ପେମେଣ୍ଟ ବ୍ୟାଙ୍କ ଓ ଡାକ ସଞ୍ଚୟ ବ୍ୟାଙ୍କ ମିଶ୍ରଣକୁ ବିରୋଧ

ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଆସିକା (ଆପ୍ର): କେନ୍ଦ୍ର ସରକାର ଡାକ ବିଭାଗକୁ ମଧ୍ୟ ନିଗମୀକରଣ ଏବଂ ପରେ ଘରୋଇକରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାର ପ୍ରଥମ ପଦକ୍ଷେପ ସ୍ୱରୁପ ଦୀର୍ଘ ଦିନର ଡାକ ସଞ୍ଚୟ ବ୍ୟାଙ୍କକୁ ପେମେଣ୍ଟ ବ୍ୟାଙ୍କ ଲିମିଟେଡ୍ରେ ମିଶ୍ରଣ କରିବାର ଆଦେଶ ଦେଇଛନ୍ତି । ଏହା ସଙ୍ଗେସଙ୍ଗେ ଡାକମିତ୍ର ଯୋଜନା ପ୍ରଚଳନ କରି ରେଜିଷ୍ଟ୍ରି ସ୍ପିଡ୍ ପୋଷ୍ଟ ଇତ୍ୟାଦି ସେବା ଗ୍ରାମୀଣ ଉଦ୍ୟମୀଙ୍କ ଜରିଆରେ ଯୋଗାଇଦେଇ ଡାକଘର ଗୁଡିକର ସଙ୍କୋଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ବିରୋଧ କରି ଆସିକା ଡାକମଣ୍ଡଳର କର୍ମଚାରୀମାନେ ମଧ୍ୟାହ୍ନ ବିରତି ସମୟରେ ଡାକ ମିଳିତ କ୍ରିୟାନୁଷ୍ଟାନ କମିଟି ଆବାହନରେ ଆସିକା ଡାକ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରି ଡାକ ସଞ୍ଚୟ ବ୍ୟାଙ୍କ ମିଶ୍ରଣର ତୀବ୍ର ବିରୋଧ କରିଥିଲେ ।
ଡାକ ସଞ୍ଚୟ ବ୍ୟାଙ୍କର ମିଶ୍ରଣର ପ୍ରଭାବରେ ଜମାକାରୀ ମାନେ ପାଉଥିବା ସୁଧହାର ଶତକଡା ୪ବଦଳରେ ଶତକଡା ୨ପ୍ରତିଶତକୁ ହ୍ରାସ ଘଟିବ । କୌଣସି କାରଣରୁ ପେମେଣ୍ଟ ବ୍ୟାଙ୍କ ଦେବାଳିୟା ଘୋଷିତ ହେଲେ କେବଳ ମାତ୍ର ଏକ ନିର୍ଦ୍ଦିଷ୍ଟ ଅର୍ଥ ଜମାକାରୀ ଫେରି ପାଇବେ ଏବଂ ଅନ୍ୟ ଜମା ହରାଇବାର ସମ୍ଭାବନାକୁ ମଧ୍ୟ ଏଡାଇ ହେବ ନାହିଁ । ତା ସାଙ୍ଗକୁ ଡାକ ବିଭାଗରେ ନିଯୁକ୍ତି ପାଇଥିବା ଶହଶହ କର୍ମଚାରୀଙ୍କ ସୁରକ୍ଷା ମଧ୍ୟ ବାଧାପ୍ରାପ୍ତ ହେବ ଏବଂ କେନ୍ଦ୍ର ସରକାରଙ୍କ ଏହି ଲୋକାଭିମୁଖୀ ବିଭାଗର ଘରୋଇକରଣ ପାଇଁ ପଥ ସୁଗମ ହେବ । ତେଣୁ କେନ୍ଦ୍ର ସରକାରଙ୍କ ଏହି ଜନବିରୋଧୀ କାର୍ଯ୍ୟକ୍ରମକୁ ଡାକ କର୍ମଚାରୀ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯବା ସହ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଡାକ ମିଳିତ କ୍ରିୟାନୁଷ୍ଠାନ କମିଟି ଆସିକା ଡାକମଣ୍ଡଳର ପ୍ରତିନିଧି ବସନ୍ତ କୁମାର ପାଠୀ ଓ ଜିତେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ସଂଘର ସହସ୍ୟ ଅନିଲ କୁମାର ସାହୁ, ଦେବେନ୍ଦ୍ର ବେହେରା, ବି. କୃଷ୍ଣ ମୂର୍ତ୍ତୀ ପାତ୍ର, ପ୍ରଭାତ କୁମାର ପ୍ରଧାନ, ଦୀପକ ରଞ୍ଜନ ପାଣିଗ୍ରାହୀ, ଜିତେନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ସାହୁ, ପ୍ରଜ୍ଞା ପରମିତା ପାଣିଗ୍ରାହୀ, ଅନୀଲ କୁମାର ପାଢୀ, ପ୍ରତିମା ରାଉତ, ବିପ୍ରବିହାରୀ ରଥ, ଏନ୍. ଧନୁ ରେଡି, ମିହିର୍ ମହାରଣା, ସନ୍ଧ୍ୟା ପାଢୀ, ସନ୍ଦୀପ୍ କୁମାର ସାହୁ, ରବିନ୍ଦ୍ର ନାଥ ପାତ୍ର୍ଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *