାଗିଛି ବୋଲି କହିଲେ ଅତୁ୍ୟକ୍ତି ହେବନି । ଏସବୁ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଦେ୍ର୍ଦଶ ଅର୍ନ୍ତଗତ ଦେଶର ୩ ସେନାବାହିନୀ ଅଗ୍ନିପଥ ଯୋଜନା ସମ୍ପର୍କୀତ ନିଯୁକ୍ତି ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି ।
ତେବେ ଏସବୁ ମଧ୍ୟରେ ଖାପ୍ ପଞ୍ଚାୟତର ଏକ ବଡ଼ ଆଶ୍ଚର୍ଯ୍ୟକର ନିଷ୍ପତ୍ତି ସାମ୍ନାକୁ ଆସିଛି । ଯିଏ ଅଗ୍ନିପଥ ଯୋଜନା ଅନ୍ତର୍ଗତ ଅଗ୍ନିବୀର ଭାବେ ସାମିଲ ହେବା ପାଇଁ ଆବେଦନ କରିବ ତାକୁ ସାମାଜିକ ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ନେଇଛି ଖାପ୍ ପଞ୍ଚାୟତ । ଏପରିକି ନିଜ ଅଞ୍ଚଳର ବିଜେପି ତଥା ବିଜେପି ସମର୍ଥିତ ଦଳର ନେତାମାନଙ୍କୁ ମଧ୍ୟ ଏହି ଯୋଜନାର ବିରୋଧ କରିବାକୁ ଆହ୍ୱାନ ଦେଇଛନ୍ତି ଏକାଧିକ ଖାପ୍ ପଞ୍ଚାୟତ । ଯଦି ଏହି ନେତାମାନେ ବର୍ତ୍ତମାନ ସମୟରେ ଏହି ଅଗ୍ନିପଥ ଯୋଜନାକୁ ବିରୋଧ ନକରିବେ ତେବେ ସେମାନଙ୍କୁ ନିର୍ବାଚନ ମଣ୍ଡଳୀକୁ ଆସିବାକୁ ଦିଆଯିବ ନାହିଁ ବୋଲି ଖାପ୍ ଧମକ ମଧ୍ୟ ଦେଇଛି । ଏତଦ୍ବ୍ୟତୀତ ଏହି ଯୋଜନାକୁ ସମର୍ଥନ କରୁଥିବା କର୍ପୋରେଟ୍ ଏବଂ ଉଦ୍ୟୋଗପତିମାନଙ୍କୁ ମଧ୍ୟ ବିରୋଧ କରିବାକୁ ଖାପ୍ ଅପିଲ୍ କରିଛି । ଆନନ୍ଦ ମହିନ୍ଦ୍ରା ସମେତ ଅନେକ ବଡ ବଡ ଉଦ୍ୟୋପଗତି ଏହି ଯୋଜନାର ସମର୍ଥନ କରିଛନ୍ତି ।
ହରିଆଣାର ରୋହତକ ଜିଲ୍ଲାର ସାମ୍ପଲା ଟାଉନ୍ରେ ଖାପ୍ ପଞ୍ଚାୟତ ଏବଂ କିଛି ଅନ୍ୟ ସମୁଦାୟର ନେତାଙ୍କ ବୈଠକ ବସିଥିଲା । ବୈଠକରେ ହରିଆଣା, ପଞ୍ଜାବ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ପରି ରାଜ୍ୟ ଖାପ୍ ସଂଗଠନର ନେତାମାନେ ସାମିଲ୍ ହୋଇଥିଲେ । କିଛି ଛାତ୍ର ସଂଗଠନ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଏଥିରେ ଯିଏ ଏହି ଯୋଜନା ଆଧାରରେ ନିଯୁକ୍ତି ପାଇଁ ଆବେଦନ କରିବ ତାଙ୍କୁ ଏବଂ ତାଙ୍କ ପୂରା ପରିବାରକୁ ସମାଜରୁ ବାସନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜାଣିବାକୁ ମିଳିଛି । ଅଗ୍ନିବୀର ନାମରେ ଯୁବପୀଢିଙ୍କୁ ଶ୍ରମିକ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଖାପ୍ ପଞ୍ଚାୟତ ଅଭିଯୋଗ କରିଛି ।