ଫସିଲେ ମହିଳା, ଲୁଟିନେଲେ ୧.୩୮ ଲକ୍ଷ
ଅନୁଗୋଳ (ଆପ୍ର): ମଙ୍ଗଳବାର ଅନୁଗୋଳ ସହରର ଜଣେ ମହିଳା ବଡ଼ ଧରଣର ଅନ୍ ଲାଇନ ଲୁଟ୍ର ସମ୍ମୁଖୀନ ହୋଇଛନ୍ତି । ଅଦୃଶ୍ୟ ଲୁଟେରା ତାଙ୍କ କ୍ରେଡିଟ କାର୍ଡର ଲିମିଟ ବଢ଼ାଇବାରେ ଲୋଭ ଦେଖାଇ ଚୂନ ଲଗାଇଛି । ତାଙ୍କ ଆକାଉଣ୍ଟରୁ ଏକାଧିକ ପର୍ଯ୍ୟାୟରେ ୧ ଲକ୍ଷ ୩୮ ହଜାର ଟଙ୍କା ଲୁଟି ନିଆଯାଇଥିବା ଅଭିଯୋଗ ହୋଇଛି ।
ଠକାମୀର ଶିକାର ହୋଇଥିବା ମହିଳାଙ୍କ ଘର ରାୟଗଡ଼ା ଜିଲ୍ଲାରେ ସେ ଅନୁଗୋଳ ସହରରେ ପରିବାର ସହ ଘରଭଡ଼ା ନେଇ ରହୁଛନ୍ତି । ମଙ୍ଗଳବାର ଅପରାହ୍ନରେ ତାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଫୋନ୍କଲ୍ ଆସିଥିଲା । ଫୋନ କରିଥିବା ବ୍ୟକ୍ତି ନିଜକୁ ଏକ ଘରୋଇ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇଥିଲା । କ୍ରେଡିଟ କାର୍ଡର ଲିମିଟ୍ ବୃଦ୍ଧି କରିବାକୁ ଚାହୁଁଛନ୍ତି କି ବୋଲି ପଚାରିଥିଲେ । ଠକ କଥାରେ ଭାସିଯାଇ ମହିଳା ହଁ ଭରିଥିଲେ । ଫଳରେ ସାଇବର ଠକ ଲୁଟ୍ର ଜାଲ ବିଛାଇଥିଲା । ଗୁଗୁଲରେ ଆକ୍ସିସ କାର୍ଡ କ୍ୟାସ ଟାଇପ କରି ମରାଯାଇଥିବା ବ୍ୟାଙ୍କ ତଥ୍ୟ ଦେବାକୁ କହିଥିଲା । ଠକ କଥାମାନି ମହିଳା ବ୍ୟାଙ୍କର ସମସ୍ତ ତଥ୍ୟ ଦେଇଥିଲେ । ଏହାର କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା ଆରମ୍ଭ ହୋଇଥିଲା । ୩ଟି ପର୍ଯ୍ୟାୟରେ ସାଇବର ଠକ ତାଙ୍କ ଆକାଉଣ୍ଟରୁ ୧ଲକ୍ଷ ୩୮ ହଜାର ଟଙ୍କା କାଟି ନେଇଥିଲା । ଠକାମୀର ଶିକାର ହୋଇଥିବା ଜାଣିବା ପରେ ମହିଳା ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।