୪ଠ ବର୍ଷରେ ସର୍ବାଧିକ
ବ୍ରିଟେନ୍ରେ ମୁଦ୍ରାସ୍ପୀତି ୯.୧%
ଲଣ୍ଡନ (ଏଜେନ୍ସି): ବ୍ରିଟେନ୍ରେ ମୁଦ୍ରାସ୍ପୀତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଖାଦ୍ୟଦ୍ରବ୍ୟ ବିଶେଷକରି ରୁଟି, ମାଂସ, ଖାଦ୍ୟଶସ୍ୟ ଇତ୍ୟାଦିର ଦର ବଢ଼ିବା ଫଳରେ ମୁଦ୍ରାସ୍ପୀତି ବୃଦ୍ଧି ପାଉଛି । ଏପ୍ରିଲ ମାସରେ ମୁଦ୍ରାସ୍ୱୀତି ୯% ଥିବା ବେଳେ ମେ’ ରେ ଏହା ୯.୧%ରେ ପହଞ୍ଚିଛି । ଇନ୍ଧନ ଓ ଶକ୍ତି ମୂଲ୍ୟ ମୁଦ୍ରାସ୍ପୀତିର ମୁଖ୍ୟ କାରଣ ହୋଇଥିବା ସମୟରେ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଏହାକୁ ଆହୁରି ତ୍ୱରାନ୍ୱିତ କରିଛି ବୋଲି ଅଫିସ ଫର୍ ନାସନାଲ ଷ୍ଟାଟିଷ୍ଟିକ୍ସ (ଓଏନ୍ଏସ୍) ପକ୍ଷରୁ ଦର୍ଶାଯାଇଛି । ବ୍ରିଟେନରେ ଗତ ୪୦ ବର୍ଷ ମଧ୍ୟରେ ମୁଦ୍ରାସ୍ପୀତି ସର୍ବାଧିକ । ୧୯୮୨ରେ ମୁଦ୍ରାସ୍ପୀତି ୯.୧% ଥିଲା । ଦରଦାମ ଯେଉଁ ମାତ୍ରାରେ ବଢ଼ୁଛି ଆଉ କିଛି ମାସ ମଧ୍ୟରେ ମୁଦ୍ରାସ୍ପୀତି ୧୧% ରେ ପହଞ୍ଚିବ ବୋଲି ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି ।
ମୁଦ୍ରାସ୍ପୀତି ପରିପ୍ରେକ୍ଷୀରେ ଶ୍ରମିକ ଓ ବିଭିନ୍ନ କର୍ମଚାରୀ ସଂଘ ବେତନ ବୃଦ୍ଧି ପାଇଁ ଦାବି କରୁଛନ୍ତି । କିନ୍ତୁ ନିଯୁକ୍ତିଦାତାମାନଙ୍କୁ ବ୍ରଟେନ୍ ସରକାର ସତର୍କ କରାଇ କହିଛନ୍ତି, ଯଦି ବେତନ ବୃଦ୍ଧି କରାଯାଏ ତେବେ ଏହା ୧୯୭୦ ମସିହା ଭଳି ପରିସ୍ଥିତି ସୃଷ୍ଟି କରିବା କିଛି ଅସମ୍ଭବ ନୁହେଁ । ସେ ସମୟରେ ବିଭିନ୍ନ ସଂସ୍ଥା ବେତନ ବୃଦ୍ଧି କରିବାରୁ ଏହା ଦେଶରେ ଗୁରୁତର ଆର୍ଥିକ ସମସ୍ୟା ସୃଷ୍ଟି କରିଥିଲା । ଫଳରେ ସାଧାରଣର ଜନତା ଦରବୃଦ୍ଧିର ସମ୍ମୁଖିନ ହୋଇଥିଲେ ।
ଦେଶରେ କିଛି ମାସ ମଧ୍ୟରେ କ୍ଷୀର ଦାମ ୫% ବୃଦ୍ଧି ପାଇଛି । ଅଧିକାଂଶ ନାଗରିକ ଆୟର ୭୦୫ ଖାଦ୍ୟଦ୍ରବ୍ୟରେ ବ୍ୟୟ କରୁଛନ୍ତି ବୋଲି ଏକ ସର୍ଭେରେ ଦର୍ଶାଯାଇଛି । ସେହିପରି ଏପ୍ରିଲରେ ବିଦୁ୍ୟତ୍ ଶୁଳ୍କ ବଢ଼ିଛି । ବିଦୁ୍ୟତ୍ ଶୁଳ୍କ ପାଇଁ ବର୍ଷକୁ ୭୦୦ ପାଉଣ୍ଡ ପଡ଼ିବ । ଜୁନ୍ରେ ଇନ୍ଧନ ମଊଲ୍ୟ ବୃଦ୍ଧି ହୋଇଥିଲା । ଏବେ ଏକ ସାଧାରଣର କାର୍ରେ ପେଟ୍ରୋଲ ପୂର୍ଣ୍ଣ କରିବାକୁ ୧୦୦ ପାଉଣ୍ଡ ଦେବାକୁ ପଡ଼ୁଛି ।
ମୂଲ୍ୟବୃଦ୍ଧି ଯୋଗୁ ରେଳବାଇ, ମାରିଟାଇମ୍, ଟ୍ରାନ୍ସପୋର୍ଟ ଶ୍ରମିକମାନେ ବେତନ ବୃଦ୍ଧି ପାଇଁ ଦାବି କରୁଛନ୍ତି । ମଙ୍ଗଳବାର ରେଳବାଇ ଶ୍ରମିକମାନେ ବେତନବୃଦ୍ଧି ଦାବିରେ କାମ ବନ୍ଦ କରିବାରୁ ସମସ୍ୟା ସୃଷ୍ଟି ହୋଇଥିଲା । ଶ୍ରମିକମାନେ ଅନୁ୍ୟନ ୭% ବେତନ ବୃଦ୍ଧି ପାଇଁ ଦାବି କରୁଥିବା ବେଳେ ନିଯୁକ୍ତିଦାତା ୩% ବୃଦ୍ଧି କରିବାକୁ ରାଜି ହୋଇଛନ୍ତି । ସରକାରୀ ଉଦ୍ୟୋଗରେ ବେତନ ବୃଦ୍ଧି ପ୍ରସ୍ତାବ ସପକ୍ଷରେ ସରକାର ନାହାନ୍ତି । ତେଣୁ ସରକାରୀ ଉଦ୍ୟୋଗ ଶ୍ରମିକ ସଂଘ ‘ୟୁନିସନ୍’ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇ ବିଭାଗୀୟ ମନ୍ତ୍ରୀ ଭିନ୍ନ ଗ୍ରହରେ ବାସ କରୁଛନ୍ତି ବୋଲି କୁହାଯାଇଛି ।