ଆସାମ ବନ୍ୟାରେ ୮୯ ମୃତ
ଗୌହ୍ୱାଟୀ (ଏଜେନ୍ସି): ଆସାମରେ ଅତି ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି । ବ୍ରହ୍ମପୁତ୍ର ଏବଂ ବରାକ୍ ନଦୀରେ ଲଗାତାର ଜଳସ୍ତର ବଢୁଥିବାବେଳେ ଆଖପାଖ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇପଡ଼ିଛି । ଏଯାବତ୍ ରାଜ୍ୟର ୩୬ ଜିଲ୍ଲାରୁ ୩୨ ଜିଲ୍ଲାରେ ୫୫ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ମେ’ ମଧ୍ୟଭାଗରୁ ଏପର୍ଯ୍ୟନ୍ତ ଦୁଇଥର ବନ୍ୟା ଆସିଥିବାବେଳେ ଚଳିତ ବନ୍ୟାରେ ୮୯ ଲୋକଙ୍କର ଜୀବନ ହାନି ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ଟ୍ରେନ୍ ଯୋଗେ ନଗାଁଓ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ ।
ନଗାଁଓ ଜିଲ୍ଲାରେ ବନ୍ୟା ଯୋଗୁ ୪,୫୭,୩୮୧ ଲୋକ ପ୍ରଭାବିତ ହୋଇଥିବା ବେଳେ ତା’ମଧ୍ୟରୁ ୧୫,୧୮୮ ଲୋକଙ୍କୁ ୧୪୭ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଏନ୍ଡିଆର୍ଏଫ୍ କର୍ମଚାରୀ କଚ୍ଛାର ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଜିଲ୍ଲାରେ ପ୍ରାୟ ୫୦୬ଟି ଗ୍ରାମବାସୀ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷେ ଅଏଲ୍ ଇଣ୍ଡିଆ ଆସାମ ବନ୍ୟା ସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପାଣ୍ଠିକୁ ୫ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ସେହିଭଳି ଜାମ୍ମୁର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିିତି ଦେଖାଦେଇଥିବାବେଳେ ଭୂସ୍ଖଳନ ମଧ୍ୟ ହେଉଛି । ଭୂସ୍ଖଳନ ଯୋଗୁ ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରିବାକୁ ପଡ଼ିଥିଲା, ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା । ସେହିଭଳି ଡୋଡା, କିସ୍ତୱାଡ ଏବଂ ରାମବନ ଜିଲ୍ଲାରେ ସ୍କୁଲ ବନ୍ଦ କରିଦିଆଯାଇଛି । ଡୋଡା ଜିଲ୍ଲା ପ୍ରଶାସନ ପକ୍ଷରୁ କେତେକ ଅଞ୍ଚଳରେ ହାଇ ଆଲର୍ଟ ଘୋଷଣା କରାଯାଇଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ଡୋଡା ବ୍ୟତୀତ ରାମବନ ଏବଂ କିସ୍ତୱାଡ ଜିଲ୍ଲାର ଉପାୟୁକ୍ତ ମଧ୍ୟ ଘରୋଇ ସ୍କୁଲ ସମେତ ଉଚ୍ଚ ମାଧ୍ୟମିକ ସ୍ତରରେ ସମସ୍ତ ଶୈକ୍ଷିକ ସଂସ୍ଥାନକୁ ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି ।