ତିନି ରଥରେ ଲାଗିଲା ପାରାଭାଡ଼ି ଓ ଖପୁରି
ପୁରୀ (ବୁ୍ୟରୋ): ଆସନ୍ତା ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ଶ୍ରୀନଅର ସମ୍ମୁଖ ରଥଖଳା । ରଥଖଳାରେ ବିଶ୍ୱକର୍ମା ମହାରଣା ସେବାୟତମାନେ ତିନି ରଥ ନିର୍ମାଣ କାର୍ଯ୍ୟରେ ନିମଗ୍ନ । ୬ ଦିନ ରଥଯାତ୍ରା ରହିଥିଲା ବେଳେ କିପରି ଶୃଙ୍ଖଳାର ସହ ରଥ ନିର୍ମାଣ ଶେଷ ହେବ ସେ ନେଇ ତିନି ରଥର ମୁଖ୍ୟ ମହାରଣା ବ୍ୟସ୍ତ ।
ଅନ୍ୟପକ୍ଷରେ ଗତକାଲି ରଥଖଳାରେ ଛ’କାଠ ଉଠିଥିଲା ବେଳେ ସେବାୟତମାନେ ରଥଖଳାରେ ନାହାକ ଓ ଭୁଇଁ କାର୍ଯ୍ୟ ଶେଷ ହୋଇଛି । ଆଜି ମହାରଣା ସେବାୟତମାନେ ରଥଖଳାରେ ତିନି ରଥ ପାଇଁ ପାରାଭାଡ଼ି ଓ ଖପୁରି ଲଗାଇଛନ୍ତି । ଗୁରୁବାର ରଥଖଳାରେ ବିଶ୍ୱକର୍ମା ମହାରଣାମାନେ ତିନି ରଥ ଉପରକୁ ପ୍ରଥମ ଭୁଇଁ ଉଠିବା ସହିତ ୧୪ ନାହାକ ଉଠାଇଛନ୍ତି । ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ଶୀଘ୍ର ହୋଇଛି । ଯେପରି ଧାର୍ଯ୍ୟ ସମୟ ଭିତରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ତିନି ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ସେ ନେଇ ରଥ ନିର୍ମାଣରେ ଲାଗି ପଡ଼ିଛନ୍ତି । ଅନ୍ୟପକ୍ଷରେ ଚିତ୍ରକର ସେବାୟତମାନେ ତାଙ୍କ ତୁଳୀରେ ବିଭିନ୍ନ ଦେବଦେବୀଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କୁ ରଙ୍ଗରେ ସଜ୍ଜିତ କରୁଛନ୍ତି । ଚିତ୍ରକର ରୁପକାରମାନେ ତାଙ୍କ ହାତର ଯାଦୁରେ ସେମାନେ କାଠ ପକ୍ଷୀମାନଙ୍କୁ ଜୀବନ୍ତ କରିବାରେ ଲାଗିଛନ୍ତି ।